Unknown

 

 

 

 

 

 

 

 

 

ଗୃହଶିଳ୍ପ

ଷଷ୍ଠ ଖଣ୍ଡ

ରାୟବାହାଦୁର ଭିକାରୀଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ମୂର୍ତ୍ତିଗଠନ

୨.

ଛିଣ୍ଡା କାଗଜର ବ୍ୟବହାର

୩.

ବ୍ୟବହାର ପ୍ରଣାଳୀ

୪.

ଛାଞ୍ଚ

୫.

ଛାଞ୍ଚର ବ୍ୟବହାର

୬.

କଣ୍ଢେଇ ପୋଡ଼ିବା

୭.

କଣ୍ଢେଇପୋଡ଼ା ଚୁଲ୍ଲୀ

୮.

ହାଣ୍ଡିରେ କଣ୍ଢେଇ ପୋଡ଼ିବା

୯.

ଚିତ୍ର କରିବା

୧୦.

ରଙ୍ଗ ଲଗାଇବା ପ୍ରଣାଳୀ

୧୧.

ତେନ୍ତୁଳିମଞ୍ଜି ଅଠା

୧୨.

ରଙ୍ଗ

୧୩.

ପାଣିରଙ୍ଗର ବ୍ୟବହାର

୧୪.

ରଙ୍ଗର ପାତ୍ର

୧୫.

ତେଲରଙ୍ଗ

୧୬.

ତୂଳି

୧୭.

ବାର୍ଣ୍ଣିସ୍‌ ଓ ପାଲିସ୍

୧୮.

ବାର୍ଣ୍ଣିସ୍‌ ତିଆରି କରିବା ପ୍ରଣାଳୀ

୧୯.

ପାଲିସ୍‌ ତିଆରି କରିବା ପ୍ରଣାଳୀ

୨୦.

କାଗଜ ତିଆରି

୨୧.

ରେଜିନ୍ ସୋପ୍ ତିଆରି କରିବା ପ୍ରଣାଳୀ

୨୨.

ସୋଲ କାମ

୨୩.

ଗୋଲାପଫୁଲ

୨୪.

କଦମ୍ବଫୁଲ

୨୫.

ଗେଣ୍ଡୁଫୁଲ

୨୬.

ମଲ୍ଲୀଫୁଲ

୨୭.

ଚମ୍ପାଫୁଲ

୨୮.

ସଦାବିହାରୀଫୁଲ

୨୯.

ନାଗେଶ୍ୱରଫୁଲ

୩୦.

ସୋଲଫୁଲର ତୋଡ଼ା

୩୧.

ସୋଲର ହାଟ୍ (Hat) ବା ସାହେବ ଟୋପି

୩୧.

ଚମଡ଼ା

୩୨.

ବାର୍କଟାନିଙ୍ଗ୍ (Bark tanning) ବା ଗଛ ଛେଲିଦ୍ୱାରା ଚମଡ଼ା କଷା

୩୩.

କଷ ପାଣି

୩୪.

ଚୂନ

୩୫.

ଲୁଣ

୩୬.

କ୍ରୋମ୍ (Chrome) ଟାନିଙ୍ଗ୍ ଓ ଆଲମ୍ (Alum) ଟାନିଙ୍ଗ୍

୩୭.

ଚମଡ଼ାର କାରୁକାର୍ଯ୍ୟ

୩୮.

ଏଥିପାଇଁ ଚମଡ଼ା

୩୯.

ଏଥିପାଇଁ ହତିଆର

୪୦.

ରଙ୍ଗ

•••

 

ମୂର୍ତ୍ତି ଗଠନ

 

ମୂର୍ତ୍ତି କହିଲେ ଯେ କୌଣସି ପ୍ରକୃତ ପଦାର୍ଥର ପ୍ରତିରୂପ ବୁଝିବାକୁ ହେବ । ସଜୀବକୁ ନିର୍ଜୀବର ରୂପ ପ୍ରଦାନ କରିବା କିମ୍ବା ମୃତ ବା ଅତୀତ ବସ୍ତୁକୁ ଜୀବିତ ବସ୍ତୁର ରୂପ ପ୍ରଦାନ କରିବା କିମ୍ବା କୌଣସି କଳ୍ପିତ ବା ଅବ୍ୟକ୍ତ ଭାବକୁ ରୂପରେ ବ୍ୟକ୍ତ କରିବାକୁ ମଧ୍ୟ ମୂର୍ତ୍ତି କୁହାଯାଏ । ଆମ୍ଭମାନଙ୍କ ଦେଶରେ ଲୋକେ ଅଧିକ ପରିମାଣରେ ମୂର୍ତ୍ତିପୂଜା କରନ୍ତି; ତେଣୁ ମୂର୍ତ୍ତି କହିଲେ ସାଧାରଣତଃ କୌଣସି ଦେବଦେବୀଙ୍କର ମୂର୍ତ୍ତି ବୁଝନ୍ତି । କିନ୍ତୁ ତାହା ମୂର୍ତ୍ତି ଶବ୍ଦର ଗୋଟିଏ ଅତି ସଙ୍କୁଚିତ ଅର୍ଥ ଅଟେ ।

 

ମୂର୍ତ୍ତି ନାନା ପ୍ରକାରରେ ଓ ନାନା ପଦାର୍ଥଦ୍ୱାରା ନିର୍ମିତ ହୋଇପାରେ । ଆମ ଦେଶରେ ସାଧାରଣତଃ ମାଟି, ପଥର, ସୁନା, ରୂପା, ତମ୍ବା, ଲୁହା, କଂସା, ପିତଳ, ସୀସା, କାଠ, ସୋଲ, ଶିଙ୍ଗ, ଦାନ୍ତ, ମହମ, କାଗଜ ପ୍ରଭୃତି ନାନା ପଦାର୍ଥରେ ଲୋକେ ମୂର୍ତ୍ତି ଗଢନ୍ତି । ତହିଁ ମଧ୍ୟରୁ କୌଣସି କୌଣସି ପଦାର୍ଥକୁ ପିଟି, କୌଣସି ପଦାର୍ଥକୁ କାଟି, କାହାକୁ ତରଳାଇ, କାହାକୁ ଖୋଳି କାହାକୁ କେବଳ ହାତରେ ଟିପିଟିପି ଓ କାହାକୁ ଅବା କୁଟି ମୂର୍ତ୍ତି ଗଢ଼ନ୍ତି ।

 

ମୂର୍ତ୍ତିଗଢ଼ା ମନୁଷ୍ୟର ଗୋଟିଏ ସ୍ୱାଭାବିକ ପ୍ରବୃତ୍ତି କହିଲେ ଚଳେ । ଶିଶୁମାନେ ପ୍ରଥମେ ଖେଳିବା ସମୟରେ କେତେକ କ୍ଷୁଦ୍ର କ୍ଷୁଦ୍ର ପଦାର୍ଥ ନେଇ ତହିଁରେ ଗୋଟିଏ ଗୋଟିଏ ମୂର୍ତ୍ତି ଗଢ଼ନ୍ତି । ଧୂଳିରେ ଘର କରିବା, ତହିଁରେ ଗୋଟିଏ ଗୋଟିଏ ଦେବତା ବସାଇବା, ଢାଳ, ଥାଳି ତାଟିଆ, ଗିଲାସ ପ୍ରଭୃତି ମାଟିରେ ଗଢ଼ି ଥୋଇବା ଏବଂ ଚକ, ରଥ, ଗାଡି ପ୍ରଭୃତି କରିବା ସମସ୍ତ ଏହି ମୂର୍ତ୍ତି ଗଠନର ଅନ୍ତର୍ଭୁକ୍ତ ଅଟେ ।

 

ମୂର୍ତ୍ତିଗଢ଼ା ଶିକ୍ଷା ଦେବାପାଇଁ ପ୍ରଥମେ ସେହି ବାଲ୍ୟକାଳର ପ୍ରବୃତ୍ତିକୁ ମୂଳ କରି ଧରି ତହିଁରୁ କ୍ରମ ଅନୁସରଣ କରି ଶିକ୍ଷା ଦେଲେ ଶିକ୍ଷାର୍ଥୀ ସହଜରେ ମୂର୍ତ୍ତି ଗଢ଼ାରେ ଉନ୍ନତିଲାଭ କରି ପାରିବେ । ଯେଉଁ ପଦାର୍ଥଟିର ପ୍ରତିରୂପ ଗଢ଼ିବାକୁ ହେବ, ପ୍ରଥମେ ସେହି ପଦାର୍ଥର କି କି ଅଙ୍ଗ ଅଛି ତାହା ବୁଝିନେବାକୁ ପଡ଼ିବ । ତା ପରେ ସେହି ଅଙ୍ଗମାନଙ୍କ ବିଷୟରେ ଉତ୍ତମରୂପେ ପର୍ଯ୍ୟବେକ୍ଷଣ କରିବାକୁ ହେବ । ଅର୍ଥାତ୍ ଗୋଟିଏ ପଶୁର ମୂର୍ତ୍ତି କରିବାକୁ ହେଲେ ତାହାର ଚାରିଗୋଟି ଗୋଡ଼, ଗୋଟିଏ ମୁଣ୍ଡ, ଦୁଇଗୋଟି କାନ । ଦୁଇଗୋଟି ଶିଙ୍ଗ, ଦୁଇଗୋଟି ଆଖି ଏବଂ ଗୋଟିଏ ଲାଞ୍ଜ ପ୍ରଭୃତି ଏହିପରି ସେହି ପଶୁଟିର ଯେଉଁ ଯେଉଁ ଅଙ୍ଗ ଥିବ, ତାହାସବୁ କେଉଁ କେଉଁ ଆକାରର ଏବଂ ତହିଁର ପ୍ରତ୍ୟେକ ଅଙ୍ଗ ଅନ୍ୟ ଅଙ୍ଗମାନଙ୍କଠାରୁ କିଏ କେତେ ଦୂରରେ ଅଛି ଏବଂ କାହାର ଆୟତନ କେତେ ବଡ଼ ଓ ଅନ୍ୟ ଜନ୍ତୁଙ୍କର ସେହି ଅଙ୍ଗ ସହିତ ଏ ପଶୁର ସେହି ଅଙ୍ଗର କେତେ ଦୂର ସାମଞ୍ଜସ୍ୟ ବା ପାର୍ଥକ୍ୟ ଅଛି, ଏହି ସବୁ ବିଷୟମାନ ତନ୍ନ ତନ୍ନ କରି ନିରେଖିବାକୁ ପଡ଼ିବ । ତାପରେ ସେହି ସବୁ ଅଙ୍ଗପ୍ରତ୍ୟଙ୍ଗକୁ ଦେହର ଉପଯୁକ୍ତ ସ୍ଥାନମାନଙ୍କରେ ସଂଯୁକ୍ତ କରିବାକୁ ଆରମ୍ଭ କରିବ । ଏହା ଯେ କୌଣସି ପଦାର୍ଥ ଦ୍ୱାରା କରାଯାଇ ପାରିବ । ଧାତୁରେ କରିବାକୁ ହେଲେ, ତାହା ପିଟିବାକୁ ପଡ଼ିବ କିମ୍ବା ତରଳାଇବାକୁ ହେବ । କାଠ, ପଥର ବା ସୋଲରେ କରିବାକୁ ହେଲେ ତାହା କାଟିବାକୁ କିମ୍ବା ଖୋଳିବାକୁ ପଡ଼ିବ । କାଗଜରେ କରିବାକୁ ହେଲେ କାଟିବାକୁ ଏବଂ ଟିପିବାକୁ ବା ମୋଡ଼ିବାକୁ ପଡ଼ିବ । ମାଟିରେ ବା ମହମରେ କରିବାକୁ ହେଲେ ଟିପିବାକୁ ପଡ଼ିବ । ଯେ କୌଣସି ପଦାର୍ଥରେ କଲେ ଉପରିଲିଖିତ ପ୍ରଣାଳୀମାନଙ୍କ ମଧ୍ୟରୁ ଗୋଟିଏ, ଦୁଇଟି ବା ତତୋଽଧିକ ଉପାୟରେ ମୂର୍ତ୍ତି ଗଢ଼ାଯାଇ ପାରିବ ।

Image

(୧ ନମ୍ବର ଚିତ୍ର)

ମାଟିରେ ମୂର୍ତ୍ତି ଗଢ଼ିବାକୁ ହେଲେ ପ୍ରଥମେ ମୂର୍ତ୍ତି ଗଢ଼ିବାପାଇଁ ଉପଯୁକ୍ତ ମାଟି ବାଛି ନେବାକୁ ହେବ । ଯେପରି ସେହି ମାଟିରେ ପଦାର୍ଥଟି ଗଢ଼ିଲେ ତାହା ସହଜରେ ଫାଟି ନ ଯିବ, ଗଢ଼ୁଁ ଗଢ଼ୁଁ ଛାଡ଼ି ନ ଯିବ ଏବଂ ଗଢ଼ି ସାରିଲେ କିଛିକାଳ ରହିପାରିବ । କୁମ୍ଭାରମାନେ ହାଣ୍ଡି ଗଢିବ ପାଇଁ ଯେଉଁ ଚିକିଟା ମାଟି ବ୍ୟବହାର କରନ୍ତି, ସେହି ମାଟି ଏଥିନିମନ୍ତେ ଉପଯୁକ୍ତ । ମାଟିରେ ପାଣି ପକାଇ ୧୦।୧୨ ଘଣ୍ଟା ଉତ୍ତମରୂପେ ତିନ୍ତାଇ ରଖିବ । ତାପରେ ତାହାକୁ ଉତ୍ତମରୂପେ ଚକଟି ମୂର୍ତ୍ତି ପାଇଁ ମାଟି ପ୍ରସ୍ତୁତ କରିବ । ଯେବେ ମାଟିରେ ଗୋଟିଏ ଘୋଡ଼ାଇ ମୂର୍ତ୍ତି କରିବାକୁ ହୁଏ, ତେବେ ଘୋଡ଼ାଟିର ଦେହ ହୋଇ ପାରିବା ପରିମାଣର ଚକଟା ମାଟି ନେଇ ତାକୁ ଦୁଇ ହାତରେ ବଳିଦେଇ କିମ୍ବା ଟିପି ଟିପି କିଛି ଲମ୍ବା କରି ଘୋଡ଼ାର ଗଣ୍ଡିର ବା ଧଡ଼ର ଆକାର କରିବ-। ସେ ଧଡ଼ର ଏକ ପାଖରେ ୪ ଖଣ୍ଡି କାଠି ଏପରି ଭାବରେ ପୋତିବ, ଯେପରି ତାହା ଘୋଡ଼ାର ୪ ଗୋଟି ଗୋଡ଼ ପରି ହେବ । ଘୋଡ଼ାର ସେହି ଧଡ଼କୁ ସେହି ଗୋଡ଼ ୪ ଗୋଟି ଉପରେ ଛିଡ଼ା କରାଇଦେବ । ଏଥର ଚିନ୍ତା କରି ଦେଖିବ, ଆଉ କେଉଁ କେଉଁ ଅଙ୍ଗ ସେ ଧଡ଼ର କେଉଁ କେଉଁ ସ୍ଥାନରେ କିପରି ଭାବରେ ଯୋଡ଼ି ଦେଲେ ତାହା ଗୋଟିଏ ଘୋଡ଼ାପରି ଦେଖାଯିବ । ଏତେବେଳେ ସହଜରେ ବୁଝି ପାରିବ ଯେ, ସେ ଧଡ଼ର ଗୋଟିଏ ମୁଣ୍ଡରେ ଗୋଟିଏ ଲମ୍ବାବେକ, ବେକ ଉପରେ ଗୋଟିଏ ଘୋଡ଼ାର ଲମ୍ବଡ଼ା ମୁଣ୍ଡ, ମୁଣ୍ଡରେ ଦୁଇଗୋଟି କାନ, ଦୁଇଗୋଟି ଆଖି ଏବଂ ଧଡ଼ର ଅନ୍ୟ ମୁଣ୍ଡରେ ଗୋଟିଏ ଲାଞ୍ଜ ଯୋଡ଼ିଦେବା ଆବଶ୍ୟକ । ବେକ ହୋଇ ପାରିବା ପରିମାଣର କିଛି ମାଟି ନେଇ ତାହାକୁ ଦୁଇ ହାତରେ ବଳି ଓ ଟିପି କରି ସେ ବଳା ହୋଇଥିବା ମାଟିକୁ ଘୋଡ଼ାର ବେକଭଳି ଅଳ୍ପ ଲମ୍ବା ଓ ଅଳ୍ପ ଚେପଟା କରିବ । ସେ ବେକର ଉପରପାଖ କିଞ୍ଚିତ୍ ମୋଟା ଓ ତଳପାଖ କିଞ୍ଚିତ୍ ସରୁ କରିବ ଏବଂ ସେହି ବେକକୁ ଘୋଡ଼ାର ଗଣ୍ଡିର ଏକ ମୁଣ୍ଡରେ ତେର୍‌ଛା କରି ପୋଡ଼ିଦେବ । ପୁଣି ସେହିପରି ଘୋଡ଼ାର ମୁଣ୍ଡ ଆକାରର ଟିକିଏ ଲମ୍ବା ଆଉ ଗୋଟିଏ ଅଂଶ ଗଢ଼ି ବେକର ମୁଣ୍ଡରେ ଖଞ୍ଜିଦେଲେ ତାହା ଘୋଡ଼ାର ମୁଣ୍ଡ ହେବ । ଲାଞ୍ଜପାଇଁ କେରାଏ ଝୋଟ ବା ଛଣପଟ ବା ସେହିପରି ଅନ୍ୟ କିଛି ପଦାର୍ଥକୁ ଘୋଡ଼ାର ମୂର୍ତ୍ତିକୁ ଚାହିଁ ଲମ୍ବା କରି ଲାଞ୍ଜ ଆକାରରେ କାଟି ତାହାକୁ ସେହି ଗଣ୍ଡିର ଅନ୍ୟ ମୁଣ୍ଡରେ ଖଞ୍ଜିଦେବ । ମାଟିର ଦୁଇଗୋଟି କାନ ଆକାରର ବଳିକରି ଘୋଡ଼ାର ମୁଣ୍ଡରେ ଲଗାଇଦେବ ଏବଂ ମୁଣ୍ଡର ଉପଯୁକ୍ତ ସ୍ଥାନରେ ଟିପଦ୍ୱାରା ଟିପି ଟିକିଏ ଖାଲୁଆ କରି ତାହାର ଆଖି ଦୁଇଟି କରିବ । ତାହାହେଲେ ସେହି ମୂର୍ତ୍ତିଟିକୁ ଯେ କେହି ଦେଖିବାମାତ୍ରକେ ତାହା ମନରେ ସହଜରେ ଧାରଣା ହେବ ଯେ, ଏହା ଗୋଟିଏ ଘୋଡ଼ାର ରୂପ ଅଟେ । ୧ ନମ୍ବର ଚିତ୍ର ଦେଖ । ଏହି ମୂର୍ତ୍ତିଟି ଗୋଟିଏ ଘୋଡ଼ାପରି ଦେଖାଗଲେ ସୁଦ୍ଧା ଏ ମୂର୍ତ୍ତିର ଆକାରକୁ ଚାହିଁ ଏହାର ଅଙ୍ଗ ପ୍ରତ୍ୟଙ୍ଗ ଯାହା ଯେଉଁଠାରେ ଯେଉଁ ଆକାରରେ ଓ ଯେଉଁ ମାପରେ ଖଞ୍ଜାଯିବା ଆବଶ୍ୟକ, ତାହା ଏତେବେଳ ଯାକେ ହୋଇନାହିଁ । ମୂର୍ତ୍ତି ଗଢ଼ିବା ଲୋକ କ୍ରମେ କ୍ରମେ ସେରୂପରେ ପରେ ସେଗୁଡ଼ିକ ଖଞ୍ଜି ସଜାଇବେ ।

 

ବଡ଼ ବଡ଼ ମୂର୍ତ୍ତି ଗଠନ କରିବାପାଇଁ ସାଧାରଣତଃ ମୂର୍ତ୍ତି ଗଢ଼ିବାଲୋକମାନେ ମୂର୍ତ୍ତିର ଗଣ୍ଡି ବା ଧଡ଼ ଅଂଶକୁ କାଠ ଓ କୁଟା ଆଦି ବାନ୍ଧି ପ୍ରଥମେ ତିଆରି କରନ୍ତି । ତାହାକୁ କାଲଭୂତ ବା ପଞ୍ଜରା କହନ୍ତି । ପରେ ତହିଁ ଉପରେ ମାଟି ଲଗାଇ ଅଙ୍ଗପ୍ରତ୍ୟଙ୍ଗ ଖଞ୍ଜି ଦିଅନ୍ତି ।

Image

(୨ ନମ୍ବର ଚିତ୍ର)

ସେହିପରି ଗୋଟିଏ ପକ୍ଷୀ କରିବାକୁ ହେଲେ ପକ୍ଷୀର ଦେହ ବା ଧଡ଼ ହୋଇ ପାରିବା ପରିମାଣର ମାଟି ନେଇ ତାହାକୁ ଯଥା ସମ୍ଭବ ହାତରେ ବଳି କିମ୍ବା ଟିପି ପକ୍ଷୀର ଧଡ଼ ପରି ତିଆରି କରିବ ତହିଁରେ ଦୁଇଗୋଟି ଗୋଡ଼ ଲଗାଇଦେବ । ଗୋଟିଏ ବେକ ଖଞ୍ଜିଦେବ । ବେକ ଉପରେ ମାଟିରେ ବାଟୁଳି ଭଳି କରି ମୁଣ୍ଡଟି ଯୋଡ଼ିବ ଏବଂ ମୁଣ୍ଡରେ ଗୋଟିଏ ଥଣ୍ଟ ମାଟିରେ କିମ୍ବା କାଠିରେ କରି ଯୋଡ଼ିଦେବ । ତାହାହେଲେ ମୂର୍ତ୍ତିଟି ଗୋଟିଏ ପକ୍ଷୀପରି ଦେଖା ଯିବ । ୨ ନମ୍ବର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ଗୋଟିଏ ମନୁଷ୍ୟ କରିବାକୁ ହେଲେ ମେଞ୍ଚାଏ କାଦୁଅ ନେଇ ମନୁଷ୍ୟର ଧଡ଼କୁ ଅନୁମାନ କରି କାଦୁଅକୁ ହାତରେ ବଳି ଓ ଟିପି ଗୋଟିଏ ମନୁଷ୍ୟଧଡ଼ ଆକାରର କରିବ । ତହିଁର ଏକ ମୁଣ୍ଡରେ ଦୁଇଗୋଟି ଗୋଡ଼ ଯୋଡ଼ିଦେବ । ଅନ୍ୟ ମୁଣ୍ଡରେ ଦୁଇଗୋଟି ହାତ ତଳକୁ ଲମ୍ବିଲା ଭଳି ଜୋଡ଼ିଦେବ । ଧଡ଼ର ଉପର ପାଖକୁ ବେକ ଓ ମୁଣ୍ଡ ଯୋଡ଼ିବ । ତାହାହେଲେ ମୂର୍ତ୍ତିଟି ମୋଟାମୋଟି ଗୋଟିଏ ମନୁଷ୍ୟର ଆକାର ହେବ । ୩ ନମ୍ବର ଚିତ୍ର ଦେଖ । ଏହିରୂପେ ପ୍ରଥମେ କେବଳ ସାଧାରଣତଃ ଦେଖାଯାଉଥିବା ପଦାର୍ଥମାନ ଗଢ଼ିବ । ମୋଟାମୋଟି ପଦାର୍ଥର ମୂର୍ତ୍ତି ଗଢ଼ିବାରେ ଦକ୍ଷତା ହାସଲ ହେଲା ପରେ ଭିନ୍ନ ଭିନ୍ନ ଅଙ୍ଗମାନଙ୍କର ପ୍ରକୃତ ଆକାରକୁ ସଫାଦେଖାଇବାପାଇଁ କ୍ରମେ ଚେଷ୍ଟା କରିବାକୁ ଶିକ୍ଷା କରିବ । ସେଥିନିମନ୍ତେ ଯେଉଁଠାରେ ମୂର୍ତ୍ତିକୁ ଟିପିବାକୁ ହେବ ସେଠାରେ ଟିପିଦେବ, ଯେଉଁଠାରେ ବଳିବାକୁ ହେବ ସେଠାରେ ବଳିବ, ଯେଉଁଠାରେ ଗୋଲ କରିବାକୁ ହେବ ସେଠାରେ ଗୋଲ କରିବ ଏବଂ ଯେଉଁଠାରେ ଲମ୍ବ ବା ଚେପଟା ବା ସରୁଆ କରିବାକୁ ଲୋଡ଼ା ହେବ ସେଠାରେ ସେହିପରି କରି ଗଢ଼ାମୂର୍ତ୍ତିଟି ପ୍ରକୃତ ପଦାର୍ଥର ରୂପ ସଙ୍ଗେ ଖାପ ଖାଇଲା ପରି କରିବ । ପ୍ରଥମେ କେତେଗୁଡ଼ିଏ ମୂର୍ତ୍ତି ଏହିପରି ଜଗି ଜଗି ଗଢ଼ିରଲ ଗଢ଼ାଳିଙ୍କ ଆଖି ଓ ହାତ ଯଥାକ୍ରମେ ଅସଲ ପଦାର୍ଥକୁ ଦେଖି ଆକାରକୁ ଠଉରାଇବା ଓ ସେହି ଆକାର ମୁତାବକ ମୂର୍ତ୍ତି ଗଢ଼ିବା କାର୍ଯ୍ୟରେ ତାଲିମ ହୋଇଯିବ । ତେବେପାଇଁ ଗଢ଼ା ହେବା ମୂର୍ତ୍ତିକୁ ପ୍ରକୃତ ପଦାର୍ଥର ଅବିକଳ ରୂପ ଉତାରିବାପାଇଁ ସେ ଚେଷ୍ଟା କରିବେ । ଅସଲ ପଦାର୍ଥକୁ ଦେଖି ପଦାର୍ଥର ମୂର୍ତ୍ତି ଅବିକଳ କରି ଗଢ଼ିବାରେ ଅଭ୍ୟାସ ହୋଇଗଲେ କୌଣସି ଜୀବକୁ ବା ପଦାର୍ଥକୁ ଆଗରେ ରଖି ତାହାର ଅନୁକରଣ କରିବାର ସୁଯୋଗ ଯେତେବେଳେ ମିଳିବ ସେତେବେଳେ ସେହି ପ୍ରକୃତ ଜୀବକୁ ବା ପଦାର୍ଥକୁ ଦେଖି ତା ସଙ୍ଗେ ପୁରା ମେଳ ଖାଇଲାଭଳି ମୂର୍ତ୍ତି ଗଢ଼ିବ । ନଚେତ୍ ଗୋଟିଏ ଭଲ ହୋଇ ଗଢ଼ା ହୋଇଥିବା ମୂର୍ତ୍ତିକୁ ଆଗରେ ରଖି ତାହାକୁ ଅନୁକରଣ କରି ଉକ୍ତ ମୂର୍ତ୍ତିର ଅଙ୍ଗପ୍ରତ୍ୟଙ୍ଗ ସବୁ ଗଢ଼ିବ । ଏହି ପ୍ରଣାଳୀ ଅନୁସରଣ କରି କିଛିକାଳ ମୂର୍ତ୍ତିଗଢ଼ା ଅଭ୍ୟାସ କଲେ ସହଜରେ ମୂର୍ତ୍ତି ଗଢ଼ିବାରେ ପକ୍କା କାରିଗର ହୋଇ ପାରିବ ।

 

ପ୍ରଥମେ ବାଛି ବାଛି କେତେଗୁଡ଼ିଏ, ସହଜରେ ଗଢ଼ା ହୋଇ ପାରିବା ପଦାର୍ଥ ଗଢ଼ିବାକୁ ଚେଷ୍ଟା କରିବ । ଯଥା– ଆମ୍ବ, କଦଳୀ, କାକୁଡ଼ି, ଭେଣ୍ଡି, ଜହ୍ନି, କମଳା, କରମଙ୍ଗା ପ୍ରଭୃତି ଫଳଗୁଡ଼ିକ ଆଗେ ଗଢିବ । ତା ପରେ ଗିଲାସ, ଥାଳି, ତାଟିଆ, ବେଲଣାପେଡ଼ି, ବେଲଣା କାଠି ଇତ୍ୟାଦି ଗଢିବ; ତହିଁ ପରେ କ୍ରମେ କ୍ରମେ ମୂର୍ତ୍ତି ଗଢିବ ରେ କାରିଗରି ଲୋଡ଼ା, ସେପରି ପଦାର୍ଥର ମୂର୍ତ୍ତି ଗଢ଼ିବ । ଜୀବଜନ୍ତୁଙ୍କ ମଧ୍ୟରେ ମାଛର ମୂର୍ତ୍ତି ଗଢିବ ସହଜ । ମାଛ ଗଢିକରି ହାତ ଟିକିଏ ତାଲିମ ହୋଇଗଲେ ଅନ୍ୟ ଜୀବଜନ୍ତୁଙ୍କ ମୂର୍ତ୍ତି ଗଢିବ ଓ ପକ୍ଷୀ, ପଶୁ, ମନୁଷ୍ୟ ଆଦି ଗଢିବ କୁ ଆରମ୍ଭ କରିବ । ପ୍ରତ୍ୟେକ ପଦାର୍ଥର ଭିନ୍ନ ଭିନ୍ନ ଅଙ୍ଗର ଆକାର, ଲମ୍ବା, ଚଉଡ଼ା ଓ ପରିମାଣ ପ୍ରତି ବିଶେଷ ଦୃଷ୍ଟି ରଖିବ । ଏହି ସବୁ ବିଷୟରେ ଅସଲ ବସ୍ତୁ ସଙ୍ଗେ ମୂର୍ତ୍ତିର କିଛି ପ୍ରଭେଦ ରହିଗଲେ, ଗଢ଼ା ମୂର୍ତ୍ତି କଦାପି ସୁନ୍ଦର ଦେଖା ଯିବ ନାହିଁ । କେବଳ ଅଙ୍ଗପ୍ରତ୍ୟେଙ୍ଗର ପରିମାଣ ଉପରେ ମୂର୍ତ୍ତି ଗଢା କାରିଗରଙ୍କ ହାତସଫେଇ ସମ୍ପୂର୍ଣ୍ଣ ନିର୍ଭର କରେ । କୌଣସି ପଦାର୍ଥର କୌଣସି ଅଙ୍ଗ ସେ ପଦାର୍ଥର ଅନ୍ୟ ଅଙ୍ଗମାନଙ୍କ ସହିତ ମେଳ ଖାଇବା ପାଇଁ କେଉଁ ଅଂଶ କେତେ ଲମ୍ବା ହେବ, କେଉଁ ଅଂଶ କେତେ ଉଚ୍ଚ ବା ଖାଲୁଆ ହେବ, କେଉଁ ଅଂଶ ଅନ୍ୟ କେଉଁ ଅଂଶଠାରୁ କେତେ ଦୂରରେ ରହିବ, ଏହି କେତେ ଗୋଟି ବିଷୟ ଯେଉଁ ଗଢ଼ାଳି ଯେତେ ଅଧିକ ସହଜରେ ଠଉରେଇ ପାରିବେ ଓ ଗଢି ପାରିବେ, ସେ ମୂର୍ତ୍ତି ଗଢ଼ାରେ ସେତିକି ବେଶୀ ଦକ୍ଷତା ହାସଲ କରି ପାରିବେ ।

 

ମୂର୍ତ୍ତି ଗଢ଼ିଲା ବେଳେ ବରାବର ନିଜେ ଅଟକଳ କରୁଥିବ ଯେ, ତାହା ଠିକ୍ ଅସଲ ପଦାର୍ଥ ସଙ୍ଗେ ମେଳ ଖାଉଛି କି ନାହିଁ । ନିଜର ଆଖିକୁ ଅତି ଅଳ୍ପ ଅମେଳ ଦେଖାଗଲେ ତାହାକୁ ସଙ୍ଗେ ସଙ୍ଗେ ସଂଶୋଧନ କରୁଥିବ । ମନୁଷ୍ୟର ଅଙ୍ଗକୁ ସାଧାରଣତଃ ଚିତ୍ର ନିମନ୍ତେ ସାଢ଼େ ଆଠ ଭାଗରେ ବିଭକ୍ତ କରାଯାଏ । ମନୁଷ୍ୟମୂର୍ତ୍ତିର ମୁହଁକୁ ୩ ଭାଗରେ ବାଣ୍ଟିବ । ମନୁଷ୍ୟ ମୂର୍ତ୍ତିର କାନର ସବୁଠାରୁ ନିମ୍ନ ଅଂଶ ନାକଦଣ୍ଡିର ନିମ୍ନ ସୀମା ଏକ ରେଖାରେ ରହିବ । କାନର ସବା ଉପର ଅଂଶ ମୁହଁର ଭ୍ରୁଲତା (ଭ୍ରୁ) ଏକ ରେଖାରେ ସିଧାରେ ରହିବ । ବାଆଁ ଆଖିର ବାଆଁ କୋଣରୁ ଡାହାଣ ଆଖିର ଡାହାଣ କୋଣ ପର୍ଯ୍ୟନ୍ତ ସ୍ଥାନକୁ ସମାନ ତିନି ଭାଗରେ ବାଣ୍ଟିବ । ଦୁଇଆଖି ଦୁଇଭାଗ ଅଂଶ ଅଧିକାର କରିବ ଏବଂ ଦୁଇ ଆଖିର ମଝିରେ ଥିବା ଜାଗା ପ୍ରତ୍ୟେକ ଆଖିର ଲମ୍ବା ସଙ୍ଗେ ସମାନ ହୋଇ ଏକ ଭାଗ ଅଂଶ ଅଧିକାର କରିବ । ହାତର କହୁଣି ଓ ନାଭି ଏକ ରେଖାରେ ରହିବ-। ଲମ୍ବାଇ ହୋଇଥିବା ଦୁଇହାତ ଶେଷ ଅଂଶ ଗୋଡ଼ର ଆଣ୍ଠୁଠାରୁ ପ୍ରାୟ ୮ ଆଙ୍ଗୁଳ ଉପରକୁ ରହିବ । ହାତର ପାପୁଲି ମନୁଷ୍ୟର ମୁହଁର ଲମ୍ବା ସଙ୍ଗେ ସମାନ ହେବ । ତଳିପାର ମାପ ହାତମୁଠାର ବେଢ଼ ସଙ୍ଗେ ସମାନ ହେବ ।

 

ଏହିପରି ଅନ୍ୟ ପଶୁ, ପକ୍ଷୀ ଓ ପଦାର୍ଥମାନଙ୍କର ଭିନ୍ନ ଭିନ୍ନ ଅଙ୍ଗର ପରିମାଣ ସମସ୍ତ ବିଭାଗ କରି ସେହି ଅଟକଳ ରଖି ମୂର୍ତ୍ତି ଗଢିବ । ଏପରି ସୁଘଟଣ କରି ଗଢ଼ିଲେ ଯେ ଯେଉଁ ମୂର୍ତ୍ତି ଗଢ଼ିବେ, ତାହା ଦେଖିବାକୁ ସୁନ୍ଦର ହେବ ।

 

ଏହା ପରେ ଛିଣ୍ଡା କାଗଜର ବ୍ୟବହାର ଓ ଛିଣ୍ଡା କାଗଜକୁ କୁଟି ପାଣିରେ ବତୁରାଇ ଦଳି ତହିଁରେ ମୂର୍ତ୍ତି ଗଢ଼ିବ ପ୍ରଣାଳୀ ବୁଝାଇ ଦିଆଯାଉଅଛି ।

•••

 

ଛିଣ୍ଡା କାଗଜର ବ୍ୟବହାର

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

ପୂର୍ବେ ଆମ ଦେଶରେ ସମସ୍ତ ଲେଖା ପଢ଼ା, ପୋଥି, ପାଞ୍ଜି, ଦଲୀଲ, ଦସ୍ତାବିଜ୍ ଓ ଅନ୍ୟାନ୍ୟ ଗ୍ରନ୍ଥସବୁ ତାଳପତ୍ରରେ ଲେଖା ହେଉଥିଲା । ଲେଖା ପଢ଼ାରେ ତାଳପତ୍ରର ବ୍ୟବହାର ବର୍ତ୍ତମାନ ଏକାବେଳକେ ବନ୍ଦ ହୋଇଗଲାଣି । ଚିଠିପତ୍ର, ଚିଟାଉ, ନିମନ୍ତ୍ରଣ, ସବୁ ଲେଖାପଢ଼ି କାମ ପୂର୍ବେ ସେହି ତାଳପତ୍ର ଲେଖାରେ ଚଳୁଥିଲା । ଲୁହାର ଲେଖନରେ ଲୋକେ ତାଳପତ୍ରରେ ଲେଖୁଥିଲେ । ସବୁ ପାଠୁଆଙ୍କ ଘରେ ତାଳପତ୍ର ଲେଖନ ରହୁଥିଲା । ବର୍ତ୍ତମାନ ଖୋଜିଲେ ଅନେକ ଗ୍ରାମରେ ଲେଖନର ଦେଖା ମିଳେ ନାହିଁ । ଆଧୁନିକ ଶିକ୍ଷିତ ଅଧିକାଂଶ ଯୁବକ ଲେଖନ ଦେଖି ଅଛନ୍ତି କି ନାହିଁ, ସନ୍ଦେହ । କିଛି କାଳ ପରେ ଲେଖନ କିପରି ପଦାର୍ଥ ଥିଲା, ଏକଥା ମଧ୍ୟ ଅନେକଙ୍କର ଧାରଣା ହୋଇ ପାରିବ ନାହିଁ । ପାର୍ଶ୍ୱରେ ଗୋଟିଏ ଲେଖନର ଚିତ୍ର ଦିଆଗଲା । ଏହି ଲେଖନଦ୍ୱାରା ପୂର୍ବେ ଲେଖକମାନେ କେବଳ ଯେ ଲେଖୁଥିଲେ ତାହା ନୁହେଁ, ଏହା ସାହାଯ୍ୟରେ ସେମାନେ ଅନ୍ୟାନ୍ୟ ଅନେକ କାର୍ଯ୍ୟ କରୁଥିଲେ । ଲେଖନର ଉପରିଭାଗଟି ଅର୍ଦ୍ଧବୃତ୍ତାକାର ଓ ଚେପ୍‌ଟା ଅଟେ । ଉପରିଭାଗର ଡାହାଣ ପାଖର ଅଂଶକୁ କାନ କହନ୍ତି ଓ ବାମ ପାଖର ଅଂଶରେ ଗୋଟିଏ ତୀକ୍ଷ୍ଣ ଦାଢ ଅଛି । ସେହି ଦାଢ଼ୁଆ ଅଂଶ ସାହାଯ୍ୟରେ ତାଳପତ୍ର କାଟିବା, ତାଳପତ୍ରରେ ପୋଥି ପ୍ରସ୍ତୁତ କରିବା ଏବଂ ତାଳ ପତ୍ରରେ ନାନାପ୍ରକାର କାରିଗର ଚିଜ ତିଆରି କରାଯାଇ ପାରୁଥିଲା । ଲେଖନର ତଳପାଖଟି ଗୋଟିଏ ଗୋଲ ମୁନିଆ କାଠି । ଏ ମୁନଦ୍ୱାରା ଲେଖାଯାଏ ଓ ତାଳପତ୍ରରେ କଣା କରାଯାଏ । ନାନା ପ୍ରକାର ମୂର୍ତ୍ତି, ଦେଉଳ ଓ ଚିତ୍ର ଆଦି ଏହି ଲେଖନ ଦ୍ୱାରା ତାଳପତ୍ରରେ ଅଙ୍କିତ ହେଉଥିଲା । ତାଳପତ୍ରରେ ଲେଖନଦ୍ୱାରା ଅଙ୍କିତ ଖୁବ ବିଚିତ୍ର ଚିତ୍ର କୌଣସି କୌଣସି ସ୍ଥାନରେ ବର୍ତ୍ତମାନ ସୁରକ୍ଷିତ ହୋଇ ରହିଅଛି । ତାଳପତ୍ରକୁ ବାମ ହାତରେ ଧରି ଆଣ୍ଠୁ ଉପରେ ରଖି ଡାହାଣ ହାତର ଆଙ୍ଗୁଠିମାନଙ୍କ ସାହାଯ୍ୟରେ ଲେଖନ ଚଳାଇବାକୁ ହୁଏ ଓ ଚିତ୍ର କଲା ବେଳେ ଲେଖନ ମୁନର ଚାଳନକୁ ବାମ ହାତର ବୁଢ଼ା ଆଙ୍ଗୁଠି ନିୟନ୍ତ୍ରିତ କରୁଥାଏ । ବୁଝିବାକୁ ଗଲେ ଲେଖନଦ୍ୱାରା ତାଳପତ୍ରରେ ଲେଖିବା ଗୋଟିଏ କଷ୍ଟସାଧ୍ୟ କାରିଗର ଅଟେ । ପାର୍ଶ୍ୱସ୍ଥ ଚିତ୍ରରେ ଲେଖନକୁ ଡାହାଣ ହାତରେ ଧରିବାର ପ୍ରଣାଳୀର ସୂଚନା ଦିଆଗଲା । ସେହି ସମୟରେ ଦେଶର ଅବସ୍ଥା, ସମାଜର ଅବସ୍ଥା, ନାନା ପ୍ରକାର ଶିଳ୍ପ, ଲୋକମାନଙ୍କର ମନୋଗତ ଭାବ ଏବଂ ପୌରାଣିକ ଚିତ୍ର ଇତ୍ୟାଦି ଏହି ଲେଖନ ସାହାଯ୍ୟରେ ଲୋକେ ତାଳପତ୍ରରେ ବିଶଦଭାବରେ ଖୁବ କାରିଗରି ସହିତ ପ୍ରତିଫଳିତ କରିପାରୁଥିଲେ ।

 

ବର୍ତ୍ତମାନ ତାଳପତ୍ରର ବ୍ୟବହାର ଆଉନାହିଁ । କେବଳ କାଗଜରେ ସମସ୍ତ ଲେଖାପଢ଼ା କାର୍ଯ୍ୟ ଚାଲିଅଛି । ପ୍ରତିଦିନ ଅନେକ କାଗଜ ନଷ୍ଟ ହେଉଅଛି । ପ୍ରତିଦିନ ସ୍କୁଲ ଓ କଲେଜ ମାନଙ୍କରେ ଏବଂ ଅଫିସମାନଙ୍କରେ ଅଳିଆ କାଗଜ ଯଥେଷ୍ଟ ଜମା ହେଉଅଛି । ଛାପାଖାନାମାନଙ୍କରୁ ପ୍ରତିଦିନ ଗାଡ଼ି ଗାଡି ରଦି କାଗଜ ଅଳିଆ ଗାଡ଼ିରେ ବୁହା ହୋଇ ଯାଉଅଛି । ଯେତେ ଅଳିଆ କାଗଜ ଆମ୍ଭେମାନେ ନଷ୍ଟ କରି ଦେଉଥାଉଁ ଓ ସମୟ ସମୟରେ ପୋଡ଼ି ଦେଉଥାଉଁ ସେଗୁଡ଼ିକୁ କୌଣସି ପ୍ରକାର କାର୍ଯ୍ୟରେ ଲଗାଇ ପାରିଲେ ତହିଁରୁ ନାନା ପ୍ରକାର ମୂଲ୍ୟବାନ୍ ପଦାର୍ଥ ପ୍ରସ୍ତୁତ ହୋଇ ପାରିବ ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

ଏହି ଛିଣ୍ଡା କାଗଜରେ କଟକର କୁଟୀରଶିଳ୍ପ କାରଖାନାରେ ଅଭଙ୍ଗା କଣ୍ଢେଇ, ଦେଉଳ, ବଡ଼ ବଡ଼ ମୂର୍ତ୍ତି, ଭାରତବର୍ଷର, ଓଡ଼ିଶା ଓ ଅନ୍ୟାନ୍ୟ ଦେଶମାନଙ୍କର ଉଚ୍ଚ ବାଚ ମାନଚିତ୍ର ବା ରିଲିଫ ମାପ୍‌ର (Relief map), ବାକ୍‌ସ, ଟ୍ରଙ୍କ, ସୁ କେସ, ବାଗ୍ ଏବଂ ଅନ୍ୟାନ୍ୟ ଅନେକ ପ୍ରକାର ପଦାର୍ଥ ନିର୍ମିତ ହେଉଅଛି । ପୁଣି ଏହି ଛିଣ୍ଡା କାଗଜରୁ ଆଉ ଥରେ ନୂଆ କାଗଜ ମଧ୍ୟ ତିଆରି କରିବାର ପ୍ରଣାଳୀ ବର୍ତ୍ତମାନ କଂଗ୍ରେସ ସରକାରଙ୍କ ତରଫରୁ ନାନା ସ୍ଥାନରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା ହେଉଅଛି ।

•••

 

ବ୍ୟବହାର ପ୍ରଣାଳୀ

Image

(୫ ନମ୍ବର ଚିତ୍ର)

(୬ ନମ୍ବର ଚିତ୍ର)

ଛିଣ୍ଡା କାଗଜଗୁଡ଼ିକୁ ପ୍ରଥମେ ଖୁବ ଟିକି ଟିକି କରି ଚିରି ସେଗୁଡ଼ିକ ଗୋଟିଏ କୁଣ୍ଡରେ ବା ହାଣ୍ଡିରେ ପାଣିଦେଇ ବତୁରାଇବ । ୫।୭ ଦିନରୁ ୮।୧୦ ଦିନ ପର୍ଯ୍ୟନ୍ତ ତିନ୍ତି ରହିଲେ ସେହି ଗୁଡ଼ିକ ନରମ ହୋଇଯିବ । ସେହି ହାଣ୍ଡିରେ ବା କୁଣ୍ଡରେ କିଛି ସୋଡ଼ା ଓ କିଛି ଲୁଣ ପକାଇଦେଲେ ତହିଁରେ ପୋକ ହେବେ ନାହିଁ ଏବଂ ସେଥିରୁ ସଢ଼ା ଗନ୍ଧ ବାହାରିବ ନାହିଁ । ୮।୧୦ ଦିନ କାଗଜଗୁଡ଼ିକ ଉତ୍ତମରୂପେ ବତୁରିଗଲେ ତାକୁ ପାଣିରୁ ଛାଣି ଚିପୁଡ଼ି ଦେବ ଏବଂ ପ୍ରଥମେ ଗୋଟିଏ ଢିଙ୍କିରେ କୁଟିବ ।

Image

(୭ ନମ୍ବର ଚିତ୍ର)

(୮ ନମ୍ବର ଚିତ୍ର)

ଆଉ ଗୋଟିଏ ହାଣ୍ଡିରେ ମଇଦାର ଅଠା (ଲେହି) ରାନ୍ଧିବ । ମଇଦାକୁ ଆବଶ୍ୟକ ପରିମାଣରେ ପାଣିରେ ଗୋଳାଇ ଦେଇ ତାହାକୁ ନିଆଁ ଉପରେ ବସାଇବ । ଯେତେବେଳେ ତାହା ଗବ ଗବ ହୋଇ ଫୁଟିବ ଏବଂ ସେଥିରୁ ଫୋଟକା ପରି ସ୍ଥାନେ ସ୍ଥାନେ ଉପରକୁ ବାହାରିବ, ତେତେବେଳେ ଅଠା ପ୍ରସ୍ତୁତ ହେଲା ବୋଲି ଜାଣିବ । ସେଥିରୁ ଟିକିଏ କାଠିରେ ଆଣି ହାତର ଦୁଇ ଟିପଦ୍ୱାରା ତାକୁ ଟିପି କରି ପରୀକ୍ଷା କଲେ ତାହା ଟିପକୁ ଅଠାଳିଆ ଲାଗିଲେ ଅଠା ତିଆରି ହେଲା ବୋଲି ଜଣାପଡ଼ିବ । ଏହି ଅଠା ରାନ୍ଧିବା ସମୟରେ ତହିଁରେ ସାମାନ୍ୟ ତୁତିଆଗୁଣ୍ଡା ପକାଇଲେ ସେହି ଅଠା ଯହିଁରେ ବ୍ୟବହାର କରିବ, ତାହାକୁ ଅସରପା ବା ପୋକ କାଟିବେ ନାହିଁ । କୌଣସି ପଦାର୍ଥ ପ୍ରସ୍ତୁତ କରିବାକୁ ହେଲେ ସେଥିନିମନ୍ତେ ଆବଶ୍ୟକୀୟ ପରିମାଣର କୁଟା ହୋଇଥିବା କାଗଜ ନେଇ ତହିଁରେ କିଛି ଅଠା ଗୋଳାଇ ତାହାକୁ ପୁଣି ଗୋଟିଏ ପଥର ଖଲରେ କୁଟି ବା ଶିଳରେ ଉତ୍ତମରୂପେ ବାଟି ଚିକ୍କଣ କରିବ । ଏହାକୁ ଯେତେ ଚିକ୍କଣ କରି ପାରିବ, ତହିଁରେ ଯେଉଁ ପଦାର୍ଥ ପ୍ରସ୍ତୁତ କରିବ ତାହା ତେତେ ସୁନ୍ଦର ହେବ । ପଥରର ଖଲ ବା ଶିଳ ଛଡ଼ା ୮ ନମ୍ବର ଚିତ୍ର ପରି କାଠର ଉଦୁଖଳ ମୁଷଳରେ ଅଠାଗୋଳିଆ କାଗଜ ବିଣ୍ଡାକୁ କୁଟିଲେ ତାହା ଅଳ୍ପ ସମୟ ମଧ୍ୟରେ ଅଧିକ ଚିକ୍କଣ ହୋଇ ପାରିବ ।

•••

 

ଛାଞ୍ଚ

 

ଛୋଟ କଣ୍ଢେଇ, ମୂର୍ତ୍ତି ବା ଜୀବଜନ୍ତୁଙ୍କ ମୂର୍ତ୍ତି ବା ଅନ୍ୟ ଯେ କୌଣସି ମୂର୍ତ୍ତି ତିଆରି କରିବାକୁ ହେଲେ ପ୍ରଥମେ ସେସବୁ ପଦାର୍ଥର ଛାଞ୍ଚ ତିଆରି କରାଇବାକୁ ହେବ । ଯେ କୌଣସି ପ୍ରକାର ଧାତୁର ଛାଞ୍ଚ ହେଲେ ତାହା ସର୍ବୋତ୍କୃଷ୍ଟ ହେବ । କାଠର ମଧ୍ୟ ଛାଞ୍ଚ ଖୋଳାଇ ନେଇ ପାରିବ । ମାଟିର ଛାଞ୍ଚ ବ୍ୟବହାର କରାଯାଇ ପାରେ, ମାତ୍ର ତାହା ଶୀଘ୍ର ଭାଙ୍ଗିଯାଏ । ସିମେଣ୍ଟ୍ ଓ ବାଲି ମିଶାଇ ସେହି ମସଲାରେ ଛାଞ୍ଚ ତିଆରି କରାଇଲେ ଧାତୁର ବା କାଠର ଛାଞ୍ଚ ଅପେକ୍ଷା ଏହା ଅଳ୍ପ ବ୍ୟୟରେ ହେବ ଏବଂ ଅନେକ ଦିନ କାମ ଦେବ । ଧାତୁର ଛାଞ୍ଚ କରିବାକୁ ହେଲେ ବର୍ତ୍ତମାନ ଇଲେକ୍‌ଟ୍ରିକ୍ କରେଣ୍ଟ୍‌ (ବିଜୁଳିତାରର ସ୍ରୋତ) ସାହାଯ୍ୟରେ ଗୋଟିଏ ମୂର୍ତ୍ତି ଉପରେ ସେହି ଧାତୁଗୁଡ଼ିକ ଜମାଇ ଦେଇ ଛାଞ୍ଚ ତିଆରି କରାଯାଏ । ଏହା କରିବା ସାଧାରଣ ଲୋକଙ୍କ ପକ୍ଷରେ ସହଜ ନୁହେଁ, ମଧ୍ୟ ଏଥିରେ ବହୁତ ବ୍ୟୟ ହୁଏ ।

Image

(୯ ନମ୍ବର ଚିତ୍ର)

ଭଲ ବଢ଼େଇ କାରିଗର କାଠର ଛାଞ୍ଚ ଖୋଳି ପ୍ରସ୍ତୁତ କରି ପାରିବେ । ବାଜେ ରକମର କାରିଗର ଭଲ ଛାଞ୍ଚ କରି ପାରିବେ ନାହିଁ ।

 

ସିମେଣ୍ଟ ଓ ବାଲିରେ ଛାଞ୍ଚ କରିବାକୁ ହେଲେ ପ୍ରଥମେ ମାଟିରେ ଉକ୍ତ ବସ୍ତୁଟି ଗଢ଼ି ତହିଁ ଉପରେ ଉପଯୁକ୍ତ ପରିମାଣର ସିମେଣ୍ଟ୍ ଓ ବାଲି ପାଣିରେ ଗୋଳାଇ ଜମାଇ କରି ପ୍ରସ୍ତୁତ କରିବାକୁ ପଡ଼େ । କିଛିକାଳ ଅଭ୍ୟାସ ନ କଲେ ଛାଞ୍ଚ ସୁବିଧାରେ କରାଯାଇ ପାରେ ନାହିଁ । ଯେଉଁ ମାନଙ୍କର ଛାଞ୍ଚ ତିଆରି କରିବା ଅଭ୍ୟାସ ହୋଇଗଲାଣି ଓ ଯେଉଁମାନଙ୍କର ଏଥିରେ ହାତସଫେଇ ହୋଇ ଗଲାଣି ସେହିପରି କାରିଗରଙ୍କଦ୍ୱାରା ଛାଞ୍ଚ କରାଇ ନେବା ଉଚିତ ।

•••

 

ଛାଞ୍ଚର ବ୍ୟବହାର

Image

(୧୦ ନମ୍ବର ଚିତ୍ର)

ଛାଞ୍ଚଗୁଡ଼ିକୁ ଦୁଇ ଫାଳରେ ପ୍ରସ୍ତୁତ କରିବ ଏବଂ ତହିଁର ନିମ୍ନରେ ଗୋଟିଏ ଗର୍ତ୍ତ ରହିବ-। ଛାଞ୍ଚର ଦୁଇ ଫାଳକୁ ଏପରି ବିଭକ୍ତ କରିବାକୁ ହେବ ଯେ, ଛାଞ୍ଚରେ ପଦାର୍ଥଟି ତିଆରି ସରିବା ପରେ ଗଢ଼ା ପଦାର୍ଥକୁ ସହଜରେ ସେଥି ମଧ୍ୟରୁ ବାହାର କରି ନେଇ ପାରିବ ।

 

ଧାତୁର ବା କାଠର ଛାଞ୍ଚ ହେଲେ ତହିଁରେ ଅଠାଗୋଳା କୁଟା ହୋଇଥିବା କାଗଜ ଭର୍ତ୍ତି କରିବା ପୂର୍ବେ ଛାଞ୍ଚ ଭିତରେ କୌଣସି ପ୍ରକାର ତେଲ ଲଗାଇ ଦେବ । ତାହାହେଲେ ଛାଞ୍ଚରେ ଗଢ଼ା ହେବା ପଦାର୍ଥ ଛାଞ୍ଚରେ ଲାଗିଯିବ ନାହିଁ ଓ ସହଜରେ ଛାଞ୍ଚରୁ ବାହାରି ଆସିବ । ମାଟିର ବା ସିମେଣ୍ଟ୍‌ର ଛାଞ୍ଚ ହେଲେ ଭିତରେ ତେଲ ଲଗାଇ ପାର କିମ୍ବା ପ୍ରଥମେ ଛାଞ୍ଚ ଭିତରେ ଖଣ୍ଡିଏ ସରୁ କନା ଓଦା କରି ପାରି ଦେବ । ତା ପରେ ତହିଁରେ ଅଠାମିଶା କୁଟା ହୋଇଥିବା କାଗଜ ବିଣ୍ଡା ପୂରାଇଲେ ପଦାର୍ଥକୁ ଉଠାଇ ଆଣିବାକୁ ଆହୁରି ସହଜ ହେବ । ଛାଞ୍ଚର ଦୁଇଟି ଫାଳକୁ ପ୍ରଥମେ ପୃଥକ୍ ପୃଥକ୍ କରି ଅଠାଗୋଳିଆ କୁଟା କାଗଜ ବିଣ୍ଡାରେ ପୂର୍ଣ୍ଣ କରିବ । ତା ପରେ ଦୁଇଟି ଫାଳକୁ ଏକାଠି ଯୋଡ଼ିଦେବ । ଛାଞ୍ଚର ଚାରିପାଖରେ ଦେଖିବ, ଯେପରି ଛାଞ୍ଚର ଦୁଇଫାଳ ଯାକ ସମାନ ହୋଇ ଖାପ ଖାଇ ଲାଗିଯାଇଛି । ତା ପରେ ଛାଞ୍ଚ ଦୁଇ ଫାଳକୁ ଉତ୍ତମରୂପେ ଚିପିଦେବ । ଛାଞ୍ଚରେ ଥିବା ଗାତମାନଙ୍କ ଭିତରେ ଆଙ୍ଗୁଠି ପୂରାଇ ଉତ୍ତମରୂପେ ଛାଞ୍ଚ ଦୁଇ ଫାଳର ସନ୍ଧି ମୁହଁରେ କାଗଜ ବିଣ୍ଡାକୁ ଆଙ୍ଗୁଠିଦ୍ୱାରା ଚିପିଚିପି ବସାଇ ଦେବ, ଯେପରି ଚାରିଆଡ଼େ ତାହା ସମାନ ହୋଇ ମିଶିଯିବ ଓ ଠିକ୍ ହୋଇ ବସିଯିବ । ଆଉ ଅଧିକ କାଗଜ ବିଣ୍ଡା ଦେବାର ଆବଶ୍ୟକ ହେଲେ ସେହି ଗାତବାଟେ କୁଟାକାଗଜ ପୂରାଇ ତାହାକୁ ପୂର୍ଣ୍ଣ କରିଦେବ । ବେଶୀ ବଡ଼ ପଦାର୍ଥ ହେଲେ ଭିତରଟି ପୂର୍ଣ୍ଣ କରିବାପାଇଁ ଦର କୁଟା କାଗଜରେ ପେଟଭିତର ପୂର୍ଣ୍ଣ କରାଯାଇପାରେ । ତା ପରେ ଗୋଟିଏ ଫାଳ ଛାଞ୍ଚ ଉଠାଇନେବ । ତହିଁର କନା ଖଣ୍ଡିକ ମଧ୍ୟ ବାହାର କରି ନେବ । ତେତେବେଳେ ଦେଖିବ ଯେବେ ଗଢ଼ା ହେବା ପଦାର୍ଥର ଚାରି ପାଖରେ କୌଣସି ଜାଗାରେ କିଛି ଅଂଶ ଅଧିକା ହୋଇ ବାହାରି ପଡ଼ିଛି, ତେବେ ସେ ବହକା ଅଂଶମାନଙ୍କୁ ଖଣ୍ଡିଏ ବାଉଁଶପାତିଆ ବା ଛୁରୀଦ୍ୱାରା ଆସ୍ତେ ଆସ୍ତେ ତାଞ୍ଛି କାଢ଼ିଦେବ । ଯେଉଁଠାରେ ସେ ପଦାର୍ଥକୁ ମାଠିବାର ଆବଶ୍ୟକ ହେବ ସେଠାରେ ତାହାକୁ ସେହି ପାତିଆଦ୍ୱାରା ମାଠିଦେବ । ତା ପରେ ଛାଞ୍ଚର ଅନ୍ୟ ଫାଳରୁ ପଦାର୍ଥଟି ବାହାର କରି ନେବ । ତହିଁ ଉପରେ ପୁଣି ସେହି ବାଉଁଶପାତିଆକୁ ଘସି ତାହାକୁ ଚିକ୍କଣ କରିଦେବ । ତା ପରେ ଖରାରେ ଶୁଖାଇ ଦେବ ।

Image

(୧୧ ନମ୍ବର ଚିତ୍ର)

ଛାଞ୍ଚ ତିଆରି ପଦାର୍ଥକୁ ଘସିବାପାଇଁ ଓ ଚିକ୍କଣ କରିବାପାଇଁ ଛୁରୀ ଅପେକ୍ଷା ବାଉଁଶ ପାତିଆ ଅଧିକ ସୁବିଧାଜନକ । ଏହି ପାତିଆଖଣ୍ଡ ଛାଞ୍ଚରେ ପଦାର୍ଥ ତିଆରି କଲାବାଲା ନିଜ ହାତରେ ସହଜରେ କରିଦେଇ ପାରିବେ । ପାର୍ଶ୍ୱର ୧୧ ନମ୍ବର ଚିତ୍ରର ୧ମ ଚିତ୍ର ପରି ଏହା କେବଳ ଖଣ୍ଡିଏ ବାଉଁଶ ପାତିଆ । ଏହାର ଗୋଟିଏ ପାଖ ବାଉଁଶ ଉପରର ଚିକ୍କଣ ପାଖ । ପାତିଆର ଗୋଟିଏ ମୁଣ୍ଡକୁ ଅଳ୍ପ ଗୋଜିଆ କରିଦେବ । ଏହାକୁ ବ୍ୟବହାର ଅନୁସାରେ ଭିନ୍ନ ଭିନ୍ନ ଆକାରର କରାଯାଇ ପାରେ । ମୂର୍ତ୍ତି ଗଢ଼ିବାପାଇଁ ଲୋଡ଼ା ନାନା ପ୍ରକାରର କାଠି-ଗୋଲ, ଚେପଟା, ଅଧାଗୋଲ ଇତ୍ୟାଦି ଆକାରରେ କାଠରେ ତିଆରି ହୋଇ ଦୋକାନରେ ବିକ୍ରୟ ହୁଏ । ଯେ ଇଚ୍ଛା କରିବେ ସେ ସମସ୍ତ କାଠି ଖରିଦ କରିଆଣି ବ୍ୟବହାର କରି ପାରିବେ । ମୂର୍ତ୍ତି ଗଢ଼ିବା ନିମନ୍ତେ ସେହିପରି କାଠିସବୁ ବ୍ୟବହାର କଲେ ମୂର୍ତ୍ତି ଗଢ଼ାରେ ବିଶେଷ ସୁବିଧା ହେବ, ସନ୍ଦେହ ନାହିଁ । ତଥାପି ଏହି ନିଜର ହାତତିଆରି ବାଉଁଶପାତିଆଦ୍ୱାରା ସେହି ସବୁ କାର୍ଯ୍ୟ ସହଜରେ କରାଯାଇ ପାରିବ ।

Image

(୧୨ ନମ୍ବର ଚିତ୍ର)

ଛାଞ୍ଚରୁ କାଢ଼ି ପଦାର୍ଥଗୁଡ଼ିକ ଉପରୋକ୍ତ ମତେ ତାଞ୍ଛି ଓ ମାଠି ଦେଇ ସେଗୁଡ଼ିକୁ ଖରାରେ ଶୁଖାଇଦେଲେ ଶୁଖି ଯାଇ ସେମାନଙ୍କର ଆକାରରେ ବିଶେଷ ବିକୃତି ଘଟିଯାଏ । ସେଥିପାଇଁ କୁଟା ହୋଇଥିବା କାଗଜକୁ ପଥର ଖାଲରେ ବା ଶିଳରେ ଆହୁରି ଉତ୍ତମରୂପେ ଚିକ୍କଣ କରି ବାଟି ତାହାକୁ ଉପରୋକ୍ତ ବାଉଁଶପାତିଆଦ୍ୱାରା ଶୁଖିଲା ପଦାର୍ଥଗୁଡ଼ିକ ଉପରେ ଆଉ ଥରେ ଲେପ ଦେବ । ଏକପରସ୍ତ ଲେପ ଦେଇ ଏବଂ ଯେଉଁଠାରେ ଲାଗିଥିବ ବା ନ ଲାଗିଥିବ ବା କୌଣସି ଅଂଶ ଅସମ୍ପୂର୍ଣ୍ଣ ଥିବ, ସେଠାରେ କିଛି ବେଶୀ ଚିକ୍କଣ କୁଟା କାଗଜ ଦେଇ ତାହାକୁ ପୂରଣ କରି ପଦାର୍ଥକୁ ଉପଯୁକ୍ତ ଆକାରରେ ପରିଣତ କରିବ । ତା ପରେ ପାତିଆଦ୍ୱାରା ଘସି ଯଥାସମ୍ଭବ ଚିକ୍କଣ କରିବ । ପଦାର୍ଥକୁ ଶେଷଥର ଘସିବା ବେଳେ ଆପଣା ଆଗରେ ଗୋଟିଏ ଆଦର୍ଶ ରଖିଥିବ-। ସେହି ଆଦର୍ଶକୁ ଥରକୁଥର ନିରେଖି କରି ଦେଖି ପଦାର୍ଥର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ସଜାଡ଼ିଦେବ ଏବଂ ତାହାକୁ ଖରାରେ ଶୁଖାଇଦେବ । ତାହା ଉତ୍ତମରୂପେ ଶୁଖିଗଲେ ପଦାର୍ଥଗୁଡ଼ିକ ଖୁବ ଟାଣୁଆ ହୋଇଯିବ । ତେତେବେଳେ ଯେବେ କୌଣସି ଅଂଶ ଅଧିକ ଉଚ୍ଚ ହୋଇଥିବା ଦେଖାଯିବ, ତେବେ ତାହାକୁ ଉହାଦ୍ୱାରା ଘସି ସମାନ କରି ଅନ୍ୟ ଅଂଶ ସଙ୍ଗେ ମିଶାଇ ଦେବ । କୌଣସିଠାରେ ଖାଲ ହୋଇଥିଲେ ତହିଁରେ ଅଧିକ ଚିକ୍କଣା କୁଟା କାଗଜ ଦେଇ ସେ ଖାଲକୁ ପୂର୍ଣ୍ଣ କରିବ । ଶେଷରେ ସେ ପଦାର୍ଥକୁ ଶୁଖାଇଦେବ । ତାହା ଉତ୍ତମରୂପେ ଶୁଖିଗଲେ ତାହାକୁ ଘସି ପାଲିସ କରିବ । ସାଧାରଣତଃ ଉହାଦ୍ୱାରା ଘସି ଏହା ପାଲିସ କରିବାକୁ ହୁଏ । ଶେଷରେ ସିରିଷ କାଗଜରେ ଥରେ ଘସି ତା ପରେ ରଙ୍ଗ କରିବ ।

 

କାଗଜକୁ ଯେବେ ପ୍ରଥମରୁ ଭଲ କରି ଚିପୁଡ଼ି ତହିଁରୁ ପାଣି ବାହାର କରି ଦେଇଥିବ ଏବଂ ତାହାକୁ ଭଲ କରି କୁଟି ଚିକ୍କଣ କରିଥିବ, ତେବେ ଛାଞ୍ଚରେ ଗଢ଼ିସାରି ଖରାରେ ଶୁଖାଇଲା ପରେ ତହିଁରେ ବିଶେଷ ବିକୃତି ଘଟିବ ନାହିଁ ଓ ପାଲିସ କରିବାକୁ ମଧ୍ୟ ଅଧିକ ପରିଶ୍ରମ ପଡ଼ିବ ନାହିଁ ।

Image

(୧୩ ନମ୍ବର ଚିତ୍ର)

(୧୪ ନମ୍ବର ଚିତ୍ର)

ଟ୍ରଙ୍କ, ବାକ୍ସ, ପ୍ରଭୃତି ନିମନ୍ତେ ଛାଞ୍ଚ ପ୍ରୟୋଜନ ନାହିଁ । ପ୍ରଥମେ କାଠର ବା ବାଉଁଶର ଚାଞ୍ଚରେ ବା ତଲେଇରେ ଟ୍ରଙ୍କର ‘ଫରମା’ କଲେ ତହିଁର ଦାଢ଼ରେ ଭିତର ପାଖକୁ କାଠର ପଟା ଖଣ୍ଡିଏ ଖଣ୍ଡିଏ ଲଗାଇଥିବ । ତାହା ନ କଲେ ଟ୍ରଙ୍କରେ ବା ବାକ୍‌ସରେ କବଜା ବା ତାଲା ଲଗାଇବାକୁ ସୁବିଧା ହେବ ନାହିଁ । ଫରମାଟି ପ୍ରସ୍ତୁତ ହେଲା ପରେ ତହିଁ ଉପରେ ଓ ତଳେ ଦୁଇ ପାଖରେ ବଟାକାଗଜ ଗୋଟିଏ ଛୋଟ କରୁଣି ବା ବାଉଁଶପାତିଆଦ୍ୱାରା ଲଗାଇ ତାହାକୁ ଘସି ଚିକ୍କଣ କରିବ ଏବଂ ଶୁଖାଇ ଦେବ । ଶୁଖିଗଲେ ସିରିଷ କାଗଜଦ୍ୱାରା ଘସି ପାଲିସ କରି ରଙ୍ଗ ଲଗାଇବ ।

•••

 

କଣ୍ଢେଇ ପୋଡ଼ିବା

 

ସ୍କୁଲମାନଙ୍କରେ ଏବଂ କେତେକ ଗ୍ରାମରେ ଅନେକ ଲୋକ ମୂର୍ତ୍ତି ଗଢ଼ନ୍ତି । କେତେକ ସ୍ଥାନରେ ଅଭଙ୍ଗା କଣ୍ଢେଇ ଗଢ଼ିବାକୁ ଶିକ୍ଷା କଲେଣି । ଆଉ କେତେକ ସ୍ଥାନରେ କେବଳ ମାଟିର ମୂର୍ତ୍ତି ଗଢ଼ୁଛନ୍ତି । ମାଟିରେ ମୂର୍ତ୍ତି ଗଢ଼ିବା ସମ୍ବନ୍ଧରେ କେତେକ ବିଷୟ ପୂର୍ବେ ବର୍ଣ୍ଣିତ ହୋଇଅଛି । କଟକ ସହରରେ ମାଟିରେ ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି ହୁଏ । ସ୍କୁଲମାନଙ୍କରେ ଓ ଅନ୍ୟାନ୍ୟ ଅନେକ ସ୍ଥଳରେ ଯେଉଁ ସବୁ ମାଟିର କଣ୍ଢେଇ ତିଆରି ହେଉଅଛି, ସେମାନଙ୍କ ମଧ୍ୟରୁ ଅନେକ ମୂର୍ତ୍ତି ଓ ଜୀବଜନ୍ତୁ ବେଶ ସୁନ୍ଦର ହେଉଅଛି । ଅନେକ ସ୍ଥଳରେ ପୋଡ଼ା ନ ହେବାରୁ ମୂର୍ତ୍ତି ଗଢ଼ାଳୀମାନେ ତାହାର କୌଣସି ସଦ୍‌ବ୍ୟବହାର କରି ପାରୁ ନାହାନ୍ତି । ସେଗୁଡ଼ିକ ଯେବେ ପୋଡ଼ା ହୁଅନ୍ତା, ତାହାହେଲେ ସେ ସବୁକୁ ଚିତ୍ରିତ କଲେ ସେମାନ ସହଜରେ ବିକ୍ରି ହୁଅନ୍ତା । ମୂର୍ତ୍ତି ଗଢ଼ାଳୀମାନଙ୍କର କଣ୍ଢେଇ ପୋଡ଼ି ଜାଣିବା ଓ ତାହାକୁ ଚିତ୍ର କରି ଶିଖିବା ବିଶେଷ ଦରକାର । ଅଭଙ୍ଗା କଣ୍ଢେଇ ପୋଡ଼ିବାର ଆବଶ୍ୟକ ହୁଏ ନାହିଁ । ତାହାକୁ କେବଳ ଘସି ପାଲିସ କରି ରଙ୍ଗ କରି ଶିଖିଲେ ଯଥେଷ୍ଟ ହେବ । ମାଟି କଣ୍ଢେଇ ନ ପୋଡ଼ିଲେ ତାହା ଶୀଘ୍ର ନଷ୍ଟ ହୁଏ ।

Image

(୧ ନମ୍ବର ଚିତ୍ର)

ମାଟି କଣ୍ଢେଇ ପୋଡ଼ିବା ଖୁବ୍‌ ସହଜ । କଣ୍ଢେଇ ଗଢ଼ିବା ନିମନ୍ତେ ଯେତେ ବୁଦ୍ଧି, ବିବେଚନା, ପରିଶ୍ରମ ଓ ହାତର କୌଶଳ ଆବଶ୍ୟକ, ପୋଡ଼ିବାପାଇଁ ସେପରି କିଛି ପ୍ରୟୋଜନ ନାହିଁ । କେବଳ ଗୋଟିଏ ଚୁଲ୍ଲୀ କରି ପାରିଲେ ପୋଡ଼ିବା କାର୍ଯ୍ୟ ସହଜରେ ହୋଇ ପାରିବ । ଯାହାର ଯେପରି ଆବଶ୍ୟକ ସେ ସେହିପରି ଛୋଟ ବା ବଡ଼ ଚୁଲ୍ଲୀ ଗୋଟିଏ ତିଆରି କରି ପାରିବେ-। ଆହୁରି ଖୁବ୍ କମ୍ ସଂଖ୍ୟକ ଏବଂ ଛୋଟ ଛୋଟ କଣ୍ଢେଇ ପୋଡ଼ିବାକୁ ହେଲେ ଗୋଟିଏ ହାଣ୍ଡିରେ ପୂରାଇ ଯେ ଯାହାର ଘରେ ଅବା ସାଧାରଣ ଚୁଲ୍ଲୀରେ ମଧ୍ୟ ସେଗୁଡ଼ିକ ପୋଡ଼ିନେଇ ପାରିବେ ।

•••

 

କଣ୍ଢେଇପୋଡ଼ା ଚୁଲ୍ଲୀ

 

ଗୋଟିଏ ଛୋଟ ଚୁଲ୍ଲୀ କରିବାକୁ ହେଲେ ଯେ କୌଣସି ସ୍ଥାନରେ ଗୋଟିଏ ଗାତ ଖୋଳିବ । ଗାତଟିର ବ୍ୟାସ ୩ ଫୁଟ ଏବଂ ଗଭୀର ୩ ଫୁଟ୍ କରିବ । ଗାତ ଭିତରେ ୪ କୋଣରେ ୪ ଗୋଟି ଝିଙ୍କା ଗଢ଼ିବ, ଏହି ଝିଙ୍କାଗୁଡ଼ିକ ଇଟାରେ କଲେ ସୁବିଧା ହେବ ସେଗୁଡ଼ିକ ଏକ ଫୁଟ କରି ଉଚ୍ଚ କରିବ । ସେହି ଝିଙ୍କାଗୁଡ଼ିକ ଉପରେ ଖଣ୍ଡିଏ ଖଣ୍ଡିଏ ଲୁହା ଗଜ ବା ଭଙ୍ଗା କୂଅନନ୍ଦ ବା ମୋଟା ଲୁହାପାତ ଖଞ୍ଜି ଦେବ ଯେପରି ମଝି ସ୍ଥାନଟି ବେଶ୍ ଜାଲି ହୋଇ ରହିବ । ଏହି ଜାଲି ଓ ଝିଙ୍କା ଉପର ସ୍ଥାନରେ କଣ୍ଢେଇଗୁଡ଼ିକ ପୋଡ଼ା ହେବାପାଇଁ ସଜାଇ କରି ରଖିବାକୁ ହେବ । ତେଣୁ କଣ୍ଢେଇଗୁଡ଼ିକ ସେ ଜାଲି ଭିତରେ ଯେପରି ଗଳି ନ ପଡ଼େ ସେହି ଅନୁସାରେ ଏହି ଜାଲି କରିବ । ଗାତର ଏକପାଖରେ-ନମ୍ବର ଚିତ୍ର ପରି ଗୋଟିର ଚୁଲ୍ଲୀର ମୁହଁ ଖୋଲିବ । ସେହି ମୁହଁଟି ଚୁଲ୍ଲୀଗାତ ସୀମାରୁ ପ୍ରାୟ ୧.୫ଫୁଟରୁ ୨ ଫୁଟ ବାହାର ପର୍ଯ୍ୟନ୍ତ ଖୋଳା ହେବ ତାହାର ଚଉଡ଼ା ମଧ୍ୟ ଦେଢ଼ ଫୁଟ ପର୍ଯ୍ୟନ୍ତ ହେବ । ଗାତର ସୀମାରୁ ପଦାକୁ ଏକ ଫୁଟ ପର୍ଯ୍ୟନ୍ତ ମୁହଁ ଉପରେ ବନ୍ଦ କରିଦେବ ।

Image

(୨ ନମ୍ବର ଚିତ୍ର)

କଣ୍ଢେଇଗୁଡ଼ିକ ଚୁଲ୍ଲୀ ଭିତରେ ସଜା ହୋଇଥିବା ଝିଙ୍କା ଉପରର ସ୍ଥାନଟିରେ ଗୋଟିଏ ପରସ୍ତ ଖଞ୍ଜିଦେବ । ସେ ପରସ୍ତକ ଉପରେ ଅଙ୍ଗାର, ତୁଷ, ଘସି, ଗୁଣ୍ଡା ବା ସହଜରେ ଜଳିବା ଅନ୍ୟ ଜିନିସ ବିଛାଇବ । ତହିଁ ଉପରେ ଆଉ ଏକ ପରସ୍ତ କଣ୍ଢେଇ ରଖିବ । ପୁଣି ତହିଁଉପରେ ସେହିପରି ଅଙ୍ଗାର, ଘସି, ଗୁଣ୍ଡା ଏବଂ କାଠ ଓ ତୁଷ ଆଦି ବିଛାଇବ । ଏହିପରି ଗାତଟିରେ ଯେତେଗୁଡ଼ିଏ କଣ୍ଢେଇ ସମ୍ଭେଇବ, ପରସ୍ତକୁ ପରସ୍ତ କଣ୍ଢେଇ ଖଞ୍ଜିବ । ଗାତଟି ପୂର୍ଣ୍ଣ ହୋଇଗଲେ ତହିଁ ଉପରେ ଅଙ୍ଗାର, ଘସି ଆଦି ଜାଳ ଦେଇ ଉତ୍ତମରୂପେ ଭଙ୍ଗା ଖପରା ଓ ହାଣ୍ଡିର ଛେଲୁଆ ଆଦି ଦେଇ ବନ୍ଦ କରିଦେବ । ମାତ୍ର ମାଟି ଲେସି ବନ୍ଦ କରିବାର ଆବଶ୍ୟକ ହେବ ନାହିଁ ।

 

ଏଥର ଚୁଲ୍ଲୀମୁହଁରେ ଅଳ୍ପ ଅଳ୍ପ ନିଆଁ ଦୁଇ ତିନି ଘଣ୍ଟା ବା ତହିଁରୁ ଅଧିକ ସମୟ ପର୍ଯ୍ୟନ୍ତ ଜଳାଇ କରି ରଖିବ । ଅର୍ଥାତ୍ ଖଣ୍ଡେ ଦୁଇଖଣ୍ଡ କାଠ ଲଗାଇ ତାହା ସେହି ଚୁଲ୍ଲୀମୁହଁରେ ପକାଇ ଦେଇଥିବ; ଯେପରି ଉତ୍ତାପ ଆସ୍ତେ ଆସ୍ତେ ଚୁଲ୍ଲୀ ଭିତରକୁ ଯିବ ମାତ୍ର ହଠାତ୍ ଅଧିକ ଉତ୍ତାପ କଣ୍ଢେଇରେ ଲାଗିବ ନାହିଁ । ଏହିପରି ଅଳ୍ପ ଉତ୍ତାପରେ କଣ୍ଢେଇ ଗୁଡ଼ିକ ତାତିଗଲେ ତା ପରେ ଉତ୍ତମ ରୂପେ ଚୁଲ୍ଲୀ ଭିତରକୁ ନିଆଁ ଜାଳିବ । ସମୁଦାୟ କଣ୍ଢେଇଗୁଡ଼ିକ ଉତ୍ତମରୂପେ ପୋଡ଼ି ନାଲି ହୋଇ ଯିବା ପର୍ଯ୍ୟନ୍ତ ଚୁଲ୍ଲୀରେ ଭଲ କରି ଜାଳ ଜାଳିଦେବ । ନିଆଁର ଉତ୍ତାପ ଅନୁସାରେ କଣ୍ଢେଇଗୁଡ଼ିକ ଠିକ୍ ପୋଡ଼ି ହେବାପାଇଁ ଦୁଇ ତିନି ଘଣ୍ଟା ବା ତହିଁରୁ କିଛି ଅଧିକ ସମୟ ଲାଗି ପାରେ । ଯେତେ ବେଳେ ଘୋଡ଼ଣିକୁ ଉଠାଇ ଦେଖି ପାରିବ ଯେ, ସବୁ କଣ୍ଢେଇଗୁଡ଼ିକ ପୋଡ଼ି ନାଲି ହୋଇଗଲାଣି, ତେତେବେଳେ ଜାଳ ବନ୍ଦ କରିବ । ତା ପରେ ଚୁଲ୍ଲୀ ଆପେ ଲିଭି ସମ୍ପୂର୍ଣ୍ଣ ଥଣ୍ଡା ହୋଇଯିବା ପର୍ଯ୍ୟନ୍ତ ଅପେକ୍ଷା କରିବ । ନିଆଁ ଲିଭି ଚୁଲ୍ଲୀ ଥଣ୍ଡା ହୋଇଗଲେ କଣ୍ଢେଇଗୁଡ଼ିକ କାଢ଼ି ଆଣିବ ।

•••

 

ହାଣ୍ଡିରେ କଣ୍ଢେଇ ପୋଡ଼ିବା

 

ଯେଉଁମାନେ ଖୁବ୍‌ ଅଳ୍ପ ସଂଖ୍ୟାରେ ଛୋଟ ଛୋଟ କଣ୍ଢେଇ ପୋଡ଼ିବାକୁ ଇଚ୍ଛା କରିବେ, ସେମାନେ କେବଳ ଗୋଟିଏ ହାଣ୍ଡିରେ ତାହା ସହଜରେ ପୋଡ଼ି ପାରିବେ । ଏଥିପାଇଁ କଣ୍ଢେଇଗୁଡ଼ିକ ଧରିବା ଭଳି ଗୋଟିଏ ହାଣ୍ଡି ନେବ । ତହିଁର ତଳାଟି ପ୍ରାୟ ୬ ଇଞ୍ଚ ଚଉଡ଼ାରେ ଭାଙ୍ଗିଦେବ । ତହିଁରେ ୪।୫ଖଣ୍ଡ ଲୁହାପାତ ଛକି କରି ଖଞ୍ଜିଦେବ । ଏହାରି ଉପରେ ପୋଡ଼ିବାପାଇଁ କଣ୍ଢେଇଗୁଡ଼ିକ ସଜାଇବାକୁ ହେବ । ପାତକୁ ତହିଁଉପରେ ଏପରି ଖଞ୍ଜିବ, ଯେପରି ତାହା ଜାଲିଭଳି ହୋଇ ରହିବ । ପ୍ରଥମେ ଏକ ପରସ୍ତ କଣ୍ଢେଇ ତହିଁ ଭିତରେ ସଜାଇ ଦେବ, ତା ଉପରେ କୋଇଲା, ଘସି, ଗୁଣ୍ଡା ଆଦି ଜାଳ ଦେବ । ପୁଣି ତହିଁ ଉପରେ ଆଉ ଏକପରସ୍ତ କଣ୍ଢେଇ ଦେବ । ତହିଁ ଉପରେ କୋଇଲା, ଘସି, ଗୁଣ୍ଡା ଓ ତୁଷ ଆଦି ପକାଇବ । ଏହିପରି ପରସ୍ତକୁ ପରସ୍ତ କଣ୍ଢେଇ ଓ କୋଇଲା ଆଦି ଦେଇ ହାଣ୍ଡି ମୁହଁପର୍ଯ୍ୟନ୍ତ ପୂର୍ଣ୍ଣ କରିଦେବ । ତହିଁ ଉପରେ ଗୋଟିଏ ପଲମ ଘୋଡ଼ାଇ ଦେବ ।

Image

(୩ ନମ୍ବର ଚିତ୍ର)

ପ୍ରଥମେ ହାଣ୍ଡିଟିକୁ ଗୋଟିଏ ଲିଭିଲା ଚୁଲ୍ଲୀ ଉପରେ ବସାଇଦେବ । କିମ୍ବା ଚୁଲ୍ଲୀରେ ବସାଇ ଖଣ୍ଡେ କାଠ ଲଗାଇ ପକାଇ ଦେବ; ଯେପରି ତାହା ଖୁବ୍‌ ଅଳ୍ପ ଅଳ୍ପ ଜଳି କଣ୍ଢେଇଗୁଡ଼ିକୁ ଧୀରେ ଧୀରେ ଖାଲି ଗରମ କରିବ । ଏହିପରି ଦୁଇଘଣ୍ଟା ପର୍ଯ୍ୟନ୍ତ ଗରମ ହେଲା ପର ଉତ୍ତମରୂପେ ଚୁଲ୍ଲୀରେ ନିଆଁ ଜାଳିବ । ପଲମ ଉଠାଇ ଥରେ ଥରେ ଦେଖୁଥିବ, ଯେତେବେଳେ ହାଣ୍ଡି ଭିତରେ ସମସ୍ତ କଣ୍ଢେଇଗୁଡ଼ିକ ସମ୍ପୂର୍ଣ୍ଣ ନାଲି ହୋଇଯିବାର ଦେଖିବ, ତେତେବେଳେ ଜାଳ ବନ୍ଦ କରିବ ଏବଂ ଅପେକ୍ଷା କରିବ । ଚୁଲ୍ଲୀର ନିଆଁ ଏବଂ ହାଣ୍ଡି ଭିତରର ନିଆଁ ଆପେ ଲିଭି ହାଣ୍ଡି ସମ୍ପୂର୍ଣ୍ଣ ଥଣ୍ଡା ହୋଇଗଲେ ପଲମ କାଢ଼ି ତହିଁରୁ କଣ୍ଢେଇପାକ ବ୍ୟବହାର କରିନେବ ।

•••

 

ଚିତ୍ର କରିବା

 

କଣ୍ଢେଇଗୁଡ଼ିକ ଚିତ୍ର ନ ହେଲେ ତାହା କେହି ଆଦର କରନ୍ତି ନାହିଁ । ଚିତ୍ରବିଦ୍ୟା ଗୋଟିଏ କଠିନ କାର୍ଯ୍ୟ । ଏହା ଉତ୍ତମରୂପେ ଶିକ୍ଷା କରିବା ଆବଶ୍ୟକ । ସାଧାରଣତଃ ସ୍କୁଲମାନଙ୍କରେ ଓ ସମସ୍ତ ପ୍ରଥମ ଶିଖାଳିମାନଙ୍କୁ ସରଳରେଖା, ବୃତ୍ତ, ଚତୁଷ୍କୋଣ, ତ୍ରିଭୁଜ, ଷଡ଼୍‌ଭୁଜ ପ୍ରଭୃତି କ୍ଷେତ୍ର ଆଙ୍କିବାକୁ ଦିଆଯାଏ ଓ ସେଗୁଡ଼ିକ ବାରମ୍ବାର ଅଙ୍କାଇ ସେମାନଙ୍କର ହାତ ସିଧା କରିବାର ଚେଷ୍ଟା କରାଯାଏ । ଏହାସବୁ ବାରମ୍ବାର ଆଙ୍କି ହାତ ସିଧା ହୋଇଗଲେ ତା ପରେ କ୍ରମେ ଗୋଟିଏ ପଦାର୍ଥ ଅଙ୍କନ କରିବାକୁ ଦିଆଯାଏ । ପଦାର୍ଥ ମଧ୍ୟରେ ପ୍ରଥମେ ଗିଲାସ, ବାଟି ନେଟ, ଫଳ, ପତର ପ୍ରଭୃତି ସରଳ ପଦାର୍ଥମାନ ବାଛି ବାଛି ଆଙ୍କିବା ପରେ କ୍ରମେ କ୍ରମେ ଅନ୍ୟାନ୍ୟ ଚିତ୍ର ଆଙ୍କିବାକୁ ଶିକ୍ଷା ଦିଆଯାଏ । ଏଥିରେ ପ୍ରଥମ ଶିଖାଳିମାନଙ୍କର ଶିଖିବାବେଳେ ବିଶେଷ ଆନନ୍ଦ ହୁଏ ନାହିଁ, ବରଂ ପିଲାମାନଙ୍କର ଧୈର୍ଯ୍ୟ ନଷ୍ଟ ହୁଏ । ପଛକୁ ଅନେକଙ୍କର ଆଉ ସେ ଦିଗକୁ ପ୍ରବୃତ୍ତି ହୁଏ ନାହିଁ ।

Image

(୧ ନମ୍ବର ଚିତ୍ର)

ଚିତ୍ର ଅଙ୍କନ ଶିଖାଇବା ନିମନ୍ତେ ଏପରି ପନ୍ଥା ଧରିବା ଆବଶ୍ୟକ, ଯହିଁରେ ପିଲାମାନେ ପ୍ରଥମରୁ ଚିତ୍ରବିଦ୍ୟା ଶିଖିବାବେଳେ ଆନନ୍ଦ ଅନୁଭବ କରି ପାରିବେ । ତାହାହେଲେ ଚିତ୍ରବିଦ୍ୟା ପ୍ରତି କ୍ରମେ ସେମାନଙ୍କର ଆଗ୍ରହ ଓ ଶ୍ରଦ୍ଧା ବଢ଼ିବ । ପ୍ରଥମରୁ ନୀରସ ପଦାର୍ଥ ଗୁଡ଼ିଏ ଆଙ୍କିବାକୁ ନ ଦେଇ ଯେବେ ସେମାନେ ପ୍ରତିଦିନ ଦେଖୁଥିବା ଓ ବ୍ୟବହାର କରୁଥିବା ପଦାର୍ଥର ଚିତ୍ର କିପରି ସହଜରେ ଚିତ୍ରରେ ଉତ୍ତାରି ପାରିବେ, ଏହିପରି ବାଟ ଧରାଇ ଦିଆଯାଏ, ତେବେ ନିଶ୍ଚୟ ସେମାନଙ୍କର ଆହୁରି ଅନ୍ୟାନ୍ୟ ପଦାର୍ଥମାନ ଆଙ୍କିବାପାଇଁ ପ୍ରବୃତ୍ତ ବଢ଼ିବ ଏବଂ ଚିତ୍ର ଅଙ୍କନରେ ଉତ୍ସାହ ବଢ଼ିବ । ଯଥା :– କମଳାଲେମ୍ବୁ ପ୍ରାୟ ସମସ୍ତେ ଦେଖିଅଛନ୍ତି । ବର୍ତ୍ତମାନ ଯେପରି ଶିକ୍ଷା ଦିଆଯାଉଅଛି, ସେହି ଅନୁସାରେ କମଳା ଲେମ୍ବୁ କଦାଚ ପ୍ରଥମ ଶିଖାଳିଙ୍କୁ ଆଙ୍କିବାକୁ ଦିଆଯାଏ ନାହିଁ । କିଛିକାଳ ଅଭ୍ୟାସ କଲା ପରେ କମଳା ଲେମ୍ବୁ ଆଙ୍କିବାକୁ ଦିଆଯାଏ । କମଳା ଲମ୍ବୁ ଆଙ୍କିବାପାଇଁ ପ୍ରଥମେ ଗୋଟିଏ ସରଳରେଖା ଲମ୍ବ ଭାବରେ ଟାଣିବାକୁ ହୁଏ । ତା ପରେ ଆଉ ଗୋଟିଏ ସରଳ ରେଖା ପ୍ରଥମ ସରଳରେଖାର ମଝିରେ ସମକୋଣ କରି ଟାଣିବାକୁ ହୁଏ । ତା ପରେ ତାହାର ବାମପାର୍ଶ୍ୱରୁ ଆକୃତି ଦେଖାଇବାପାଇଁ ରେଖା ଟାଣି ଦିଆଯାଏ । ବାମ ପାଖ ଶେଷ ହେଲେ ମଧ୍ୟଭାଗର ଭିନ୍ନ ଭିନ୍ନ ସ୍ଥାନରୁ ସୀମା ପର୍ଯ୍ୟନ୍ତ ମାପ ନେଇ ଅନ୍ୟ ପାର୍ଶ୍ୱର ଆକୃତି ଆଙ୍କିବାପାଇଁ ରେଖା ଟାଣିବାକୁ ପଡ଼େ । ପ୍ରଥମ ଶିଖାଳିଙ୍କ ପକ୍ଷରେ ଏହିସବୁ ନିୟମ ପାଳନ କରିବା କଠିନ ହୋଇ ପଡ଼େ । କାହାରି କାହାରି ଧୈର୍ଯ୍ୟ ରହେ ନାହିଁ ଓ ସେଥିଯୋଗୁଁ ସେମାନେ ଚିତ୍ରବିଦ୍ୟା ଛାଡ଼ି ଦିଅନ୍ତି ।

 

ଯେଉଁମାନେ ପିଲାଙ୍କୁ ଚିତ୍ରବିଦ୍ୟା ଶିକ୍ଷା ଦିଅନ୍ତି, ସେମାନଙ୍କର ଚିନ୍ତା କରିବା ଉଚିତ ଯେ, ସରଳରେଖା ଅଙ୍କନ କରାଇବାର ଉଦ୍ଦେଶ୍ୟ କଅଣ ? ସେମାନେ ଜାଣନ୍ତି ଯେ, କମଳାଲେମ୍ବୁଟି ଅଙ୍କନ କରିବା କାରଣ ଉପରୋକ୍ତ ମତେ ଦୁଇଟି ସରଳରେଖା ପ୍ରଥମେ କାଟିଦେଲେ ପଦାର୍ଥଟି ଅଙ୍କନ କରିବାପାଇଁ ଉଭୟ ପାଖ ସମାନ ହେବ । ଏହି ଉଦ୍ଦେଶ୍ୟ ପିଲାମାନଙ୍କୁ ଯେତେ ବୁଝାଇଲେ ମଧ୍ୟ ସେମାନଙ୍କର ହୃଦୟଙ୍ଗମ କରାଇବା ସହଜ ନୁହେଁ । ପିଲାଟି ପ୍ରଥମରୁ ଏସବୁ କଠିନ କଥା ନ ବୁଝି ଯେବେ ଖେଳିଲା ପରି ଖାଲି ରଙ୍ଗ ବୋଳିଦେଇ ଗୋଟିଏ ଦୁଇଗୋଟି ପଦାର୍ଥର ଆକୃତି ଦେଖାଇ ଦେଇ ପାରିବ, ତେବେ ତାହା ମନରେ ଭାରି ଆନନ୍ଦ ହେବ ଏବଂ ଚିତ୍ର ଅଙ୍କନ ଆଡ଼କୁ ତାହାର ସ୍ୱତଃ ପ୍ରବୃତ୍ତି ବଢ଼ିବ । ଆଉ ଯେବେ ସରଳରେଖା ଆଙ୍କୁ ଆଙ୍କୁ ତାହାର ଧୈର୍ଯ୍ୟ ନଷ୍ଟ ହୁଏ, ତେବେ ସେ ଚିତ୍ରବିଦ୍ୟାରେ ଅଗ୍ରସର ହୋଇ ପାରିବ ନାହିଁ । ଖେଳରେ ଖେଳରେ ପଦାର୍ଥ ଅଙ୍କନ କରୁ କରୁ ରେଖା, ସରଳରେଖା, ବକ୍ରରେଖା ପ୍ରଭୃତି ସବୁ ପିଲାର ଆଖିରେ ପଡ଼ିବ । ଯେତେବେଳେ ପ୍ରତ୍ୟେକ ପଦାର୍ଥର ଉଦ୍ଦେଶ୍ୟ ସେ ସହଜରେ ଆପେ ବୁଝି ପାରିବ, ତେତେବେଳେ ସେଗୁଡ଼ିକ ଅଙ୍କନ କରିବା ତାହା ପକ୍ଷରେ ଆଦୌ କଠିନ ହେବ ନାହିଁ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

 

ଏହି ସବୁ କାରଣରୁ ପ୍ରଥମ ଶିଖାଳିମାନଙ୍କୁ ଆଗେ ସରଳରେଖା ଆଦି କାଟିବାରେ ନ ଖଟାଇ ଯେବେ ଗୋଟିଏ ପିଲାକୁ ଖଣ୍ଡିଏ କନା ଆଉ ଗୋଟିଏ ସଢ଼େଇରେ କୌଣସି ରଙ୍ଗ ଗୋଳି ତାହାକୁ ଦେବ ଏବଂ ଗୋଟିଏ କମଳା ଦେଖାଇ କହିବ ଯେ, କନା ଖଣ୍ଡିକୁ ରଙ୍ଗରେ ବୁଡ଼ାଇ ଯେପରି ଇଚ୍ଛା ସେପରି ଏ କମଳାଲେମ୍ବୁଟି ଚିତ୍ରରେ ଦେଖାଇ ଦିଅ, ଆହୁରି ମଧ୍ୟ କହିବ ଯେ, କନାକୁ ରଙ୍ଗରେ ବୁଡ଼ାଇ ଖାଲି କାଗଜରେ ବସାଇଦେଲେ ଏହି ପଦାର୍ଥଟି ହୋଇଯିବ, ତେବେ ସେ ସେହି କନାଖଣ୍ଡିକ ନେଇ ଗୋଟିଏ ସ୍ଥାନରେ ବସାଇ ଦେଲେ ତାହା ୨ ନମ୍ବର ଚିତ୍ରର ଡାହାଣ ଚିତ୍ରପରି ଗୋଲାକାରର ଗୋଟିଏ ଆକୃତି ଦେଖାଯିବ । ତେତେବେଳେ ଶିକ୍ଷକ ସେ ଛାପାର ମୁଣ୍ଡଟି ଟିକିଏ ବସାଇଦେଲେ ସହଜରେ କମଳାଲେମ୍ବୁର ଆକୃତି ଚିହ୍ନା ପଡ଼ିବ । ୨ ନମ୍ବର ଚିତ୍ରର ବାମ ପାଖର ଚିତ୍ର ଦେଖ । ଦ୍ୱିତୀୟଥରକୁ ପିଲା ନିଜେ ମୁଣ୍ଡଟି ବସାଇ ଦେଇ ପାରିବ । ସେହିପରି ବେଲ, ତାଳ ପ୍ରଭୃତି ଫଳଗୁଡ଼ିକର ଚିତ୍ର ସହଜରେ ହୋଇ ପାରିବ । ତା ପରେ ସେହି ପ୍ରଣାଳୀରେ ପିଜୁଳି ବା ଆମ୍ବ କରିବାପାଇଁ ସେହି କନାକୁ ଟିକିଏ ଘସି ଅଳ୍ପ ଲମ୍ବା କରି ବସାଇଦେଇ ଏକ ପାଖରେ ମୁଣ୍ଡି ଦେଖାଇଦେବ । ତାହାହେଲେ ପିଜୁଳି ଓ ଆମ୍ବ ହୋଇ ପାରିବ । ଆଉ ଟିକିଏ ସରୁ ଓ ଅଧିକ ଲମ୍ବା କରି କନାକୁ ଘସି ଦେଇ ତହିଁର ଦୁଇ ପାର୍ଶ୍ୱରେ କଦଳୀର ଦୁଇ ମୁଣ୍ଡ ଦେଖାଇଦେଲେ କଦଳୀର ଚିତ୍ର ହୋଇଯିବ । ୪ ନମ୍ବର ଚିତ୍ର ଦେଖ । ତହିଁରୁ ସହଜରେ କାକୁଡ଼ି ମଧ୍ୟ କରି ହେବ । ୫ ନମ୍ବର ଚିତ୍ର ଦେଖ । ପୁଣି ତହିଁର ଏକପାଖ ଆଉ ଟିକିଏ ସରୁ ଓ ଗୋଜିଆ କରିଦେଇ ମୁଣ୍ଡି ଦେଖାଇ ଦେଲେ ମୂଳା ହୋଇଯିବ । ୬ ନମ୍ବର ଚିତ୍ର ଦେଖ । ଏହିପରି ଭିନ୍ନ ଭିନ୍ନ ପଦାର୍ଥ ଅନୁସାରେ ଅଳ୍ପ ମୋଟ ବା ସରୁ, ଗୋଲ ବା ଲମ୍ବା କରିବାକୁ ଅଧିକ ପରିଶ୍ରମ ପଡ଼ିବ ନାହିଁ କିମ୍ବା ଶିଖାଳିମାନଙ୍କୁ ଶିଖିବାକୁ କଠିନ ହେବ ନାହିଁ । ଏଗୁଡ଼ିକ ସହଜରେ ସେମାନେ କରି ପାରିବେ ଓ ତହିଁରୁ ଏତେ ସହଜରେ ପଦାର୍ଥର ସାମାନ୍ୟ ଆକୃତି ଦେଇ ପଦାର୍ଥଟି କେବଳ ଚିହ୍ନିବା ଭଳି କରି ପାରିଲେ ସ୍ୱଭାବତଃ ସେମାନଙ୍କର ଚିତ୍ରବିଦ୍ୟା ପ୍ରତି ପ୍ରବୃତ୍ତି ଓ ଶ୍ରଦ୍ଧା ବଢ଼ିଯିବ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

(୬ ନମ୍ବର ଚିତ୍ର)

 

ଏହା ପରେ ଗୋଟିକେତେ ପତ୍ରର ଚିତ୍ର ଉପରୋକ୍ତ ପ୍ରଣାଳୀରେ ସେମାନଙ୍କୁ କରିବା ପାଇଁ ସହଜରେ ଶିକ୍ଷା ଦିଆଯାଇ ପାରିବ । ପତ୍ରଗୁଡ଼ିକ କଲାବେଳେ ପତ୍ରରେ ଶିରା ଦେଖାଇବା ପାଇଁ ତାଙ୍କ ହାତରେ ଗୋଟିଏ ଗୋଟିଏ ପତ୍ର ଧରାଇ ଦେଇ ସେହି ଶିରାଗୁଡ଼ିକ ଦେଖାଇବାକୁ କହିଲେ ସେମାନେ ସହଜରେ କେବଳ ଗାର କାଟି ଶିରା ଦେଖାଇ ଦେଇ ପାରିବେ । ଏହି ସମୟରେ ସରଳରେଖା ଓ ବକ୍ରରେଖା ବିଷୟରେ ତାଙ୍କୁ ଯାହା ଉପଦେଶ ଦେବ, ସେମାନେ ତାହା ସହଜରେ ବୁଝି ପାରିବେ ଏବଂ ଅନୁକରଣ କରିବେ । ଏତେବେଳେ ନିଜର ମନକୁ ସରଳ ରେଖା ଆଙ୍କିବା ସେମାନଙ୍କର ଅଭ୍ୟାସ ହୋଇଯିବ ।

 

ଚିତ୍ରବିଦ୍ୟା ସମ୍ବନ୍ଧରେ ବିଶେଷ ବିବରଣ ଏଠାରେ ଦେଖାଇବାର ସ୍ଥାନ ନୁହେଁ । ଚିତ୍ରବିଦ୍ୟାର ବିଶେଷ ବିବରଣ ଲେଖିବାକୁ ଗଲେ ଗୋଟିଏ ଗୋଟିଏ ବିଷୟରେ ଗୋଟିଏ ଗୋଟିଏ ବୃହତ୍‌ ପୁସ୍ତକ ହେବ । ସହଜରେ ଚିତ୍ରବିଦ୍ୟା ଶିକ୍ଷା କରିବା ସମ୍ବନ୍ଧରେ ଓଡ଼ିଶାରେ ସୁପରିଚିତ ଶିଳ୍ପୀ (Artist) ବାବୁ ଉପେନ୍ଦ୍ର ମହାରଥୀଙ୍କର ‘‘ସହଜ ଚିତ୍ରଶିକ୍ଷା’’ ପୁସ୍ତକମାନ ଅଳ୍ପକାଳ ମଧ୍ୟରେ ମୁଦ୍ରିତ ହେବ । ତାହା ପାଠ କଲେ ଏ ସମ୍ବନ୍ଧରେ ବିଶେଷ ବିବରଣ ବୁଝିପାରିବ-

 

ଚିତ୍ର କରିବାକୁ ଶିକ୍ଷାକଲେ ଯେ କୌଣସି ପଦାର୍ଥ ସହଜରେ ଚିତ୍ର କରି ପାରିବ । ଚିତ୍ର କରିବା ପାଇଁ ରଙ୍ଗ ଲଗାଇବା ପ୍ରଣାଳୀ ଓ ରଙ୍ଗ ସମ୍ବନ୍ଧରେ କିଛି କିଛି ଜାଣିବା ବିଶେଷ ଆବଶ୍ୟକ ।

•••

 

ରଙ୍ଗ ଲଗାଇବା ପ୍ରଣାଳୀ

 

ରଙ୍ଗ ଦେବା ପୂର୍ବେ ପଦାର୍ଥଗୁଡ଼ିକରେ ପ୍ରଥମେ ଏକପରସ୍ତ ଅସ୍ତର ଦେବାକୁ ପଡ଼ିବ । ସାଧାରଣତଃ ଖଡ଼ିକୁ ବାଟି ସେହି ଖଡ଼ିଗୋଳା ପାଣିରେ ଅସ୍ତର ଦିଆଯାଏ । ଏହି ଅସ୍ତର ପ୍ରସ୍ତୁତ କରିବା ପାଇଁ ଖଡ଼ିକୁ ବାଟି ତହିଁସଙ୍ଗେ ତେନ୍ତୁଳିମଞ୍ଜିର ଅଠା ଗୋଳାଇ ଗୋଟିଏ ଗୋଟିଏ ଚଉଡ଼ା ତୁଳି ବା ବୁରୁସ୍ (Brush) ଦ୍ୱାରା ପଦାର୍ଥ ଉପରେ ଲଗାଇବାକୁ ହୁଏ ।

 

ତେନ୍ତୁଳିମଞ୍ଜି ଅଠା

 

ତେନ୍ତୁଳିମଞ୍ଜି ଅଠା କରିବା ନିମନ୍ତେ ପ୍ରଥମେ ମଞ୍ଜିଗୁଡ଼ିକୁ ଗୋଟିଏ ହାଣ୍ଡିରେ ପକାଇ ତାହା ନିଆଁରେ ବସାଇ ଭାଜିଦେବ । ସେଗୁଡ଼ିକ ଟକ୍‌ ଟକ୍ ହୋଇ ଫୁଟିବ । ଗରମ ଥିବା ଅବସ୍ଥାରେ ସେଗୁଡ଼ିକୁ ଥଣ୍ଡା ପାଣିରେ ବତୁରାଇ ଦେବ । ୧୨ ଘଣ୍ଟା ପର୍ଯ୍ୟନ୍ତ ବତୁରିଲେ ସେ ଗୁଡ଼ିକ ଫୁଲିଯିବ । ତେତେବେଳେ ହାତରେ ଚକଟି ଦେଲେ ତହିଁରୁ ଚୋପାଯାକ ବାହାରିଯିବ ଓ ଶସ୍ୟଗୁଡ଼ିକ ଅଲଗା ରହିଯିବ । ଚୋପାଗୁଡ଼ିକ କାଢ଼ି ପକାଇ ଏହି ଶସ୍ୟଗୁଡ଼ିକୁ ଶିଳରେ ଛେଚି ତାହାକୁ ବେଶ୍ ଚିକ୍କଣ କରି ବାଟି ଦେବ । ସେହି ଚିକ୍କଣ ବଟା ମଞ୍ଜିକୁ ଗୋଟିଏ ହାଣ୍ଡିରେ ପୂରାଇ ତହିଁରେ କିଛି ପାଣି ଦେଇ ତାହାକୁ ଗୋଳାଇ ଦେବ । ମଇଦାରେ ଲେହି ଅଠା ରାନ୍ଧିବାକୁ ହେଲେ ଯେତିକି ପାଣିଆ କରିବାକୁ ହୁଏ ଏହାକୁ ମଧ୍ୟ ସେହି ପରିମାଣରେ ପାଣିଆ କରି ଗୋଳିବା ତା ପରେ ଏହାକୁ ନିଆଁରେ ବସାଇ ଖଣ୍ଡିଏ ଚଟୁରେ ଗୋଳାଉଥିବ । ଯେତେବେଳେ ଦେଖିବ ତାହା ଧକ୍‌ ଧକ୍ ହୋଇ ଫୁଟିବ, ତେତେବେଳେ ଜାଣିବ ଯେ, ଅଠା ପ୍ରସ୍ତୁତ ହୋଇଗଲାଣି । ତା ପରେ ତାହାକୁ ନିଆଁରୁ ଓହ୍ଳାଇ ଆଣିବ ।

 

ଏହି ଅଠାକୁ ବଟା ଖଡ଼ି ସଙ୍ଗେ ମିଶାଇ ପାଣିଦେଇ ଗୋଳାଇ ଯହିଁରେ ଲଗାଇବାର ଥିବ ବୁରୁଶ୍‌ଦ୍ୱାରା ତହିଁରେ ଲଗାଇବ । ଗୋଳାଇବା ବେଳେ ବଟା ଖଡ଼ି ଯେତେ ଦେବ, ତହିଁର ଅଧା ଏହି ତେନ୍ତୁଳିମଞ୍ଜି ଅଠା ପକାଇ ତହିଁରେ ପାଣି ମିଶାଇ ଗୋଳିବ । ଅସ୍ତର ମୋଟା କରିବାର ଥିଲେ ତହିଁକୁ ଅଟକଳ କରି ଅଳ୍ପ ପାଣି ଦେଇ ଗୋଳାଇବ, ଯେପରି ତୁଳିରେ ଭଲ କରି ଲଗାଇ ହେବ । ଅସ୍ତର ପତଳା କରିବାକୁ ହେଲେ ସେହି ଅନୁସାରେ ଯେତେ ପାଣି ଆବଶ୍ୟକ ସେତେ ପାଣି ଦେଇ ଗୋଳାଇ ଅସ୍ତର ପ୍ରସ୍ତୁତ କରିବ ।

 

ଯେକୌଣସି ପଦାର୍ଥ ଚିତ୍ର କରିବ, ତହିଁରେ ପ୍ରଥମେ ଏକପରସ୍ତ ଏହି ଅଠାମିଶା ଖଡ଼ି ବୋଳି ଦେବାକୁ ହେବ । ଏହାକୁହିଁ ଅସ୍ତର କହନ୍ତି । ସାଧାରଣତଃ ଅସ୍ତର ଏକ ପରସ୍ତରେ ଠିକ୍ ହୁଏ ନାହିଁ; ତେଣୁ ଦୁଇପରସ୍ତ ଅସ୍ତର ଦିଆଯାଏ । ପ୍ରଥମ ପରସ୍ତ ଲଗାଇ ତାହାକୁ ଖରାରେ ଶୁଖାଇ ଦେବ । ଶୁଖିଗଲେ ତହିଁ ଉପରେ ତୂଳିଦ୍ୱାରା ଆଉ ଏକ ପରସ୍ତ ଅସ୍ତର ଲଗାଇବ । ଦ୍ୱିତୀୟ ପରସ୍ତ ଅସ୍ତର ଶୁଖିଗଲେ ତାହାକୁ ଉତ୍ତମରୂପେ ଖଣ୍ଡିଏରୂପେ ଖଣ୍ଡିଏ କନାରେ ପୋଛି ତହିଁ ଉପରେ ଚିତ୍ର କରିବ ।

 

ସାଧାରଣ ଶିଳ୍ପ ମଧ୍ୟରେ ଚିତ୍ରକାର୍ଯ୍ୟଟି ଅତି କଠିନ କାର୍ଯ୍ୟ । ଏହା ସାଧନ କରିବାକୁ ବହୁ ସମୟ ଲାଗିଥାଏ । ହାତର ଓ ଆଖିର ପରିଚାଳନା ଏଥିରେ ବିଶେଷ ପ୍ରୟୋଜନ । ବିବେଚନା ଶକ୍ତିର ଅଧିକ ପରିଚାଳନା ମଧ୍ୟ ଆବଶ୍ୟକ । ପ୍ରତ୍ୟେକ ପଦାର୍ଥର ସ୍ୱାଭାବିକ ଅବସ୍ଥା, ପ୍ରକୃତିର ଦୃଶ୍ୟ ଏବଂ ନାନା ବିଷୟର ପର୍ଯ୍ୟବେକ୍ଷଣଶକ୍ତି ବୃଦ୍ଧି ନ ହେଲେ ଚିତ୍ରବିଦ୍ୟାରେ ସଫଳତା ଲାଭ କରିବା କଠିନ । ଏଠାରେ ଚିତ୍ର ବିଷୟ ବିଶଦ ଭାବରେ ବର୍ଣ୍ଣିତ ହେବା ସମ୍ଭବପର ନୁହେଁ । କେବଳ କେତେଗୁଡ଼ିଏ ସାଧାରଣ ଜ୍ଞାତବ୍ୟ ବିଷୟର ସୂଚନା ଦିଆଗଲା ।

 

ରଙ୍ଗ ମୂଳ ବା ଅସଲ ରଙ୍ଗ କେବଳ ସାତ ପ୍ରକାର । କିନ୍ତୁ ବ୍ୟବହାରରେ ଯେ କେତେ ପ୍ରକାର ରଙ୍ଗ ଦେଖାଯାଏ, ତାହାର ସୀମା ନାହିଁ । ସେ ସମସ୍ତ ରଙ୍ଗ ଏହି ସାତଗୋଟି ରଙ୍ଗରୁ ଗୋଟିଏ ବା ତହିଁମଧ୍ୟରୁ ଦୁଇ ବା ତତୋଽଧିକ ରଙ୍ଗର ଏକତ୍ର ସଂଯୋଗରୁ ଜାତ । କୌଣସି ପ୍ରକାର ରଙ୍ଗ କରିବାକୁ ହେଲେ ବଜାରରେ ବିକ୍ରୟ ହେଉଥିବା ଗୋଟିକେତେ ରଙ୍ଗ ମସଲା କିଣିଆଣି ତହିଁ ମଧ୍ୟରୁ ଦୁଇଗୋଟି, ତିନିଗୋଟି, ଚାରିଗୋଟି ବା ତତୋଽଧିକ ରଙ୍ଗକୁ ଏକତ୍ର ମିଶାଇ ଆବଶ୍ୟକୀୟ ରଙ୍ଗ ପ୍ରସ୍ତୁତ କରିନେବାକୁ ହୁଏ । ନିମ୍ନରେ କେତେ ଗୋଟି ଉଦାହରଣ ଦିଆଗଲା :–

 

ହଳଦିଆ ଓ ନୀଳ ରଙ୍ଗ ମିଶାଇଲେ ଶାଗୁଆ (ପତ୍ର ରଙ୍ଗ) ହେବ ।

ହଳଦିଆ ଓ ନାଲିରଙ୍ଗ ମିଶାଇଲେନାରଙ୍ଗି ରଙ୍ଗ ହେବ ।

ହଳଦିଆ, ଧଳା ଓ ନୀଳରଙ୍ଗ ମିଶାଇଲେକଞ୍ଚା ବିଲାତିବାଇଗଣ ରଙ୍ଗ ହେବ ।

ହଳଦିଆ, କାଇମାଟି ଓ ଗେରୁ ରଙ୍ଗ ମିଶାଇଲେଶାଳକାଠର ରଙ୍ଗ ହେବ ।

ନାଲି ଓ ଧଳାରଙ୍ଗ ମିଶାଇଲେଗୋଲାପି ରଙ୍ଗ ହେବ ।

ନାଲି ଓ କଳାରଙ୍ଗ ମିଶାଇଲେଖଇରା ରଙ୍ଗ ହେବ ।

ନାଲି ଓ ନୀଳରଙ୍ଗ ମିଶାଇଲେବାଇଗଣି ରଙ୍ଗ ହେବ ।

ନାଲି, ହଳଦିଆ ଓ ଧଳାରଙ୍ଗ ମିଶାଇଲେକମଳାଲେମ୍ବୁ ରଙ୍ଗ ହେବ ।

ନୀଳ, ଧଳା ଓ ଆସ୍‌ମାନିରଙ୍ଗମିଶାଇଲେସମୁଦ୍ର ରଙ୍ଗ ହେବ ।

ନୀଳ, ଧଳା ଓ ହଳଦିଆରଙ୍ଗମିଶାଇଲେଅଳ୍ପ ସାବଜା ରଙ୍ଗ ହେବ ।

ନୀଳ, ଧଳା, କଳା ଓ ଗେରୁରଙ୍ଗ ମିଶାଇଲେମାଟିଆ ରଙ୍ଗ ହେବ ।

ନୀଳ, ହଳଦିଆ, କଳା ଓ ଗେରୁ ରଙ୍ଗ ମିଶାଇଲେଆଖି ଡୋଳାର ରଙ୍ଗ ହେବ ।

ଧଳା, କାଇମାଟି, ହଳଦିଆ ଓ ଗେରୁ ରଙ୍ଗ ମିଶାଇଲେବେଦାନାର ରଙ୍ଗ ।

ଧଳା, ଗେରୁ, ଲାଲ ଓ କଳାରଙ୍ଗ ମିଶାଇଲେନଡ଼ିଆକତାର ରଙ୍ଗ ।

 

ଯେଉଁ ସବୁ ରଙ୍ଗ ଏକାଠି ମିଶାଇ ରଙ୍ଗ ତିଆରି କରାଯାଏ, ସେହି ସବୁ ଭିନ୍ନ ଭିନ୍ନ ରଙ୍ଗ ଯେପରି କମ୍ ବା ବେଶୀ ହେବ, ସେହିପରି ସେମାନଙ୍କର ପରିମାଣ ଭେଦରେ ମଧ୍ୟ ଗୋଟିଏ ଗୋଟିଏ ପୃଥକ୍ ରଙ୍ଗ ହେବ । ଯେଉଁ ରଙ୍ଗ ଉତ୍ପନ୍ନ କରିବାକୁ ଇଚ୍ଛା କରିବ, ପ୍ରଥମେ କୌଣସି ପଦାର୍ଥରେ ସେହି ରଙ୍ଗକୁ ଆଗେ ଉତ୍ତମରୂପେ ପର୍ଯ୍ୟବେକ୍ଷଣ କରି ସ୍ଥିର କରିବ ଯେ, କେଉଁ କେଉଁ ରଙ୍ଗର ସଂଯୋଗରେ ସେହି ରଙ୍ଗ ହୋଇ ପାରେ । ତଦନୁସାରେ ଭିନ୍ନ ଭିନ୍ନ ରଙ୍ଗଗୁଡ଼ିକୁ ଭିନ୍ନ ଭିନ୍ନ ପାତ୍ରରେ ଅଳ୍ପ ଅଳ୍ପ ଗୋଳାଇ ରଖିବ । ଗୋଟିଏ ପୃଥକ୍ ପାତ୍ରରେ ସେହି ସମସ୍ତ ରଙ୍ଗରୁ କିଛି କିଛି ନେଇ ତାହାକୁ ମିଶାଇ ମିଶାଇ ଖଣ୍ଡିଏ କାଗଜରେ ପ୍ରତିଥର ଲଗାଇ ପରୀକ୍ଷା କରି ଦେଖିବ, କେତେଦୂର ସେ ରଙ୍ଗ ହୋଇ ପାରୁଛି । ଏହିପରି ମିଶାଇ ମିଶାଇ ପରୀକ୍ଷା କଲେ ଶେଷକୁ ଯେଉଁ ରଙ୍ଗ କରିବାକୁ ଚାହୁଥିବ ସେହି ରଙ୍ଗ ହୋଇଯିବ । ତେତେବେଳେ ଯେଉଁ ଯେଉଁ ରଙ୍ଗ ଯେଉଁ ପରିମାଣରେ ମିଶାଇଥିବ, ତାହା ଲେଖି ରଖିବ, ଏବଂ ପରେ ଦରକାର, ପଡ଼ିଲେ ସେହି ପରିମାଣରେ ମିଶାଇ ସେହି ରଙ୍ଗ ବ୍ୟବହାର କରିବ ।

 

ବଜାରରେ ନାନାପ୍ରକାର ରଙ୍ଗ ବିକ୍ରୟ ହୁଏ । ସେସବୁ ରଙ୍ଗ ଚିହ୍ନି କରି ନ ଆଣିଲେ ସହଜରେ ଠକାମିରେ ପଡ଼ିବାକୁ ହୁଏ । ଲୁଗା, ସୂତା ଓ ଅନ୍ୟ ପଦାର୍ଥମାନଙ୍କୁ ରଙ୍ଗାଇବାପାଇଁ ଯେଉଁ ସବୁ ରଙ୍ଗ ବ୍ୟବହୃତ ହୁଏ, ସେ ସବୁ ରଙ୍ଗଦ୍ୱାରା ପଦାର୍ଥ ଓ ମୂର୍ତ୍ତିସବୁର ଚିତ୍ରକାର୍ଯ୍ୟ ହୋଇପାରେ ନାହିଁ । ଚିତ୍ର କରିବାର ରଙ୍ଗ ସମ୍ପୂର୍ଣ୍ଣ ପୃଥକ୍ । ଚିତ୍ର ନିମନ୍ତେ ଯେଉଁ ରଙ୍ଗ ବ୍ୟବହୃତ ହୁଏ ତାହାଦ୍ୱାରା ଲୁଗାପଟା, ସୂତା ପ୍ରଭୃତି ରଙ୍ଗ କରାଯାଇ ପାରେ ନାହିଁ । ଏହି ମୂର୍ତ୍ତି ବା କଣ୍ଢେଇ ଚିତ୍ର କରିବାର ରଙ୍ଗ ପୁଣି ଭିନ୍ନ ଭିନ୍ନ ପ୍ରକାରର ଅଛି । ଏହା ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ ଯଥା ପାଣିରଙ୍ଗ ଓ ତେଲରଙ୍ଗ । ପାଣିରଙ୍ଗ ପାଣିରେ ମିଶାଯାଇ ପାରିବ ଏବଂ ତାହାକୁ ପାଣିରେ ଗୋଳାଇ ସେହି ରଙ୍ଗରେ ଚିତ୍ର କରାଯାଏ । ତେଲରଙ୍ଗ ପାଣିରେ ମିଶି ପାରିବ ନାହିଁ । ତାହା କେବଳ ତେଲରେ ବା ସେହିପରି ଅନ୍ୟ ତେଲିଆ ପଦାର୍ଥରେ, ଯଥା ବାର୍ଣ୍ଣିସ୍‌ ଆଦିରେ ମିଶାଇ ଚିତ୍ର କରିବାରେ ବ୍ୟବହୃତ ହୁଏ ।

 

ପାଣିରଙ୍ଗ କରାଯାଇଥିବା ପଦାର୍ଥକୁ ପାଣିରେ ଧୋଇଦେଲେ ରଙ୍ଗ ଛାଡ଼ିଯାଇ ପାରିବ, ମାତ୍ର ତେଲରଙ୍ଗ ସହଜରେ ଛାଡ଼ିବ ନାହିଁ । ତାହା ଛଡ଼ାଇବାକୁ ହେଲେ କିରାସିନ୍ ତେଲ, ତାରପିନ୍ ତେଲ, ସ୍ପିରିଟ୍ ଏବଂ ନଡ଼ିଆତେଲ ଓ ସାବୁନ ବା ସୋଡ଼ା ବୋଳି ଛଡ଼ାଇଲେ ତାହା ବହୁପରିମାଣରେ ଛାଡ଼ିଯାଇ ପାରିବ ।

•••

 

ପାଣି ରଙ୍ଗର ବ୍ୟବହାର

Image

(୧ ନମ୍ବର ଚିତ୍ର)

ଚିତ୍ର କରିବା ପାଇଁ ଯେକୌଣସି ପାଣିରଙ୍ଗ ବ୍ୟବହାର କରିବ ତହିଁରେ ଅଠା ନ ଦେଲେ ସେ ରଙ୍ଗ ଲାଗି ରହିବ ନାହିଁ; ତେଣୁ ରଙ୍ଗ ଗୋଳିବା ପୂର୍ବରୁ କିଛି ଅଠା ଗୋଟିଏ ପାତ୍ରରେ ପାଣିରେ ତିନ୍ତାଇ ରଖିବ । ସାଧାରଣତଃ ଏଥିପାଇଁ ଗୁନ୍ଦ୍ ଅଠା ବ୍ୟବହାର କରାଯାଏ । ଗୁନ୍ଦ୍ ଅଠାକୁ ପାଣିରେ ବତୁରାଇ କିଛି ସମୟ ରଖିଲେ ତାହା ପାଣିରେ ମିଶିଯାଏ । ଯେବେ କୌଣସି ରଙ୍ଗ ଗୋଳାଇବା ଆବଶ୍ୟକ ହେବ ପ୍ରଥମେ ଗୋଟିଏ ପାତ୍ରରେ ସେହି ରଙ୍ଗକୁ ନେଇ ତହିଁରେ ଏଠି ଅଠାଳିଆ ଜଳ ଦେଇ ଆଙ୍ଗୁଳିଦ୍ୱାରା ଗୋଳାଇ କାଦୁଅ ପରି କରିଦେବ । ତା ପରେ ଆବଶ୍ୟକ ପରିମାଣ ଜଳ ମିଶାଇ ତାହାକୁ ତୂଳିଦ୍ୱାରା ବ୍ୟବହାର ଉପଯୋଗୀ କରିବ । ରଙ୍ଗ ଯେବେ ଚୂନା ନ ହୋଇ ଖଣ୍ଡ ଖଣ୍ଡ ଥିବ ତେବେ, ତାହାକୁ ଅଗେ ଚୂର୍ଣ୍ଣ କରିଦେବ । ସାଧାରଣତଃ ରଙ୍ଗର ପରିମାଣ ଯେତେ ତହିଁର ଅଧା ଅଂଶ ଅଠାର ପରିମାଣ ମିଶାଇବାକୁ ହୁଏ ।

•••

 

ରଙ୍ଗର ପାତ୍ର

 

ଅଠା ମିଶାଇ ରଙ୍ଗ ଗୋଳାଇବା କାରଣ କାଠର ବା ଚିନା ମାଟିର ପାତ୍ର ବ୍ୟବହାର କରାଯାଇ ପାରେ । ସାଧାରଣ ମାଟିପାତ୍ରରେ ରଙ୍ଗ ଗୋଳିବା କଦାଚ ସୁବିଧା-ଜନକ ନୁହେଁ । ନଡ଼ିଆ ସଢ଼େଇ ସର୍ବାପେକ୍ଷା ଅଧିକ ସୁବିଧାଜନକ । ପାଣି ରଙ୍ଗରେ କୌଣସି ପଦାର୍ଥ ଚିତ୍ର କରି ତହିଁଉପରେ ଏକପରସ୍ତ ବାର୍ଣ୍ଣିସ୍ ଲଗାଇଦେଲେ ସେହି ଚିତ୍ର ଉପରେ ପାଣି ପଡ଼ିଲେ ମଧ୍ୟ ରଙ୍ଗର କୌଣସି କ୍ଷତି ହେବ ନାହିଁ । ବାର୍ଣ୍ଣିସ୍‌ ଲଗାଯାଇଥିବା ଚିତ୍ର ଉପରେ ଧୂଳି ବା ଅନ୍ୟ କୌଣସି ମଇଳା ପଡ଼ିଥିଲେ ତାହା ମଧ୍ୟ ଓଦା କନାରେ ପୋଛାଯାଇ ପାରିବ ।

 

ବାର୍ଣ୍ଣିସ୍‌ ଲଗାଇବା ପୂର୍ବେ ଏକ ପରସ୍ତ ରନ୍ଧା ଆରାରୁଟ ଚିତ୍ରିତ ପଦାର୍ଥ ଉପରେ ଦେଲେ ଅଧିକ ସୁବିଧାଜନକ ହେବ । ଆରାରୁଟ୍‌କୁ ପତଳା କରି ପାଣିରେ ଗୋଳାଇ ତାହାକୁ ରାନ୍ଧିବାକୁ ହେବ । ଅଠା ହୋଇ ଆସିଲେ ତାହାକୁ ପତଳା ଥିବା ଅବସ୍ଥାରେ ନିଆଁ ଉପରୁ ଓହ୍ଳାଇ ଥଣ୍ଡା କରିବ-। ଗୋଟିଏ ଚଉଡ଼ା ତୂଳିଦ୍ୱାରା ଚିତ୍ର କରାଯାଇଥିବା ପଦାର୍ଥ ଉପରେ ପତଳା କରି ଏକ ପରସ୍ତ ଆରାରୁଟ ବୋଳିଦେଇ ତାହାକୁ ଶୁଖାଇ ଦେବ । ଶୁଖିଗଲା ପରେ ଗୋଟିଏ ପାତ୍ରରେ ବାର୍ଣ୍ଣିସ୍‌ ଢାଳି ଦେଇ ତୂଳିଦ୍ୱାରା କିମ୍ବା ଛୋଟ କନାବିଣ୍ଡାଦ୍ୱାରା ଅଥବା ହାତଟିପଦ୍ୱାରା ପଦାର୍ଥଟିର ସମସ୍ତ ଅଂଶରେ ସମାନ କରି ଏକ ପରସ୍ତ ଲଗାଇ ଦେଇ ତାହାକୁ ଖରାରେ ଶୁଖାଇ ଦେବ । ଶୁଖିଗଲେ ଏହା ଉପରେ ପାଣି ପଡ଼ିଲେ ମଧ୍ୟ ଚିତ୍ରର କୌଣସି କ୍ଷତି ହେବ ନାହିଁ ।

•••

 

ତେଲ ରଙ୍ଗ

 

ତେଲ ରଙ୍ଗ ଅନେକ ପ୍ରକାରର ବଜାରରେ ବିକ୍ରୟ ହୁଏ । ସେହି ରଙ୍ଗସ୍ଥାୟୀ ଅଟେ ଏବଂ ପାଣି ପଡ଼ିଲେ ନଷ୍ଟ ହୁଏ ନାହିଁ । ତାହା ଛଡ଼ା ତିଶିତେଲ (ନୟନସୁକ ତେଲ ବା Linseed oil) ରେ କେତେକଗୁଡ଼ିଏ ରଙ୍ଗ ମିଶାଇ ସେହି ରଙ୍ଗରେ ଚିତ୍ର କଲେ ମୋଟା କାର୍ଯ୍ୟଗୁଡ଼ିକ ସହଜରେ ରଙ୍ଗ ହୋଇ ପାରେ । ଏନାମେଲ୍ (Enamel) ରଙ୍ଗ ନାମକ ଏକପ୍ରକାର ରଙ୍ଗ ବଜାରରେ ବିକ୍ରୟ ହୁଏ, ତାହା ଠିକ୍ ଏହି ତେଲ ରଙ୍ଗ ପରି । ତହିଁରେ ନାନା ପ୍ରକାର ଚିତ୍ର କରାଯାଏ । ସେ ରଙ୍ଗ ମଧ୍ୟ ସହଜରେ ଉଠିଯାଏ ନାହିଁ । ସାଧାରଣ ବାର୍ଣ୍ଣିସ୍‌ରେ ରଙ୍ଗ ମିଶାଇ ରଙ୍ଗ କଲେ ତାହା ମଧ୍ୟ ସହଜରେ ଉଠିବ ନାହିଁ ।

•••

 

ତୂଳି

 

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

ସବୁ ରଙ୍ଗ ତୂଳିଦ୍ୱାରା ପଦାର୍ଥରେ ଲଗାଇବାକୁ ହୁଏ । ତୂଳିଗୁଡ଼ିକ ଓଟଲୋମ, ଛେଳିଲୋମ, ସେବ୍‌ଲ ବୋଲି ଏକପ୍ରକାର ଜୀବ ଶୀତପ୍ରଧାନ ଦେଶରେ ଅଛନ୍ତି ତାଙ୍କ ଲୋମ ଏବଂ ଅନ୍ୟାନ୍ୟ କେତେକ ପଶୁଙ୍କ ଲୋମଦ୍ୱାରା ହୁଏ । ଘୋଡ଼ାର ବେକର ଓ ଲାଞ୍ଜର ବାଳରେ ମଧ୍ୟ ମୋଟା କାମ ପାଇଁ ତୂଳି ହୁଏ । ତୂଳି ନାନାପ୍ରକାର ନିର୍ମିତ ହୋଇ ବିକ୍ରୟ ହେଉଅଛି । ମୋଟା କାମ ନିମନ୍ତେ ମୋଟା ତୂଳି ଓ ବାରିକ କାମ ନିମନ୍ତେ ଖୁବ ସରୁ ତୂଳି ବ୍ୟବହାର କରାଯାଏ । ସରୁ ଓ ମୋଟା ଅନୁସାରେ ତୂଳିଗୁଡ଼ିକ ଶ୍ରେଣୀଭାଗ କରାଯାଇଅଛି ଏବଂ ତାହା ଭିନ୍ନ ଭିନ୍ନ ନମ୍ବରଦ୍ୱାରା ପରିଚିତ । ଗୋଲ ତୂଳିଗୁଡ଼ିକ ୦ ନମ୍ବରଠାରୁ ୧୮ ନମ୍ବର ପର୍ଯ୍ୟନ୍ତ ବିଭାଗରେ ବିଭକ୍ତ ହୋଇ ବିକ୍ରୟ ହୁଏ । ଅତି ସୂକ୍ଷ୍ମ ତୂଳିର ନମ୍ବର ୦ (ଶୂନ୍ୟ) ଅଟେ । ତହିଁରୁ କ୍ରମେ ମୋଟା ତୂଳି ୧, ୨, ୩ ଇତ୍ୟାଦି ନମ୍ବରଦ୍ୱାରା ପରିଚିତ ହୁଏ । ୨ ନମ୍ବର ଚିତ୍ରରେ ୪ ଗୋଟି ତୂଳି ଦିଆଯାଇଅଛି । ଉପରିଉକ୍ତ ଶ୍ରେଣୀରୁ ଅଧିକ ମୋଟା ତୂଳିଗୁଡ଼ିକ ଚେପ୍‌ଟା । ତାହା ସାଧାରଣତଃ ତୂଳି ନାମରେ ପରିଚିତ ନ ହୋଇ ବୁରୁଶ୍ (Brush) ନାମରେ ପରିଚିତ । ପାଣିର ରଙ୍ଗ, ତେଲ ରଙ୍ଗ ଏବଂ ସବୁ ପ୍ରକାର ରଙ୍ଗ ତୂଳିଦ୍ୱାରା ପଦାର୍ଥରେ ୩ ନମ୍ବର ଚିତ୍ର ବୋଳାଯାଏ । ତୂଳିଗୁଡ଼ିକ ବ୍ୟବହାର କଲାପରେ ସେଗୁଡ଼ିକ ସଙ୍ଗେ ସଙ୍ଗେ ଉତ୍ତମରୂପେ ଧୋଇ ପରିଷ୍କାର କରି ପୋଛି ସଫା କରି ରଖିଦେବା ଉଚିତ । ତାହା ନ କଲେ ତୂଳି ଶୀଘ୍ର ନଷ୍ଟ ହୋଇ ଯାଏ । ପାଣିରଙ୍ଗ ବ୍ୟବହାର କରିଥିଲେ ତୂଳିକୁ ପାଣିରେ ଧୋଇବ । ମାତ୍ର ତେଲରଙ୍ଗ, ବାର୍ଣ୍ଣିସ୍‌ ବା ଏନାମେଲ ପ୍ରଭୃତି ରଙ୍ଗ ବ୍ୟବହାର ପରେ ତୂଳିକୁ କିରାସିନିତେଲ ବା ତାରପିନ୍ ତେଲ ଦ୍ୱାରା ଧୋଇବାକୁ ପଡ଼େ; ତାହା ନ ହେଲେ ତୂଳି ସଫା ହେବ ନାହିଁ । ଉତ୍ତମରୂପେ ସଫା କରିସାରି ତାହାକୁ କନାରେ ପୋଛି ରଖିଦେବ । ତୂଳିକୁ ବା ବୁରୁଶ୍‌କୁ ତେଲରେ ଧୋଇ ସଫା କରିବା ପରେ ପୁଣି ସାବୁନରେ ଧୋଇଦେଲେ ସେଥିରୁ ତେଲଅଂଶ ମଧ୍ୟ ବାହାରିଯାଏ ଏବଂ ତୂଳି ଅଧିକକାଳ ସ୍ଥାୟୀ ହୁଏ ।

•••

 

ବାର୍ଣ୍ଣିସ୍‌ ଓ ପାଲିସ୍‌

ନାନା ପ୍ରକାରର ବାର୍ଣ୍ଣିସ୍‌ ବଜାରରେ ବିକ୍ରୟ ହୁଏ । ବାର୍ଣ୍ଣିସ୍‌ର ପ୍ରଧାନ ଉପାଦାନ ଝୁଣା । ଓଡ଼ିଶାର ପାର୍ବତ୍ୟ ଅଞ୍ଚଳମାନଙ୍କରେ ଓ ଓଡ଼ିଶା ଗଡ଼ଜାତମାନଙ୍କରେ ବହୁପରିମାଣରେ ଝୁଣା ମିଳେ-। ଝୁଣା ଶାଳଗଛର କ୍ଷୀର । ଯେତେ ସ୍ଥାନରେ ଶାଳଗଛ ଅଛି, ସେହି ଶାଳଗଛରୁ ଆପେ ଆପେ କ୍ଷୀର ବାହାରି ତାହା ଶୁଖାଯାଇ ଗଛରେ ଲାଗି ରହିଥାଏ । ସେହି ଗୁଡ଼ିକୁ ଝୁଣା କହନ୍ତି । ଲୋକେ କେବଳ ତାହାକୁ ସଂଗ୍ରହ କରି ଆଣନ୍ତି ଓ ବଜାରରେ ତାହା ଝୁଣାନାମରେ ବିକ୍ରି ହୁଏ । ଓଡ଼ିଶାକୁ ଅନ୍ୟ ପ୍ରଦେଶରୁ ମଧ୍ୟ କେତେକ ପରିମାଣରେ ଝୁଣା ଆମଦାନି ହୁଏ । ସେ ଝୁଣା ଓଡ଼ିଶାର ଝୁଣା ଅପେକ୍ଷା ଅଧିକ ସଫା ଦେଖାଯାଏ । ସେ ଝୁଣାକୁ ସାଧାରଣତଃ ରଞ୍ଜନ ଝୁଣା କହନ୍ତି । ଏଠାକାର କାରିଗରମାନେ ରଞ୍ଜନ ଝୁଣା କହନ୍ତି । ଏଠାକାର କାରିଗରମାନେ ରଞ୍ଜନ ଝୁଣା ଏବଂ ଓଡ଼ିଶାର ଦେଶୀ ଝୁଣା ଉଭୟଙ୍କୁ ଏକାଠି ମିଶାଇ ତହିଁରେ କିରାସିନିତେଲ ଦେଇ ବାର୍ଣ୍ଣିସ ପ୍ରସ୍ତୁତ କରନ୍ତି ଓ ସେହି ବାର୍ଣ୍ଣିସ୍‌କୁ ଏଠାରେ ସାଧାରଣ କାଠକାମରେ ବ୍ୟବହାର କରନ୍ତି । ମାତ୍ର ଅଧିକ ମୂଲ୍ୟବାନ୍‌ କାଠକାମରେ ସେ ବାର୍ଣ୍ଣିସ୍‌ ବ୍ୟବହାର କରନ୍ତି ନାହିଁ । ତହିଁରେ ଲାଖର ପାଲିସ୍ ପ୍ରସ୍ତୁତ କରି ବ୍ୟବହାର କରନ୍ତି । ଯେଉଁମାନେ କଣ୍ଢେଇ ବା ମାଟିର ପିତୁଳା ଆଦି ପ୍ରସ୍ତୁତ କରନ୍ତି, ସେମାନେ ମଧ୍ୟ ଉପରିଉକ୍ତ ପ୍ରକାରର ବାର୍ଣ୍ଣିସ୍‌ ପ୍ରସ୍ତୁତ କରନ୍ତି । ତାହାକୁ କେବଳ କଳା, ନାଲି, ନୀଳ, ଶାଗୁଆ ପ୍ରଭୃତି ଗାଢ଼ରଙ୍ଗରେ ଚିତ୍ରିତ ହୋଇଥିବା ପଦାର୍ଥମାନଙ୍କରେ ଲଗାନ୍ତି, ମାତ୍ର ସଫା ରଙ୍ଗରେ ଚିତ୍ରିତ କୌଣସି ପଦାର୍ଥ ଉପରେ ଲଗାନ୍ତି ନାହିଁ । କାରଣ ସଫା ରଙ୍ଗର ପଦାର୍ଥ ଉପରେ ଏ ବାର୍ଣ୍ଣିସ୍‌ ଲଗାଇଲେ ତହିଁର ଜ୍ୟୋତି କିଞ୍ଚିତ୍ ମଳିନ ହୋଇଯାଏ । ଏପରି ଜିନିସ ଉପରେ ବଜାରରୁ ଅନ୍ୟ ବାର୍ଣ୍ଣିସ୍‌ ଖରଦି କରି ବ୍ୟବହାର କରନ୍ତି ।

•••

 

ବାର୍ଣ୍ଣିସ୍‌ ତିଆରି କରିବା ପ୍ରଣାଳୀ

 

ଏଠାରେ କାରିଗରମାନେ ଏହି ଦେଶୀ ଝୁଣା ଓ ରଞ୍ଜନ ଝୁଣା ଉଭୟକୁ ମିଶାଇ ତଦ୍ଦ୍ୱାରା ଯେଉଁ ବାର୍ଣ୍ଣିସ୍‌ ପ୍ରସ୍ତୁତ କରନ୍ତି, ତାହା କରିବାର ପ୍ରଣାଳୀ ଓ ଭାଗ ଏଠାରେ ଦିଆଗଲା :-

 

ଉପକରଣର ପରିମାଣ : –

ରଞ୍ଜନ ଝୁଣା ଏକ ସେର

ଦେଶୀ ଝୁଣା ଅଧସେର

କିରାସିନି ତେଲ ଅଧସେର

 

ପ୍ରଥମେ ଉଭୟ ଝୁଣାକୁ ପୃଥକ୍ ପୃଥକ୍ କରି ଚୂର୍ଣ୍ଣ କରିବ । ଗୋଟିଏ ମାଟିହାଣ୍ଡି ନିଆଁରେ ବସାଇ ତହିଁରେ ପ୍ରଥମେ ଦେଶୀ ଝୁଣା ଚୂର୍ଣ୍ଣଗୁଡ଼ିକ ପକାଇ ଗରମ କରିବ । ତାହା ଅଳ୍ପ କ୍ଷଣରେ ତରଳିଯିବ । ତା ପରେ ରଞ୍ଜନ ଝୁଣାର ଚୂର୍ଣ୍ଣଗୁଡ଼ିକ ତହିଁରେ ପକାଇଦେବ । ବରାବର ଖଣ୍ଡିଏ କାଠିରେ ବା କାଠର ଚଟୁରେ ତାହାକୁ ଘାଣ୍ଟୁଥିବ । ସବୁଗୁଡ଼ିକ ଉତ୍ତମରୂପେ ତରଳିଗଲେ ହାଣ୍ଡିଟି ନିଆଁରୁ ଓହ୍ଳାଇ ଆଣି ସାବଧାନତା ସହିତ ତହିଁରେ କିରାସିନିତେଲ ଢାଳି ତାହାକୁ ଉତ୍ତମରୂପେ ଗୋଳାଇବ । ତା ପରେ ତାହାକୁ ଖଣ୍ଡିଏ କନାରେ ଛାଣି ବୋତଲରେ ରଖିବ ।

 

କିରାସିନିତେଲ ଢାଳିବା ସମୟରେ ଦେଖିବ, ଯେପରି ଝୁଣାରୁ ବାହାରୁଥିବା ଗରମଧୂଆଁ ତେଲ ସହିତ ହଠାତ୍ ସଂଯୁକ୍ତ ନ ହୁଏ । ସେହି ଗରମ ଧୂଆଁ କିରାସିନି ତେଲରେ ଲାଗିଗଲେ ତେଲ ହଠାତ୍ ଜଳି ଉଠିବ । ତାହାହେଲେ ସମସ୍ତ ପଦାର୍ଥ ନଷ୍ଟ ହୋଇଯିବ । ରାନ୍ଧୁଥିବା ବ୍ୟକ୍ତିର ହାତ ଓ ମୁହଁରେ ସେହି ନିଆଁ ଲାଗିଯିବା ମଧ୍ୟ ଅସମ୍ଭବ ନୁହେଁ; ତେଣୁ ହାଣ୍ଡିକୁ ଓହ୍ଳାଇ ଧୂଆଁକୁ ଦୃଷ୍ଟି ରଖି ସାବଧାନତା ସହିତ କିରାସିନି ତେଲକୁ ପାତ୍ରର ଏକ ପାଖରୁ ଢାଳି ମିଶାଇବାକୁ ଚେଷ୍ଟା କରିବ । ୧ ନମ୍ବର ଚିତ୍ର ଦେଖ ।

Image

(୧ ନମ୍ବର ଚିତ୍ର)

ପ୍ରସ୍ତୁତ ବାର୍ଣ୍ଣିସ୍‌କୁ ଓଜନ କଲେ ସମସ୍ତ ପଦାର୍ଥର ପରିମାଣରୁ ପ୍ରତି ସେରରେ ପ୍ରାୟ ୧ ଛଟାଙ୍କ କମି ହୋଇ ଅବଶିଷ୍ଟ ଓଜନର ବାର୍ଣ୍ଣିସ ମିଳି ପାରିବ ।

•••

 

ପାଲିସ୍‌ ତିଆରି କରିବା ପ୍ରଣାଳୀ

 

ଉତ୍କୃଷ୍ଟ କାଠକାମରେ ବର୍ତ୍ତମାନ ଯେଉଁ ଲାଖର ପାଲିସ୍‌ ଦିଆଯାଉଅଛି, ତାହା ନିମ୍ନଲିଖିତ ଉପାଦାନରେ ପ୍ରସ୍ତୁତ ହେଉଅଛି ।

 

ସ୍ପିରିଟ୍

-

୧ ସେର

ପତୁରି ଲାଖ

-

ଏକ ପାଆ

ଲୋବାନ୍

-

୨ ଭରି

ରୁମୀମସ୍ତକ୍

-

୨ ଭରି

Image

(୨ ନମ୍ବର ଚିତ୍ର)

ଲାଖ, ଲୋବାନ୍ ଓ ରୁମୀମସ୍ତକ୍ ଏହି ତିନି ପଦାର୍ଥକୁ ଚୂର୍ଣ୍ଣ କରିବ । ଗୋଟିଏ ବୋତଲରେ ସ୍ପିରିଟ୍ ରଖି ତହିଁରେ ସେହି ଚୂର୍ଣ୍ଣଗୁଡ଼ିକ ପକାଇ ବୋତଲକୁ ଖରାରେ ୫।୬ ଘଣ୍ଟା ରଖି ରଖି ଦେଲେ ସେହି ମସଲା ଚୂର୍ଣ୍ଣଗୁଡ଼ିକ ସ୍ପିରିଟ୍‌ରେ ମିଶିଯିବ ଓ ୧୨ଘଣ୍ଟା ପରେ ତାହା ବ୍ୟବହାର ଉପଯୁକ୍ତ ହେବ ।

•••

 

କାଗଜ ତିଆରି

 

ଛିଣ୍ଡା କାଗଜରୁ ପୁନଶ୍ଚ ନୂତନ କାଗଜ ପ୍ରସ୍ତୁତ କରାଯାଇ ପାରେ । ବଜାରରେ କଳତିଆରି ନାନାପ୍ରକାର କାଗଜ ବିକ୍ରୟ ହେଉଅଛି । କଳତିଆରି କାଗଜ ଯେପରି ଶସ୍ତା ଦରରେ ବିକ୍ରୟ ହୁଏ, ତାହା ଦେଖି ଲୋକେ ମନେ କରନ୍ତି ଯେ ହାତରେ ତିଆରି କଲେ କାଗଜ କଦାପି ଏତେ ଶସ୍ତା ହୋଇ ପାରିବ ନାହିଁ । କିନ୍ତୁ ବିଚାର କଲେ ବୁଝାଯାଉଅଛି ଯେ, ଦେଶ ବିଦେଶରେ କାରଖାନାମାନଙ୍କ ନିମନ୍ତେ ବହୁତ କଞ୍ଚା ମାଲ ଆମ ଦେଶରୁ ପଠାଯାଉଅଛି । କଞ୍ଚା ମାଲ ଖରିଦ କରିବାକୁ କଳର ମାଲିକ ମୂଲ୍ୟ ଦିଅନ୍ତି ଏବଂ ଏ ଦେଶରୁ ତାହା ବୋହି ନେବା ପାଇଁ ବହୁତ ଖରଚ କରନ୍ତି । କଳର ମୂଲ୍ୟ, କାରଖାନା ଘର ତିଆରି ଖରଚ, କାରଖାନାରେ ନିଯୁକ୍ତ ଲୋକଙ୍କ ଦରମା ଓ ମୂଲ ଆଦିରେ କଳବାଲାଙ୍କୁ ବହୁ ଅର୍ଥବ୍ୟୟ କରିବାକୁ ପଡ଼େ । ଏତେ ଖରଚ କରି ସୁଦ୍ଧା ସେମାନେ ବହୁତ ଲାଭ କରନ୍ତି । ଆମ୍ଭେମାନେ ଯେବେ ବିନା ଖରଚରେ ଆମ ଦେଶରେ କାଗଜ ତିଆରି ପାଇଁ ଉପକରଣମାନ ପାଉଁ ଓ ଫୋପାଡ଼ି ଦେଉଥିବା ଲେଖା ରଦି କାଗଜଗୁଡ଼ିକ ବା ଅନ୍ୟ କଞ୍ଚା ମାଲଗୁଡ଼ିକ ବ୍ୟବହାର କରୁଁ ଓ କଳକାରଖାନା ପାଇଁ କିଛି ବ୍ୟୟ ନ କରୁଁ ମୂଲିଆ ଓ ଚାକର ନ ରଖି ନିଜେ ଅଳ୍ପ ପରିଶ୍ରମ କରି ଅତି ଅଳ୍ପ ମୂଲ୍ୟରେ ସାମାନ୍ୟ ଦୁଇ ତିନି ଗୋଟି ପଦାର୍ଥ ଖରିଦ କରି ନିଜ ନିଜ ଘରେ କାଗଜ ତିଆରି କରୁଁ, ତେବେ ସସ୍ତାରେ ନ ହେବ କାହିଁକି ? ପୁଣି ସାଧାରଣ ବ୍ୟବହାର ପାଇଁ କିମ୍ବା ପିଲାଙ୍କ ଲେଖାପଢ଼ା ପାଇଁ କିଣିବାରେ ଆମେ ଯେତେ ଅର୍ଥବ୍ୟୟ କରୁଁ, ତାହା ଯେବେ ଘର ତିଆରି କାଗଜ ପାଇଁ ବ୍ୟୟ କରିବାକୁ ନ ପଡ଼େ, ତେବେ ଅନେକ ଧନ ଆମ ଦେଶରେ ରହିଯିବ । ଦେଶର ଆର୍ଥିକ ଅବସ୍ଥା ଉନ୍ନତିର ଦୁଇଗୋଟି ପ୍ରଧାନ ଉପାୟ ଏହି :-୧ । ଦେଶରୁ ଯେତେ କମ୍ ଧନ ବିଦେଶକୁ ବାହାରିଯାଏ ସେଥିପାଇଁ ସତର୍କ ହେବା ଏବଂ ୨ । ଯେତେ ଅଧିକ ଧନ ଅନ୍ୟ ଦେଶରୁ ଆମ ଦେଶକୁ ଆସିବ, ତାହାରି ଉପାୟ କରିବା । ସାଧାରଣ ବ୍ୟବହାର ଉପଯୋଗୀ କାଗଜଗୁଡ଼ିକ ଘରେ ଘରେ ତିଆରି କରି ପାରିଲେ ବହୁତ ଧନବ୍ୟୟ କମିଯିବ ।

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

କାଗଜ ତିଆରି ପାଇଁ ଗୋଟିଏ ବଡ଼ କୁଣ୍ଡ ଓ ଗୋଟିଏ ଛାଞ୍ଚ ଲୋଡ଼ା । ଥରେ ୪।୫ ଟଙ୍କା ଖର୍ଚ୍ଚ କରି ଇଟାର ଓ ଚୂନର ଗୋଟିଏ କୁଣ୍ଡ କରିନେଲେ ତାହା ବହୁକାଳ ରହିବ । ଛାଞ୍ଚ ଗୋଟିଏ କିଣିବାକୁ ୧ଟଙ୍କା ବା ୧.୫ ଟଙ୍କା ପଡ଼ିବ । ଆମେ ନିଜେ ପରିଶ୍ରମ କଲେ ଆପଣା ହାତରେ ମଧ୍ୟ ଛାଞ୍ଚ ଗୋଟିଏ ତିଆରି କରି ପାରିବା । ଖଣ୍ଡିଏ ଲମ୍ବ ପଦ ଥିବା ଟାଣୁଆ ବାଉଁଶକୁ ଚିରି ତହିଁରୁ ଖୁବ୍ ସରୁ ସରୁ ସମାନ ମୋଟ କାଠିଗୁଡ଼ିଏ ଗୋଲ ଗୋଲ କରି ଚାଞ୍ଛି ତାହାକୁ ସୂତାଦ୍ୱାରା ବା ଘୋଡ଼ାବାଳଦ୍ୱାରା ହେଁସ ବୁଣିଲାପରି ବୁଣିବ । ଛାଞ୍ଚ ଯେତେ ବଡ଼ କରିବ ତହିଁରୁ ତେତିକି ବଡ଼ କାଗଜ ହୋଇ ପାରିବ । ସେହି ଛାଞ୍ଚଖଣ୍ଡିକ ସମତୁଲ ହୋଇ ବସିବା ଭଳି ଆଉ ଖଣ୍ଡିଏ କାଠର ଚାରିକୋଣିଆ ଫରମା କରି ନେବ, ଯାହା ଉପରେ ସେହି ଛାଞ୍ଚଟି ପାରିଦେଇ ତାହା କୁଣ୍ଡରେ ବୁଡ଼ାଇ ଉଠାଇବାକୁ ହେବ । ଛିଣ୍ଡା କାଗଜରୁ ନୂଆ କାଗଜ ତିଆରି କରିବାର ପ୍ରଣାଳୀ ଅତି ସହଜ । ଛିଣ୍ଡା କାଗଜଗୁଡ଼ିଏ ସଂଗ୍ରହ କରିବ । ସେ କାଗଜ ଯେତିକି ପାଣିରେ ତିନ୍ତିଯିବ ସେତିକି ପାଣିରେ ସାମାନ୍ୟ ପରିମାଣ କଷ୍ଟିକ୍ ସୋଡ଼ା ପକାଇ ସେହି ପାଣିରେ ଛିଣ୍ଡା କାଗଜଗୁଡ଼ିକୁ ତିନ୍ତାଇଦେବ । ଯେବେ ୫ ସେର ଛିଣ୍ଡା କାଗଜ ଥିବ, ତେବେ ୨.୫ ତୋଳା କଷ୍ଟିକ୍ ସୋଡ଼ା ଦେବ-। କାଗଜକୁ ୧୦।୧୨ ଘଣ୍ଟା ତିନ୍ତାଇ ରଖିବା ପରେ ତାହାକୁ ଉତ୍ତମରୂପେ ଗୋଡ଼ରେ ଦଳିବ-। ୨ ନମ୍ବର ଚିତ୍ର ଦେଖ । ତାହା ଉତ୍ତମରୂପେ ଦଳି ହୋଇ ଗଲେ ତାହାକୁ ପରିଷ୍କାର କରିବା ନିମନ୍ତେ ଗୋଟିଏ ପତଳା ଗାମୁଛା ବା ଅଳ୍ପ ଝଲରା କନାରେ ଅଳ୍ପ ଅଳ୍ପ ଏହି ଦଳା କାଗଜକୁ ରଖି ତାହାକୁ ପାଣିରେ ବୁଡ଼ାଇ ଘସି ଧୋଇ ଦେଲେ ତହିଁରୁ ମଇଳାଗୁଡ଼ିକ ବାହାରିଯିବ । ତା ପରେ ସେହି କାଗଜରେ ପିଟିକରି ଚୂର୍ଣ୍ଣ ଦୁଇ ଛଟଙ୍କି ଓ ରେଜିନ ସୋପ (ସାବୁନ) ଦୁଇ ଛଟାଙ୍କି ପକାଇ ତାହାକୁ ଉତ୍ତମରୂପେ ଦଳି ସେ ଦଳା କାଗଜରେ ମିଶାଇଦେବ ଏବଂ ଯେତେବେଳେ ତାହାକୁ ଚିପୁଡ଼ିଲେ ପରିଷ୍କାର ପାଣି ବାହାରିବାର ଦେଖିବ, ତେତେବେଳେ ଏହା ଠିକ୍ ପ୍ରସ୍ତୁତ ହୋଇଥିବାର ଜାଣିବ ।

Image

(୩ ନମ୍ବର ଚିତ୍ର)

ବର୍ତ୍ତମାନ ଗୋଟିଏ କୁଣ୍ଡରେ ଜଳ ପୂର୍ଣ୍ଣ କରି ତହିଁରେ ଏହି ଦଳା କାଗଜକୁ ଉତ୍ତମରୂପେ ଗୋଳାଇ କରି ମିଶାଇଦେବ । ଆବଶ୍ୟକ ହେଲେ ଦହିମୁହାଁ ଖୁଆ ଗୋଟିଏ ପକାଇ ବୁଲାଇଲେ ଦଳା କାଗଜ ସହଜରେ ମିଶିଯିବ । ଛାଞ୍ଚଟିକୁ କାଠ ଫରମା ଉପରେ ପକାଇ ତହିଁର ଦୁଇ ବାହୁକୁ ଦୁଇ ହାତରେ ଗୋଟିଏ ଚାଲୁଣିକୁ ଧରିଲା ପରି ଧରି ତାହାକୁ କୁଣ୍ଡରେ ବୁଡ଼ାଇ ଆସ୍ତେ ଆସ୍ତେ ଉପରକୁ ଉଠାଇଲେ କୁଣ୍ଡର ଜଳରେ ମିଶି ଯାଇ ଭାସୁଥିବା ପଦାର୍ଥର ଗୋଟିଏ ପରସ୍ତ ସେହି ଛାଞ୍ଚ ଉପରେ ବସିଯିବ । ଏହି ଗୋଟିଏ ପରସ୍ତରେ ଫରଦେ କାଗଜ ହୋଇପାରେ । ମାତ୍ର ଏ ପରସ୍ତଟି ନାନା କାରଣରୁ ସମ୍ପୂର୍ଣ୍ଣ ସମାନ ହୋଇପାରୁ ନ ଥିବାରୁ ସାଧାରଣତଃ ଛାଞ୍ଚଟିକୁ ୩ ଥର କୁଣ୍ଡରେ ବୁଡ଼ାଇ ୩ ଗୋଟି ସ୍ତର ନେଇ ଫରଦେ ଲେଖାଏ କାଗଜ ପ୍ରସ୍ତୁତ କରାଯାଇଥାଏ । ନିକଟରେ ଆଉ ଖଣ୍ଡିଏ ପଟା ଉପରେ ୪।୫ ପରସ୍ତ କନା ବା ଅଖା ମେଲାଇ କରି ପାରି ଦେଇଥିବ । କୁଣ୍ଡରୁ କାଗଜ ପରସ୍ତକୁ ପରସ୍ତ ଉଠାଇ ଛାଞ୍ଚକୁ ଓଲଟାଇ ଦେଇ ସେହି ପଟା ଉପରେ ଧୀରେ ଧୀରେ ଅଜାଡ଼ି ଦେଲେ ତହିଁରୁ ପାଣିଗୁଡ଼ିକ କ୍ରମେ ନିଗିଡ଼ିଯିବ । ଏହିପରି ଯେତେ କାଗଜ ଉଠାଉଥିବ, ତାହା ସମସ୍ତ ଏକସ୍ଥାନରେ କ୍ରମେ ଜମା କରିଦେବ । ପାଣିଗୁଡ଼ିକ ଉତ୍ତମରୂପେ ନିଗିଡ଼ି ଗଲେ ଗୋଟି ଗୋଟି କରି ପ୍ରତି ପରସ୍ତକୁ ଉଠାଇ ନେଲେ ତାହା ଉଠିଯିବ । ସେଗୁଡ଼ିକ ଆଉ ଗୋଟିଏ ପଟା ଉପରେ ବା କାନ୍ଥରେ ଲଗାଇ ସୁବିଧା ସ୍ଥାନରେ ଶୁଖାଇ ଦେବ । ଶୁଖିଗଲେ ତହିଁ ଉପରେ ଆରାରୁଟ୍ ବା ଚାଉଳର ମଣ୍ଡ ରାନ୍ଧି ଗୋଟିଏ ବୁରୁଶ୍‌ ଦ୍ୱାରା ବା ଖଣ୍ଡିଏ କନାଦ୍ୱାରା ଏକ ପରସ୍ତ ମଣ୍ଡ ଲଗାଇ ଦେବ । ମଣ୍ଡ ଶୁଖିଗଲେ କାଗଜ ଖଣ୍ଡିକ ଉପରେ ଗୋଟିଏ କୌଣସି ଚିକ୍କଣ ପଦାର୍ଥ (ଯଥା ବଡ଼ ବାଲିଗରଡ଼ା) ଘସିବ । ତାହାହେଲେ କାଗଜ ଚିକ୍କଣ ଓ ପାଲିସ୍ ହୋଇଯିବ । ଛିଣ୍ଡା କାଗଜ ସଙ୍ଗେ କିଛି ଝୋଟ ବା ଛଣପଟ ମିଶାଇଲେ କାଗଜ ଅଧିକ ଶକ୍ତ ଓ ସୁନ୍ଦର ହେବ ।

Image

(୪ ନମ୍ବର ଚିତ୍ର)

ଝୋଟ ବା ଛଣପଟ ମିଶାଇବାକୁ ହେଲେ ପ୍ରଥମେ କିଛି ଝୋଟ ବା ଛଣପଟ ନେବ । ତହିଁରେ ତହିଁର ଶତକରା ୫ ଭାଗ କଷ୍ଟିକ ସୋଡ଼ା ସହିତ ଆବଶ୍ୟକ ପରିମାଣର ପାଣି ଦେଇ ତାହାକୁ ପ୍ରାୟ ୧.୫ ଘଣ୍ଟା ପର୍ଯ୍ୟନ୍ତ ସିଝାଇବ । ତତ୍ପରେ ତାହାକୁ ଢ଼ିଙ୍କିରେ କୁଟିବ । ଉତ୍ତମରୂପେ କୁଟି ହୋଇଗଲେ ତାହାକୁ କୁଟା ହୋଇଥିବା କାଗଜ ସଙ୍ଗେ ମିଶାଇବ ।

 

ନଡ଼ା ଓ କୁଟାକୁ ମଧ୍ୟ ସେହିପରି କଷ୍ଟିକ ସୋଡ଼ା ଓ ପାଣିରେ ସିଦ୍ଧ କରି ତତ୍ପରେ ଢ଼ିଙ୍କିରେ କୁଟିଲେ ତାହା ମେଞ୍ଚା ମେଞ୍ଚା ହୋଇଯିବ । ମାତ୍ର ତାହାର ରଙ୍ଗକୁ ସଫା କରିବା ପାଇଁ ତାହାକୁ ବ୍ଲିଚିଙ୍ଗ ପାଉଡ଼ର ଗୋଳା ଜଳରେ ପକାଇବାକୁ ହେବ । ତାହାହେଲେ ତାହା ସଫା ହୋଇଯିବ ।

 

ଉପରେ ଯେଉଁ ରେଜିନ୍ ସୋପ୍ କଥା ଲେଖା ହୋଇଅଛି, ତାହା ସବୁ ସମୟରେ ଓ ସବୁଠାରେ ମିଳେ ନାହିଁ । ତେଣୁ ତାହା ନିଜେ ତିଆରି କରିନେବା ଉଚିତ ।

•••

 

ରେଜିନ୍ ସୋପ୍ ତିଆରି କରିବା ପ୍ରଣାଳୀ

 

ରେଜିନ୍‌କୁ ସାଧାରଣ ଲୋକେ ରଞ୍ଜନ ଝୁଣା କହନ୍ତି । ରେଜିନ୍ ସୋପ୍ କରିବା ପାଇଁ ରଞ୍ଜନ ଝୁଣା ଯେତେ ନେବ, ତହିଁରେ ତହିଁର ଦଶଭାଗରୁ ଭାଗେ କଷ୍ଟିକ୍ ସୋଡ଼ା ପକାଇବ । ଆବଶ୍ୟକ ପରିମାଣର ଜଳ ଦେଇ ତାହାକୁ ନିଆଁରେ ବସାଇ ଦେବ । ଝୁଣା ଉତ୍ତମରୂପେ ସେହି ସୋଡ଼ାମିଶା ପାଣିରେ ମିଳାଇଯିବା ପର୍ଯ୍ୟନ୍ତ ତାହାକୁ ନିଆଁ ଉପରେ ବସାଇ ଗରମ କରୁଥିବ । ଯେତେବେଳେ ସେଗୁଡ଼ିକ ମିଶିଯାଇ ସାରିବ ତେତେବେଳେ ତାହାକୁ ପରୀକ୍ଷା କରି ଦେଖିବ ସାବୁନ୍ ପ୍ରସ୍ତୁତ ହେଲାଣି କି ନାହିଁ । ସେହି ଗରମ ହେଉଥିବା ପାଣିରୁ ଟିକିଏ ନେଇ ଥଣ୍ଡା ପାଣିରେ ପକାଇଲେ ଯେବେ ତାହା ପାଣି ସହିତ ମିଶି ଯିବ ତେବେ ଜାଣିବ ଯେ, ରେଜିନ୍ ସୋପ୍ (ସାବୁନ୍) ପ୍ରସ୍ତୁତ ହେଲାଣି । ସେହି ପାଣିକୁ ଥଣ୍ଡା ପାଣିରେ ପକାଇଲେ ଯେତେବେଳ ପର୍ଯ୍ୟନ୍ତ ତାହା ନ ମିଶିବ, ସେତେବେଳ ପର୍ଯ୍ୟନ୍ତ ଜାଣିବ ଯେ ରେଜିନ୍ ସୋପ୍ ପ୍ରସ୍ତୁତ ହୋଇ ନାହିଁ । ଏ ସାବୁନ୍ ପ୍ରସ୍ତୁତ ହୋଇଗଲେ ତାହାକୁ ନିଆଁରୁ ଓହ୍ଲାଇ ଆଣି ସାଧାରଣ ସାବୁନ ରଖିବା ପରି ରଖିବ ଓ ଆବଶ୍ୟକ ଅନୁସାରେ ବ୍ୟବହାର କରିବ ।

•••

 

ସୋଲକାମ

 

ସୋଲ ଓଡ଼ିଶାର ସମତଳ ଅଞ୍ଚଳରେ ପ୍ରାୟ ସବୁ ସ୍ଥାନରେ ମିଳେ । ପାହାଡ଼ିଆ ଅଞ୍ଚଳରେ ଅନେକ ସ୍ଥଳରେ ମଧ୍ୟ ମିଳେ । ଜଳପାଟ ଜମି, ଖାଲ ଜମି, ଜୋଡ଼ ଏବଂ କେତେକ ପୋଖରୀରେ ସୋଲ ଆପେ ଆପେ ଉଠେ । ସୋଲକୁ କେହି ଚାଷ କରନ୍ତି ନାହିଁ । ଯେଉଁଠାରେ ଯେତେ ଅଧିକ ଜଳପାଟ ଜମି ଥାଏ, ସେଠାରେ ସେତେ ଅଧିକ ସୋଲ ମିଳେ । ସୋଲଗୁଡ଼ିକ କେତେକ ନରମ ଥାଏ ଆଉ କେତେଗୁଡ଼ିଏ ଅଳ୍ପ ଟାଣ ଥାଏ । ଯେଉଁଗୁଡ଼ିକ ବେଶୀ ଜଳରେ ଜନ୍ମେ ଓ ସୁବିଧାରେ ପାଣି ପାଇ ପାରେ ସେଗୁଡ଼ିକ ଅଧିକ ମୋଟ ଏବଂ ନରମ ହୁଏ । ଯେଉଁ ଗୁଡ଼ିକ ଜନ୍ମିବା ଜାଗାରେ ଅଧିକ ପାଣି ନ ଥାଏ, ସେଗୁଡ଼ିକ ଟାଣ ହୋଇଯାଏ । ଟାଣ ସୋଲଗୁଡ଼ିକ ଅଧିକ ମୋଟା ହୁଏ ନାହିଁ । ତାହା ମୂଳରୁ ଅଳ୍ପ ଉଠିଲା ପରେ ତହିଁରୁ ବହୁତ କୁଆଁ ବାହାରି ବେଶୀ ଡାଳ ହୋଇଯାଏ; ତେଣୁ ସେ ସୋଲ ଅଧିକ ଗଣ୍ଠିଯୁକ୍ତ ହୁଏ । ତାହାଦ୍ୱାରା କୌଣସି କାର୍ଯ୍ୟ କରିବା ପାଇଁ ସୁବିଧା ହୁଏ ନାହିଁ । ସାଧାରଣ ଲୋକେ ନରମ ସୋଲକୁ ମାଈ ସୋଲ ଏବଂ ଟାଣ ସୋଲକୁ ଅଣ୍ଡିରା ସୋଲ କହନ୍ତି । ସାଧାରଣତଃ ଦୀପାବଳି ଅମାବାସ୍ୟା ପୂର୍ବରୁ ସୋଲ ସଂଗ୍ରହ କରିବାକୁ ହୁଏ । ସେହି ସମୟ ମଧ୍ୟରେ ସୋଲକୁ କାଟି ନ ଆଣିଲେ ଏହା ଅଧିକ ପାକଳ ହୋଇ ମଧ୍ୟ କେତେକ ପରିମାଣରେ ଟାଣ ହୋଇଯାଏ ଓ ତହିଁରେ କୌଣସି କାମ କରିବାକୁ ସୁବିଧା ହୁଏ ନାହିଁ-। ସୋଲକୁ କାଟିଆଣି ଆଠ ଦଶଦିନ ଖରା ଓ କାକର ଦେଲେ ସୋଲ ନରମ ରହେ ଏବଂ ସେ ସୋଲରେ କାମ କରିବାକୁ ସୁବିଧା ହୁଏ । ଅନେକ ଲୋକ ସୋଲ କାଟି ଆଣି ଘରର ପିଢ଼ା ଉପରେ ପକାଇ ଦେଇ ଥାଆନ୍ତି । ସେହିଠାରେ ସୋଲ ଦିନରେ ଖରା ଓ ରାତିରେ କାକର ଖାଇ ଆପେ ଆପେ କାମ କରିବା ଲାଏକ ହୋଇଯାଏ ।

 

ପୂର୍ବେ ଓଡ଼ିଶାରେ ବିବାହ ବ୍ରତ ଆଦି ଉତ୍ସବମାନଙ୍କରେ ଏବଂ ଦେବଦେବୀଙ୍କର ଯାତ୍ରା ପର୍ବ ଆଦିରେ ବହୁତ ରୋଷନି ହେଉଥିଲା । ସେହି ରୋଷନିରେ ସୋଲର ନାନାପ୍ରକାର ଫୁଲ ଓ ଫଳର ଝାଡ଼ ଆଦି ପ୍ରସ୍ତୁତ ହେଉଥିଲା । ମାଳିମାନଙ୍କର ସୋଲ କାମ ପ୍ରଧାନ ଜୀବିକା ଥିଲା । ସେମାନେ ଏହି ଶିଳ୍ପରୁ ଯଥେଷ୍ଟ ଲାଭ କରି ପୋଷି ହେଉଥିଲେ । ଫୁଲର ଅଭାବ ହେଲେ ମାଳିମାନେ ସୋଲର ଉପର ଚୋପାକ, ସୂତାରେ ବାନ୍ଧି ଫୁଲହାର କରି ବିକ୍ରୟ କରନ୍ତି । ଏହି ହାର ଦେବତାଙ୍କୁ ଓ ମନୁଷ୍ୟମାନଙ୍କୁ ମଧ୍ୟ ଦିଆଯାଏ । ବର୍ତ୍ତମାନ ରୁଚିର ପରିବର୍ତ୍ତନ ଓ ଆର୍ଥିକ ଅବସ୍ଥା ଦୃଷ୍ଟିରୁ ସାଧାରଣ ଲୋକଙ୍କର ସୋଲ କାମରେ ରୋଷନିରେ ବ୍ୟୟ କରିବା ଆଉ ସମ୍ଭବପର ହେଉ ନାହିଁ । ତାହା ବୋଲି ଲୋକେ ଯେ ରୋଷନିରେ ଆଉ ଟଙ୍କା ଖରଚ କରୁ ନାହାନ୍ତି ତାହା ନୁହେଁ । ବରଂ ଆହୁରି ଅଧିକ ଖରଚ କରୁଅଛନ୍ତି । କେବଳ ରୋଷନିର ଉପକରଣ ପରିବର୍ତ୍ତନ ହୋଇଅଛି ଓ ସୋଲ ପରିବର୍ତ୍ତେ କରି, ରଙ୍ଗିନ କାଗଜ, ଅଭ୍ର ଆଦିରେ ଫୁଲଝାଡ଼ ଆଦି କରା ଯାଉଅଛି ।

 

ଶିଳ୍ପର ବିଶେଷତ୍ୱ ଏତିକି ଯେ, ଯେଉଁମାନେ ଶିଳ୍ପ ଉପରେ ନିର୍ଭର କରିବେ, ସେମାନଙ୍କୁ ଲୋକଙ୍କ ରୁଚି, ଦେଶର ଆର୍ଥିକ ଅବସ୍ଥା, ସର୍ବସାଧାରଣଙ୍କର କ୍ରୟ କରିବାର ଶକ୍ତି ଓ କାଳର ଗତି ସଙ୍ଗେ ସଙ୍ଗେ ଗତି କରିବାକୁ ପଡ଼ିବ । ଯାହାଙ୍କର ଶିଳ୍ପରେ ହାତସଫେଇ ଅଛି, ଅଟକଳ କରିବାର ଆଖି ଅଛି ଓ ବୁଦ୍ଧି ଅଛି, ଗ୍ରାହକଙ୍କ ଅବସ୍ଥାର ପରିବର୍ତ୍ତନକୁ ଚାହିଁ ତାହାଙ୍କୁ ପଦାର୍ଥର ଆକାର ଓ ପ୍ରକାର ପରିବର୍ତ୍ତନ କରିବାକୁ ପଡ଼ିବ । ବର୍ତ୍ତମାନ ଲୋକେ ପୂର୍ବର ସେହି ସୋଲ ଫୁଲର ଝାଡ଼ ପାଇଁ ଟଙ୍କା ଖରଚ କରିବାକୁ ରାଜି ନୁହନ୍ତି, କିନ୍ତୁ ସୋଲର ଟୋପି (Hat) ସମସ୍ତେ କିଣୁ ଅଛନ୍ତି ଏବଂ ଏଥିପାଇଁ ଅଧିକ ମୂଲ୍ୟ ଦେଉଅଛନ୍ତି । ପୂର୍ବକାଳର ସୋଲର ବଡ଼ ବଡ଼ କଦମ୍ବ ଓ କଇଁଫୁଲର ଝାଡ଼କୁ ଲୋକେ ପସନ୍ଦ କରୁ ନାହାନ୍ତି, ସୋଲର ନଡ଼ିଆ ଓ ସପୁରୀଲଗା ଝାଡ଼କୁ ପସନ୍ଦ କରୁ ନାହାନ୍ତି, କିନ୍ତୁ ସୋଲରେ ତିଆରି ଗୋଲାପ, ମଲ୍ଲୀ, ଚମ୍ପା ଓ ଅନ୍ୟାନ୍ୟ ଫୁଲର ତୋଡ଼ା ଦେଖିଲେ ଟେବୁଲ୍‌ରେ ସଜାଇବା ପାଇଁ ବହୁ ପରିମାଣରେ ଅଧିକ ମୂଲ୍ୟ ଦେଇ ଆଦର ସହିତ କିଣୁ ଅଛନ୍ତି । କଟକର କୁଟୀରଶିଳ୍ପ କାରଖାନାରେ ସୋଲର ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି ହେଉଅଛି । ତାହାକୁ ସମସ୍ତେ ପସନ୍ଦ କରୁଅଛନ୍ତି । ଯାହାର ସୋଲ କାଟିବାର ହାତସଫେଇ ଅଛି, ଯେ ସୋଲକୁ ଖୁବ୍ ପତଳା କରି ‘ପାତଳି’ କାଟି ପାରେ ସେ ଅଳ୍ପ ଚେଷ୍ଟାରେ ସହଜରେ ବର୍ତ୍ତମାନର ରୁଚି ଅନୁସାରେ ଅତି ତାରିଫ୍ ପଦାର୍ଥମାନ ତିଆରି କରି ପାରିବ । ସେହିପରି କେତେଗୋଟି ପଦାର୍ଥ ତିଆରି କରିବା ପ୍ରଣାଳୀ ଏହି ପୁସ୍ତକରେ ଦିଆଗଲା ।

Image

(୧ ନମ୍ବର ଚିତ୍ର)

ସୋଲଗୁଡ଼ିକ ଉତ୍ତମରୂପେ କାଟି ତହିଁରେ ନାନା ରକମର କାରିଗରି ପଦାର୍ଥ ତିଆରି କରିବାକୁ ହୁଏ । ସୋଲକୁ ଯେ ଯେତେ ଉତ୍ତମରୂପେ କାଟି ପାରିବେ ସେ ସୋଲରେ ତେତେ ସରସ ପଦାର୍ଥ ତିଆରି କରି ପାରିବେ । ସୋଲ କାଟିବା ପାଇଁ ଛୁରୀ ଖଣ୍ଡିକ ଭଲ ଈସ୍ପାତ୍ ଲୁହାର ହେବା ଆବଶ୍ୟକ । ତହିଁର ଦାଢ଼ ଖୁର ଦାଢ଼ ପରି ବାରିକ୍ ସରୁ ନ ହେଲେ ସେଥିରେ ସୋଲ କାଟି ହେବ ନାହିଁ । ସୋଲ କାଟିବାର ଛୁରୀକୁ ସବୁ ସମୟରେ ଯତ୍ନ କରି ରଖିବାକୁ ହେବ । ସେ ଛୁରୀରେ ଅନ୍ୟ କୌଣସି ପଦାର୍ଥ କାଟିବ ନାହିଁ । ସୋଲକଟା ଛୁରୀକୁ ୫।୬ ଦିନରେ ଥରେ ଲେଖାଏଁ ଶାଣ ଦେବା ଆବଶ୍ୟକ ହୁଏ । ସୋଲ କାଟିବା ବେଳେ ପାଖରେ ଛୁରୀକୁ ଘଷିବା ପାଇଁ ଖଣ୍ଡିଏ ପଟା ରଖିଥିବ । ବରାବର ସେହି ପଟାରେ ଥରେ ଥରେ ଛୁରୀକୁ ଘଷୁଥିବ । ଭଣ୍ଡାରିମାନେ ଖୁର ଘଷିବାକୁ ଯେପରି ଖଣ୍ଡିଏ ଖଣ୍ଡିଏ ଶିଳ ଓ ଚମଡ଼ା ରଖିଥାଆନ୍ତି ସେହିପରି ଶିଳ ଓ ଚମଡ଼ା ରଖିଲେ ମଧ୍ୟ ଚଳିବ । ଆଉ ମଧ୍ୟ ସୋଲ କଟାଳି ନିଜ ପାଖରେ ଗୋଟିଏ ଭଲ କଇଞ୍ଚି ଓ ଗୋଟିଏ ତୀକ୍ଷ୍ଣ ନହୁରୁଣୀ ରଖିବା ଆବଶ୍ୟକ ହେବ ।

•••

 

ଗୋଲାପ ଫୁଲ

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

ଗୋଲାପ ଫୁଲ କରିବା ପାଇଁ ପ୍ରାୟ ୧.୫ଇଞ୍ଚ ଲମ୍ବା ଅଥବା ୩ ଇଞ୍ଚ ଲମ୍ବା ଖଣ୍ଡିଏ ସୋଲ ନେବ । ତାହାକୁ ନରମ ଓ ଚାରିଆଡ଼େ ସମାନ କରିବା ପାଇଁ ଖଣ୍ଡିଏ ପଟା ଉପରେ ଟିକିଏ ଜୋର ଦେଇ ଉତ୍ତମରୂପେ ହାତର ଲେଡ଼ିରେ ଚାପି କେତେଥର ଗଡ଼ାଇ ଦେବ । ୨ ନମ୍ବର ଚିତ୍ର ଦେଖ । ତାହାହେଲେ ସୋଲଖଣ୍ଡିକ କେତେକ ପରିମାଣରେ ନରମ ହୋଇଯିବ । ସେହି ସୋଲର ଉପରେ ଯେଉଁଠାରେ ଯେଉଁ ଅଂଶ ଅସମାନ ଥିବ ତାହା ମଧ୍ୟ ସମାନ ହୋଇଯିବ । ତା ପରେ ନିମ୍ନର ୩ ନମ୍ବର ଚିତ୍ର ପରି ସୋଲଖଣ୍ଡିକୁ ବାମ ହାତରେ ଧରି ଏକ ପାଖରୁ ଲମ୍ବ ବାଗରେ ଛୁରୀକୁ ଚଲାଇ ଛୁରୀଟିକୁ ସୋଲର ଲମ୍ବବାଗର ପାର୍ଶ୍ୱ ସଙ୍ଗେ ମିଳାଇ ସୋଲକୁ ବୁଲାଇ ବୁଲାଇ ସମାନ ମୋଟର ଗୋଟିଏ ପରସ୍ତ ପାତ କାଟିନେବ; ଯେପରି ପାତଖଣ୍ଡିକ ସବୁ ସ୍ଥାନରେ ସମାନ ମୋଟ ହେବ । ଏହାକୁ ପାତଳି କଟା କହନ୍ତି ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

(୬ ନମ୍ବର ଚିତ୍ର)

ଯେତେ ପତଳା ଓ ସମାନ କରି ଏହି ‘ପାତଳି’କୁ କାଟି ପାରିବ, ତହିଁରେ ଯେଉଁ ପଦାର୍ଥ କରିବ ତାହା ଦେଖିବାକୁ ସେତେ ଅଧିକ ସୁନ୍ଦର ହେବ । ୪ ଇଞ୍ଚ ମୋଟା ଖଣ୍ଡିଏ ସୋଲରୁ ୪ ଫୁଟରୁ ୧.୫ ଫୁଟ ପର୍ଯ୍ୟନ୍ତ ଲମ୍ବା ଗୋଟିଏ ସୁନ୍ଦର ‘ପାତଳି’ କାଟିକରି କଢ଼ା ହୋଇ ପାରିବ । ତା ପରେ ସେ ‘ପାତଳି’ରୁ ସୋଲର ଚୋପା ଅଂଶଟି ବାଦ ଦେଇ ପାତଳିର ଅବଶିଷ୍ଟ ଅଂଶକୁ ହେଁସ ପରି ଗୁଡ଼ାଇ ଗୋଲ କରିବ ଏବଂ ତାହାକୁ ଆହୁରି ଉତ୍ତମରୂପେ ଭିଡ଼ି ଗୁଡ଼ାଇବ । ୪ ନମ୍ବର ଚିତ୍ର ଦେଖ । ଯେତେ ଅଧିକ ଭିଡ଼ି ଗୁଡ଼ାଇଥିବ ଫୁଲ କାଟିବାକୁ ସେତେ ଅଧିକ ସୁବିଧା ହେବ । ଏଥର ସେ ଗୁଡ଼ିଆ ପାତଳି ୩ ଇଞ୍ଚ ଲମ୍ବା ଥିଲେ ତହିଁର ଦୁଇ ମୁଣ୍ଡରେ ଦୁଇଖଣ୍ଡି ସରୁ ସୂତା ଭିଡ଼ି ବାନ୍ଧିଦେବ; ୧.୫ ଇଞ୍ଚ ଲମ୍ବା ଥିଲେ ଗୋଟିଏ ମୁଣ୍ଡରେ ଖଣ୍ଡିଏ ସୂତା ବାନ୍ଧିବ । ୩ ଇଞ୍ଚ ଲମ୍ବା ଥିଲେ ତାହାକୁ ଠିକ୍ ମଝିରୁ ସମାନ କରି କାଟି ଦୁଇଖଣ୍ଡ କରିଦେବ । ତହିଁରୁ ଖଣ୍ଡିଏ ନେଇ ବନ୍ଧା ହୋଇଥିବା ସ୍ଥାନକୁ ବାମ ହାତରେ ଧରିବ । ତହିଁର ଉପରକୁ ସମାନ ୪ ଭାଗରେ କେବଳ ଚାରିପାଖରୁ ଏପରିଭାବରେ ଛୁରୀ ବସାଇ କାଟିବ, ଯେପରି ଛୁରୀ ବାହାର ପାଖରେ ବନ୍ଧା ହେବା ସୂତାର କିଛି ଉପର ପର୍ଯ୍ୟନ୍ତ ଭେଦ କରି ତହିଁର ମଝି କେନ୍ଦ୍ରକୁ କେବଳ ସ୍ପର୍ଶ କରିବ । ୫ ନମ୍ବର ଚିତ୍ର ଦେଖ । ତା ପରେ ସେହି ୪ଗୋଟା କଟା ସ୍ଥାନରେ କଟା ସ୍ଥାନର ଦୁଇ ପାଖରୁ ଅଳ୍ପ ଅଳ୍ପ ଗୋଲ କରି ଏପରିଭାବରେ କାଟିବ, ଯେପରି କଟା ହୋଇଥିବା ୪ ଭାଗରୁ ପ୍ରତି ଭାଗର ଉପର କିଞ୍ଚିତ୍ ଗୋଲ ହୋଇଯିବ । ଅର୍ଥାତ୍ ସେହି ଗୋଲ ହୋଇ କଟା ହୋଇଥିବା ଅଂଶଗୁଡ଼ିକ ପରେ ଫୁଲର ପାଖୁଡ଼ା ହୋଇ ପାରିବ । ୬ ନମ୍ବର ଚିତ୍ର ଦେଖ । ଏଥର ତାହାକୁ ଟିପରେ ଉତ୍ତମରୂପେ ଚିପି ଦେଲେ ତାହା ଟିକିଏ ଢ଼ିଲା ହୋଇଯିବ ।

Image

(୭ ନମ୍ବର ଚିତ୍ର)

(୮ ନମ୍ବର ଚିତ୍ର)

ତା ପରେ ଉପରୁ ଏବଂ ତଳୁ ଦୁଇ ହାତର ଆଙ୍ଗୁଠିଦ୍ୱାରା ଚିପି ଚିପି ଯେଉଁଆଡ଼କୁ ପାତଳି ଗୁଡ଼ା ଯାଇଅଛି, ସେହିଆଡ଼କୁ ଏପରି ଭାବରେ ବୁଲାଇବ, ଯେପରି ଗୁଡ଼ା ହୋଇଥିବା ପାତଳିର ମଧ୍ୟଭାଗ କ୍ରମେ ଭିତରକୁ ପଶିଯାଉଥିବ । ୭ ନମ୍ବର ଚିତ୍ର ଦେଖ । ଯେତେବେଳେ ଦେଖିବ କଟା ହୋଇଥିବା ପାଖୁଡ଼ାଗୁଡ଼ିକ କ୍ରମେ ବୁଲି ବୁଲି ଭିତରର ପ୍ରତି ପାଖୁଡ଼ା ତହିଁଉପର ସ୍ତରର ଦୁଇଟି ପାଖୁଡ଼ାର ମଧ୍ୟବର୍ତ୍ତୀ ସ୍ଥାନକୁ ଆସିଯିବ, ତେତେବେଳେ ଖଣ୍ଡିଏ ଶକ୍ତ ସରୁ ଡୋର ପୂର୍ବ ବନ୍ଧା ସ୍ଥାନରେ ବାନ୍ଧି ଉତ୍ତମରୂପେ ଭିଡ଼ିଦେଲେ ପାଖୁଡ଼ାଗୁଡ଼ିକ ଖୋଲି ଯାଇ ଗୋଟିଏ ଗୋଲାପ ଫୁଲ ହୋଇଯିବ । ୮ ନମ୍ବର ଚିତ୍ରଦେଖ ତା ପରେ ଯେଉଁ ରଙ୍ଗରେ ଫୁଲଟି ରଙ୍ଗାଇବାକୁ ହେବ, ସେହି ରଙ୍ଗର ପାଣିରେ ବୁଡ଼ାଇଦେଲେ ଫୁଲଟି ସହଜରେ ସେହି ରଙ୍ଗ ଧରିବ ଅଥବା ପାତଳିକୁ ପ୍ରଥମରୁ ରଙ୍ଗରେ ବୁଡ଼ାଇ ରଙ୍ଗ କରି ତା ପରେ ଗୁଡ଼ାଇଦେଲେ ମଧ୍ୟ ଚଳିବ । ତା ପରେ ଡେମ୍ଫ ଏବଂ ପତ୍ର ଆଦିକୁ କାଗଜରେ, ସୋଲରେ ବା କନାରେ ଯେପରି ଇଚ୍ଛା ପରେ ପ୍ରସ୍ତୁତ କରି ଲଗାଇ ପାରିବ ।

•••

 

କଦମ୍ବ ଫୁଲ

 

କଦମ୍ବ ଫୁଲ କରିବାକୁ ହେଲେ ଯେତେ ବଡ଼ ଫୁଲ କରିବାକୁ ଇଚ୍ଛା କରିବ, ତାହାକୁ ଦୃଷ୍ଟି ରଖି ତେତିକି ଲମ୍ବା ୨ ଖଣ୍ଡି ସୋଲ ନେବ । ପୂର୍ବ ପ୍ରଣାଳୀରେ ପାତଳି କାଟିବ । ଗୋଟିଏ ପାତଳିକୁ ଧଳା ରଖି ଆଉ ଗୋଟିଏ ପାତଳିକୁ ହଳଦିଆ ରଙ୍ଗରେ ବୁଡ଼ାଇ ରଙ୍ଗାଇ ନେବ । ତା ପରେ ଦୁଇଟିଯାକ ପାତଳିକୁ ଏକାଠି ଯୋଡ଼ି ତାହାକୁ ଉତ୍ତମରୂପେ ଗୁଡ଼ାଇ ତହିଁର ଠିକ୍ ମଧ୍ୟ ଭାଗରେ ଖଣ୍ଡିଏ ଡୋର ବାନ୍ଧିବ । ତା ପରେ ଦୁଇ ପାଖରୁ ଛୁରୀ ବସାଇ ସରୁ ସରୁ କରି କାଟିଯିବ-। କାଟିବାବେଳେ ପୂର୍ବପରି ଛୁରୀଟି ପାଖରୁ ବସାଇ ଏପରି କାଟୁଥିବ, ଯେପରି ପାଖରୁ ପୂର୍ଣ୍ଣ ଭାବରେ ଚିରି ହୋଇଯାଇ ମଧ୍ୟଭାଗରୁ ଅଳ୍ପ ସ୍ପର୍ଶ କରୁଥିବ । ଏହାକୁ ଯେତେ ସରୁ କରି କାଟିବ, କଦମ୍ବ ଫୁଲର ରୁଆଗୁଡ଼ିକ ସେତେ ସରୁ ହେବ । ତଳ ଏବଂ ଉପର ଦୁଇ ପାଖ ଏହିପରି କଟା ହୋଇଗଲା ପରେ ମଝିରେ ଖଣ୍ଡିଏ ଶକ୍ତ ଡୋର ବାନ୍ଧି ତାହାକୁ ଉତ୍ତମରୂପେ ଭିଡ଼ିଦେଲେ ଦୁଇ ପାଖରୁ ପାଖୁଡ଼ାଗୁଡ଼ିକ ଉଠି ଗୋଟିଏ ସୁନ୍ଦର କଦମ୍ବ ଫୁଲ ହୋଇଯିବ ।

•••

 

ଗେଣ୍ଡୁ ଫୁଲ

 

ଗେଣ୍ଡୁଫୁଲ କରିବାକୁ ହେଲେ ଖଣ୍ଡିଏ ସୋଲର ପାତଳି କାଟି ତାକୁ ହଳଦିଆ ରଙ୍ଗରେ ରଙ୍ଗାଇ ଗୁଡ଼ାଇ ଦେବ ଏବଂ ଗୋଟିଏ ପାଖରୁ ଗେଣ୍ଡୁ ଫୁଲର ପାଖୁଡ଼ା ଆକାରରେ କାଟି ତହିଁର ଉପର ଅଂଶକୁ ଅଳ୍ପ ଗୋଜିଆ କରି ଗୋଲାପ ଫୁଲ କରିବା ପ୍ରଣାଳୀରେ ଡୋର ବାନ୍ଧି ଭିଡ଼ି ଦେଲେ ଗେଣ୍ଡୁଫୁଲ ହେବ ।

 

ମଲ୍ଲୀ ଫୁଲ

 

ଗୋଲାପ ଫୁଲ ତିଆରି କରିବା ପ୍ରଣାଳୀରେ ମଲ୍ଲୀଫୁଲ ତିଆରି କରିବାକୁ ହେବ । ମଲ୍ଲୀଫୁଲର ଆକାରକୁ ଚାହିଁ ଖଣ୍ଡେ ସୋଲ ନେବ ଏବଂ ତହିଁରେ ପାତଳି କାଟି ଗୁଡ଼ାଇବ । ଗୋଲାପଫୁଲ ଠାରୁ ମଲ୍ଲୀଫୁଲର ପାଖୁଡ଼ା ଛୋଟ ହେବ । ସେହି ଅନୁସାରେ ମଲ୍ଲୀଫୁଲର ପାଖୁଡ଼ାକୁ ଦୃଷ୍ଟି ରଖି ପାଖୁଡ଼ାକୁ ଗୋଲ କରିବ ।

 

ମଲ୍ଲୀ, କଦମ୍ବ ପ୍ରଭୃତି କେତେଗୁଡ଼ିଏ ଫୁଲ ଉପରୋକ୍ତ ପ୍ରଣାଳୀରେ ତିଆରି କରିବାକୁ ହେବ । ଚମ୍ପା, କାଠଚମ୍ପା, କନିଅର, ରଜନୀଗନ୍ଧା ପ୍ରଭୃତି କେତେଗୁଡ଼ିଏ ଫୁଲ କରିବା ପାଇଁ ପାତଳିକୁ କାଗଜ ପରି ଭାଙ୍ଗି ତାହାକୁ କଇଁଚିରେ କାଟି ପାଖୁଡ଼ା ଗୁଡ଼ିଏ ପ୍ରସ୍ତୁତ କରିବାକୁ ହେବ । ତାପରେ ଡେମ୍ଫରେ ବାନ୍ଧିବାକୁ ପଡ଼ିବ । ନାଗେଶ୍ୱର ଓ ସୂର୍ଯ୍ୟମୁଖି ଫୁଲ କରିବାପାଇଁ ଉଭୟ ପ୍ରଣାଳୀ ଆବଶ୍ୟକ ହେବ ।

 

ଚମ୍ପା ଫୁଲ

 

ଚମ୍ପାଫୁଲ କରିବାପାଇଁ ପ୍ରଥମେ ପାତଳି କାଟି ତାହାକୁ ଚମ୍ପାଫୁଲ ପରି ହଳଦିଆ ରଙ୍ଗ ପାଣିରେ ବୁଡ଼ାଇ ପାତଳିକୁ ରଙ୍ଗାଇ ନେବ । ତା ପରେ ଶୁଖିଲା ପାତଳିକୁ କାଗଜ ପରି ଚାରିଭାଙ୍ଗ କରି ଭାଙ୍ଗିବ । ଚମ୍ପାଫୁଲର ଉପରର ୪ ଗୋଟି ପାଖୁଡ଼ା ଆକାରରେ କଇଁଚିରେ ୪ ଗୋଟି ପାଖୁଡ଼ା କାଟି ନେବ । ସେହି ପାଖୁଡ଼ାକୁ ଚମ୍ପାଫୁଲର ଉପର ପାଖୁଡ଼ାଗୁଡ଼ିକ ଯେପରି ଥାଏ, ସେହି ପରି ହାତରେ ମୋଡ଼ି ବଙ୍କା କରି ଥୋଇବ । ତାପରେ ଆଉ ୨ଖଣ୍ଡି ପାତଳି ନେଇ ପ୍ରଥମ ପାଖୁଡ଼ାଠାରୁ କିଛି ଛୋଟ ୪ ଗୋଟି ପାଖୁଡ଼ା ଏବଂ ଦ୍ୱିତୀୟ ପାଖୁଡ଼ାଠାରୁ ଆହୁରି ଛୋଟ ୪ ଗୋଟି ପାଖୁଡ଼ା କାଟିବ । ଏପରି ୧୨ ଗୋଟି ପାଖୁଡ଼ା କରିବ ।

Image

(୯ ନମ୍ବର ଚିତ୍ର)

ଚମ୍ପାଫୁଲର ଭିତରପାଇଁ ସରୁ ସରୁ କେଶର ଖଣ୍ଡିଏ ପାତଳିରେ କାଟିବ ଏବଂ ମଝି ଭୁଣ୍ଡି ସକାଶେ ଖଣ୍ଡିଏ ଭୁଣ୍ଡି କାଟିନେଇ ତହିଁରେ ଖଣ୍ଡିଏ ଖଡ଼ିକା ଫୋଡ଼ି ଖଞ୍ଜି ଦେବ । ସେହି ଖଡ଼ିକାରେ ପ୍ରଥମେ କେଶରକୁ ଭୁଣ୍ଡି ଚାରି ପାଖରେ ଗୁଡ଼ାଇ ଦେବ । ଟିକିଏ ଅଠା ଲଗାଇଦେଲେ ଉତ୍ତମ ହେବ । ତାପରେ ସବୁଠାରୁ ଛୋଟ ୪ଗୋଟି ପାଖୁଡ଼ାକୁ ଚାରିପାଖରେ ଖଞ୍ଜି ସୂତାରେ ବାନ୍ଧିବ । ତହିଁ ଉପରେ ମଧ୍ୟଭଳି ପାଖୁଡ଼ା ୪ ଗୋଟି ଖଞ୍ଜି ଶେଷକୁ ବଡ଼ ପାଖୁଡ଼ା ୪ ଗୋଟି ଖଞ୍ଜିବ। ଖଣ୍ଡିଏ ସୂତାରେ ବରାବର ଗୁଡ଼ାଇ କରି ବାନ୍ଧିବ । ସୂତାରେ ପାଖୁଡ଼ାଗୁଡ଼ିକ ଗୁଡ଼ାଇବାବେଳେ ବରାବର ଗୋଟିଏ ଲେଖାଏଁ ପାଖୁଡ଼ା ଖଞ୍ଜି ଥରେ ଲେଖାଏଁ ସୂତାଟିଗୁଡ଼ାଇ ଆଣୁଥିବ । ଏକାବେଳକେ ଅଧିକ ପାଖୁଡ଼ା ଖଞ୍ଜିଲେ ସୁବିଧା ହେବ ନାହିଁ । ଗୋଟି ଗୋଟି କରି ସବୁ ପାଖୁଡ଼ାଗୁଡ଼ିକ ଖଞ୍ଜା ହୋଇ ଗଲେ ଟିକିଏ ଛୋଟ ଭୁଣ୍ଡି ଲଗାଇ ଦେବ । ତାହାହେଲେ ସୁନ୍ଦର ଚମ୍ପାଫୁଲ ଗୋଟିଏ ହୋଇଯିବ । ୯ନମ୍ବର ଚିତ୍ର ଦେଖ । ପାଖୁଡ଼ାଗୁଡ଼ିକ ସମୟରେ ସିଧା ହୋଇଗଲେ ଫୁଲଟିକୁ ବାମ ହାତର ମୁଠା ମଧ୍ୟରେ କୋହଳ କରି ଧରି ତହିଁ ଉପରୁ ଡାହାଣ ହାତରେ ଆସ୍ତେ ଚିପିଦେଲେ ଠିକ୍ ଚମ୍ପାଫୁଲର ଆକାର ହୋଇଯିବ ।

•••

 

ସଦାବିହାରୀ ଫୁଲ

Image

(୧୦ ନମ୍ବର ଚିତ୍ର)

ସଦାବିହାରୀଫୁଲ ୫ଗୋଟି ପାଖୁଡ଼ା ଥାଏ । ସେଥି ନିମନ୍ତେ ଖଣ୍ଡିଏ ପାତଳିକୁ ଭାଙ୍ଗ କରି କାଗଜ ପରି ଭାଙ୍ଗି ସଦାବିହାରୀ ଫୁଲର ପାଖୁଡ଼ା ଆକାରର ୫ ଗୋଟି ପାଖୁଡ଼ା କାଟି ନେବ । ଖଣ୍ଡିଏ ଖଡ଼ିକାରେ ପାଖୁଡ଼ା ୫ ଗୋଟି ଚାରି ପାଖରେ ଗୋଟି ଗୋଟି କରି ଖଞ୍ଜିବ । ଚମ୍ପାଫୁଲର ପାଖୁଡ଼ା ଖଞ୍ଜିଲା ପରି ଖଣ୍ଡିଏ ସୂତାରେ ଗୁଡ଼ାଇ ଗୁଡ଼ାଇ ପାଖୁଡ଼ାକୁ ଖଞ୍ଜିଦେବ । ଶେଷକୁ ସଦାବିହାରୀ ଫୁଲର ଡେମ୍ଫ ପରି ଖଣ୍ଡିଏ ଡେମ୍ଫ ଲଗାଇ ଦେବ । ୧୦ନମ୍ବର ଚିତ୍ର ଦେଖ ।

 

କାଠଚମ୍ପା, ରଜନୀଗନ୍ଧା ଓ କନିଅର ପ୍ରଭୃତି ଫୁଲର ପାଖୁଡ଼ାମାନ ଏହି ପ୍ରଣାଳୀରେ ପାତଳିରୁ କଇଁଚିରେ କାଟି ତିଆରି କରିବ ।

•••

 

ନାଗେଶ୍ୱର ଫୁଲ

 

ନଗେଶ୍ୱର ଫୁଲର ଭିତରଟି କଦମ୍ବଫୁଲ ପରି କରିବାକୁ ହେବ । ନାଗେଶ୍ୱର ଫୁଲର କେଶର କେତେକ ଧଳା, କେତେକ ହଳଦିଆ ଓ କେତେକ ନାଲି ଥାଏ । ତେଣୁ ୩ଖଣ୍ଡି ସୋଲ ନେଇ ୩ ଗୋଟି ପାତଳି କାଟିବ । ତହିଁ ମଧ୍ୟରୁ ଗୋଟିଏ ପାତଳିକୁ ଧଳା ରଖି ଆଉ ଗୋଟିଏ ପାତଳିକୁ ହଳଦିଆ ରଙ୍ଗରେ ଓ ତୃତୀୟ ପାତଳିଟି ନାଲି ରଙ୍ଗରେ ରଙ୍ଗାଇ ନେବ । ତାପରେ ୩ ଗୋଟି ଯାକ ପାତଳି ଏକାଠି ଯୋଡ଼ି ତାକୁ ଗୋଲ କରି ଗୁଡ଼ାଇବ । ତାପରେ ଗୋଟିଏ ମୁଣ୍ଡରେ ଖଣ୍ଡିଏ ସୂତା ବାନ୍ଧିବ । କଦମ୍ବ ଫୁଲ କାଟିଲାପରି ଗୋଟିଏ ପାଖରୁ ରୁଆ ଗୁଡ଼ିକ କାଟିବ । କଦମ୍ବ ଫୁଲରେ ଦୁଇ ପାଖରେ ରୁଆ କାଟିବାକୁ ହୁଏ । ଏଥିରେ ଗୋଟିଏ ପାଖରେ ରୁଆ କାଟିବ । ତାପରେ ଯେଉଁଠାରେ ସୂତାକୁ ବାନ୍ଧିଥିବ ସେହିଠାରେ ବା ତହିଁର କିଛି ଉପରକୁ ଆଉଖଣ୍ଡିଏ ଟାଣ ସୂତା ଗୁଡ଼ାଇ ସୂତା ଖଣ୍ଡିକ ଦୁଇପାଖରୁ ଟାଣି ଭିଡ଼ି ଦେଲେ ନାଗେଶ୍ୱର ଫୁଲର ରୁଆ ଗୁଡ଼ିକ ହୋଇଯିବ ।

 

ତାପରେ ଆଉ ଖଣ୍ଡିଏ ପାତଳି ନେଇ ତାକୁ କାଗଜପରି ଭାଙ୍ଗି ନାଗେଶ୍ୱର ଫୁଲର ପାଖୁଡ଼ା ଗୁଡ଼ିକ ଆକାରରେ ପାଖୁଡ଼ା ଗୁଡ଼ିଏ କାଟି କେଶରର ଚାରିପାଖରେ ଗୋଟି ଗୋଟି କରି ଖଞ୍ଜି ଖଣ୍ଡିଏ ସୂତାରେ ବାନ୍ଧି ଦେବ । ତା ପରେ ଗୋଟିଏ ଡ଼େମ୍ଫ ପାଇଁ ଖଡ଼ିକା ଖଣ୍ଡିଏ ଲଗାଇ ତାହାର ମୁଣ୍ଡି ସୋଲରେ କାଟି ଶାଗୁଆ ରଙ୍ଗ କରି ଲଗାଇ ଦେବ । ତାହାହେଲେ ସୁନ୍ଦର ନାଗେଶ୍ୱର ଫୁଲଟିଏ ହେବ ।

 

ଉପରୋକ୍ତ ପ୍ରଣାଳୀରେ ଯେ କୌଣସି ଫୁଲ କରିବାକୁ ଇଚ୍ଛା କରିବ, ତାହା ସହଜରେ କରିପାରିବ । ଯେଉଁ ଫୁଲର ଯେପରି କେଶର ବା ଯେପରି ପାଖୁଡ଼ା ତାହାକୁ ଚାହିଁ ସେହିପରି କେଶର ଓ ପାଖୁଡ଼ା କାଟି ଓ ରଙ୍ଗ କରି ଫୁଲ ପ୍ରସ୍ତୁତ କରାଯାଇ ପାରିବ ।

•••

 

ସୋଲ ଫୁଲର ତୋଡ଼ା

 

ସୋଲ ଫୁଲର ତୋଡ଼ା କରିବାକୁ ହେଲେ ଯେଉଁ ଫୁଲ ଯାହା ପାଖରେ ଖଞ୍ଜିଲେ ସୁନ୍ଦର ଦେଖାଯିବ, ତାହା ମନର ପାଞ୍ଚି କରି ସେହିପରି ଫୁଲଗୁଡ଼ିଏ ଆଗ ତିଆରି କରି ରଖିବ । ଫୁଲଗୁଡ଼ିକରେ ଖଣ୍ଡିଏ ଖଣ୍ଡିଏ ଖଡ଼ିକା ଲଗାଇବ । ତୋଡ଼ାର ମଝିରେ ଯେଉଁ ଫୁଲଟି ଦେବାକୁ ସ୍ଥିର କରିବ ସେହି ଫୁଲକୁ ଆଗେ ଧରି ତହିଁର ଚାରିପାଖରେ ପ୍ରଥମେ ଗୋଟିଏ ଧାଡ଼ି କରିବାପାଇଁ ଗୋଟିଏ ଗୋଟିଏ ଫୁଲ ଖଞ୍ଜି ତହିଁର ଖଡ଼ିକାଗୁଡ଼ିକୁ ମଝି ଫୁଲର ଖଡ଼ିକାସଙ୍ଗେ ସୂତାରେ ଗୁଡ଼ାଇ ବାନ୍ଧିବ । ଗୋଟିଏ ଧାଡ଼ି ବୁଲି ଆସିବା ପରେ ଆଉଗୋଟିଏ ଧାଡ଼ିପାଇଁ ସେହିପରି ଗୋଟି ଗୋଟି କରି ଫୁଲ ଖଞ୍ଜି ସେଗୁଡ଼ିକ ମଧ୍ୟ ଗୋଟି ଗୋଟି କରି ସୂତାରେ ଗୁଡ଼ାଇ ଖଞ୍ଜିବ । ଏହିପରି ଯେତେ ଧାଡ଼ି ଫୁଲ ଖଞ୍ଜିବାକୁ ଇଚ୍ଛା କରିବ, ତେତେ ଧାଡ଼ି ଫୁଲ ଖଞ୍ଜା ହୋଇଗଲା ପରେ ତଳୁ ଖଡ଼ିକାଗୁଡ଼ିକ ଉପରେ ସୋଲର ପାତଳି ବସାଇ ତାହାକୁ ଢ଼ାଙ୍କିଦେବ ଏବଂ ସୋଲରେ ଗୋଟିଏ ବଇଠକ୍ ତିଆରି କରି ତହିଁରେ ସେ ଖଡ଼ିକାଗୁଡ଼ିକ ପୋତିଦେବ ଏବଂ ଅଠାଦ୍ୱାରା ସୋଲର ପାତଳି ଲଗାଇ ସବୁଆଡ଼େ ଢ଼ାଙ୍କି ସଜାଡ଼ି ଦେବ ।

 

ସୋଲକୁ ଯେପରି କାଟିବ, ତାହା ସହଜରେ କାଟି ହେବ । ସୋଲରେ ସହଜରେ ଅଠା ଧରେ । ଯେ କୌଣସି ଅଠା ଦେଇ ସୋଲର ପାତଳି, ପାତିଆ ଓ ଖଣ୍ଡ ସୋଲ ଯେଉଁଠାରେ ଲଗାଇବ ତାହା ସହଜରେ ଲାଗିଯିବ । ସୋଲର ପାତଳିକୁ ଠିକ୍ କାଗଜପରି ବ୍ୟବହାର କରିପାରିବ । କାର୍ଯ୍ୟର ସୁବିଧା ନିମନ୍ତେ ଅବସର ସମୟରେ କେବଳ ପାତଳିଗୁଡ଼ିଏ କାଟି ରଖିଦେଲେ ଏକାବେଳକେ ବସି କାର୍ଯ୍ୟ କରିବାକୁ ସୁବିଧା ହେବ । ସୋଲର ପାତଳି କାଟି ପୁନରାୟ ତାହାକୁ ଗୋଲ କରି ଗୁଡ଼ାଇ ଗୁଡ଼ାହୋଇଥିବା ପାତଳିର ବିଡ଼ାରେ ଗୋଟିଏ ଦୁଇଟି ପିନ୍ ମାରି ରଖିଦେଲେ ପାତଳିଗୁଡ଼ିକ ସୁବିଧାରେ ଯେତେକାଳ ଇଚ୍ଛା ସେତେକାଳ ରଖାଯାଇ ପାରିବ ।

 

ସୋଲକୁ ରଙ୍ଗାଇବାପାଇଁ ବେସିକ୍ ରଙ୍ଗ ବ୍ୟବହାର କରି ପାରିବ । ସେହି ରଙ୍ଗକୁ କେବଳ ପାଣିରେ ଗୋଳାଇ ତହିଁରେ ପାତଳି ବା ସୋଲ ବା ସୋଲର ଯେକୌଣସି ପଦାର୍ଥ ବୁଡ଼ାଇଦେଲେ ତାହା ଶୀଘ୍ର ସେହି ରଙ୍ଗ ଧରିନେବ । ଖରାଥିବା ସମୟରେ ସୋଲକୁ ରଙ୍ଗକରିବ ଏବଂ ସଙ୍ଗେ ସଙ୍ଗେ ଖରାରେ ଶୁଖାଇଦେବ । ତା ପରେ ରଙ୍ଗା ହୋଇଥିବା ସୋଲକୁ ରଖିଦେଲେ ଯେତେଦିନ ଇଚ୍ଛା ତେତେଦିନ ସହଜରେ ରହି ପାରିବ ।

 

ସୋଲରେ କୌଣସି ପ୍ରକାର ମୂର୍ତ୍ତି ଗଢ଼ିବାକୁ ହେଲେ ମୂର୍ତ୍ତି ଗଢ଼ାପାଇଁ ଯେପରି କାଟିବାର ଆବଶ୍ୟକ ସୋଲକୁ ସେହିପରି କାଟି ସହଜରେ ନାନା ମୂର୍ତ୍ତି ଗଢ଼ି ପାରିବ । ଅଥବା ସୋଲର ପାତଳି କାଟି ତାହାକୁ ଠିକ୍ କାଗଜପରି ଯେକୌଣସି ଛାଞ୍ଚରେ ପକାଇ ହାତରେ ଟିପିଦେଲେ ତାହା ସେହି ଛାଞ୍ଚର ଆକାର ଗ୍ରହଣ କରିବ । ଯେଉଁଠାରେ ଅଠା ଲଗାଇବାର ଆବଶ୍ୟକ ହେବ, ସେଠାରେ ଅଠା ଦେଇ ପରସ୍ତକୁ ପରସ୍ତ ପାତଳି ଯୋଡ଼ି ସୁନ୍ଦର ମୂର୍ତ୍ତି ତିଆରି କରିହେବ ।

•••

 

ସୋଲର ହାଟ୍‌ (Hat) ବା ସାହେବ ଟୋପି

 

ହାଟ୍‌ର ବ୍ୟବହାର ଖୁବ୍ ବଢ଼ିଅଛି । ସାଇକେଲ୍ ଚଢ଼ାଳିମାନଙ୍କଠାରୁ ଆରମ୍ଭ କରି ଅନ୍ୟ ଲୋକେ ମଧ୍ୟ ହାଟ୍ ବ୍ୟବହାର କରୁଅଛନ୍ତି । ଖରାରୁ ଏବଂ ବର୍ଷାରୁ ମୁଣ୍ଡକୁ ରକ୍ଷା କରିବା ପାଇଁ ଗୋଟିଏ ଗୋଟିଏ ଛତା ବ୍ୟବହାର କରିବା ଅପେକ୍ଷା ହାଟ୍ ଖଣ୍ଡେ ମୁଣ୍ଡରେ ଲଗାଇଦେବା ଅଧିକ ସୁବିଧାଜନକ । ସାଇକେଲ୍ ଚଢ଼ାଳିମାନଙ୍କର ଛତା ଧରିବା ସୁବିଧାଜନକ ନୁହେଁ । ପୁଣି ଛତା ଖଣ୍ଡେ ଧରିବାରେ ଗୋଟିଏ ହାତ ବନ୍ଦ ରହେ । ହାଟ୍‌ ଖଣ୍ଡେ ମୁଣ୍ଡରେ ଥୋଇଦେଲେ ଦୁଇ ହାତ ଖୋଲା ରହିବ । କାମ କରିବା ଲୋକମାନଙ୍କୁ ହାଟ୍ ଖୁବ୍ ସୁବିଧା ହୁଏ । ହାଟ୍‌ର ସମସ୍ତ ଉପକରଣ ଓଡ଼ିଶାରେ ଅଛି । କିନ୍ତୁ କପଡ଼ା ଛତାର ସବୁ ଉପକରଣ ଏ ଦେଶରେ ନାହିଁ । ଓଡ଼ିଶାରେ କପଡ଼ା ଛତା ତିଆରି କରିବା ସହଜ ନୁହେଁ । କପଡ଼ା ଛତା କରିବାକୁ ହେଲେ ତାର ଭିନ୍ନ ଭିନ୍ନ ଅଂଶ ବିଦେଶରୁ ଅଣାଇ ଏଠାରେ ଖାଲି ତାକୁ ସବୁ ଯୋଡ଼ି ଛତା କରିବାକୁ ହେବ । ଓଡ଼ିଶାରେ ଯେତେ ଅଧିକ ହାଟ୍ କରାଯିବ, ତେତେ ଉତ୍ତମ । ଅଧିକ ପରିମାଣରେ ହାଟ୍ ଓଡ଼ିଶାରେ ତିଆରି ହୋଇ କମ୍ ମୂଲ୍ୟରେ ବିକ୍ରୀ ହେଲେ ବିଦେଶରୁ ଆସୁଥିବା ଛତା କେତେକ ପରିମାଣରେ କମିଯିବ । ସ୍କୁଲର ପିଲାମାନଙ୍କର ହାଟ୍ ତିଆରି କରି ଶିଖିବା ଖୁବ୍ ଆବଶ୍ୟକ ।

 

ହାଟ୍ ତିଆରି କରିବା ଖୁବ୍ ସହଜ । ହାଟ୍‌ର ପ୍ରଧାନ ଉପାଦାନ ସୋଲ । ଉଚ୍ଚ ଶ୍ରେଣୀର ହାଟ୍‌ ସବୁ କର୍କ୍ (Cork) ରେ ତିଆରି ହୁଏ । କର୍କ୍ ଓଡ଼ିଶାରେ ମିଳେ ନାହିଁ । ସାଧାରଣ ହାଟ୍ ଖୁବ୍ ସହଜରେ ସୋଲରେ ତିଆରି ହୋଇ ପାରିବ ଏବଂ ଅଳ୍ପ ଖରଚରେ ହେବ । ଓଡ଼ିଶାରେ ସୋଲର ଅଭାବ ନାହିଁ ।

 

Image

(୧ ନମ୍ବର ଚିତ୍ର)

ହାଟର ଦୁଇଗୋଟି ଅଂଶ । ଗୋଟିଏ ଅଂଶର ଉପର ଗୋଲ ହୋଇ ମୁସଲମାନ୍‌ଙ୍କ ଟୋପି ପରି । ଆଉ ଗୋଟିଏ ଅଂଶ ସେହି ଟୋପିର ଚାରିପାଖରେ ୩।୪ ଆଙ୍ଗୁଳ ଚଉଡ଼ାରେ ବୁଲିକରି ପଲମର ଫନ୍ଦପରି ଥାଏ । ଏହି ଦୁଇ ଅଂଶ ମିଳିତ ବସ୍ତୁ ହେଲା ହାଟ୍‌ର ଥାଟ । ସେ ଥାଟ ଉପରେ ଚାରିଆଡ଼େ କନା ଦିଆଯାଇ ସିଲାଇ କରାଯାଇ ଥାଏ । ଯେ ଯାହାର ରୁଚି ଅନୁସାରେ ହାଟ୍ ଉପରେ କନା ଲଗାଇ ପାରିବେ ।

 

ହାଟ୍‌ର ଉପରଲିଖିତ ଦୁଇଟି ଅଂଶ ତିଆରି କରିବା ପାଇଁ ଗୋଟିଏ କାଠର ଫରମା କରିବ । ମାଟିର ବା ସିମେଣ୍ଟର ଫରମା କଲେ ମଧ୍ୟ ଚଳିବ । କିନ୍ତୁ କାଠର ଫରମା ହେଲେ ଅଧିକ ସୁବିଧା ହେବ । ସେହି ଦୁଇ ଅଂଶ ନିମନ୍ତେ ଦୁଇଟି ଫରମା କରିବା ଦରକାର ।

Image

(୨ ନମ୍ବର ଚିତ୍ର)

ପୂର୍ବେ ଲେଖାଯାଇଅଛି ଯେ, ସୋଲ ମଧ୍ୟରେ କେତେକ ନରମା ସୋଲ ଥାଏ ଓ କେତେକ ଟାଣ ସୋଲ ଥାଏ । ନରମା ସୋଲରେ ନାନାପ୍ରକାର ବାରିକ୍ ପଦାର୍ଥମାନ ତିଆରି କରାଯାଇପାରେ । ଟାଣ ସୋଲରେ କୌଣସି କାମ କରିବା ପାଇଁ ସୁବିଧା ହୁଏ ନାହିଁ । ହାଟ୍‌ର ଛାଞ୍ଚ ପାଇଁ ସେହି ଟାଣ ସୋଲ ମଧ୍ୟ କାମରେ ଲାଗିଯିବ । ସୋଲକୁ ପ୍ରଥମେ ପାତିଆ କରି ଚିରି ପକାଇବ । ତାପରେ ହାଟ୍‌ର ଫନ୍ଦ ଯେତେ ମୋଟରେ କରିବାକୁ ଇଚ୍ଛା କରିବ ସେହି ଚଉଡ଼ାରେ ପୁଣି ପାତିଆଗୁଡ଼ିକୁ ଚିରି ପକାଇବ । ମଇଦାର ଲେହି ବା ଅନ୍ୟ କୌଣସି ଅଠା ପ୍ରସ୍ତୁତ କରି ପାଖରେ ରଖିବ । ଖଣ୍ଡିଏ ପାତିଆ ନେଇ ତାହାକୁ ହାତରେ ଧରି ଗୁଡ଼ାଇ ଗୁଡ଼ାଇ ୨ ନମ୍ବର ଚିତ୍ର ପରି ଅଳ୍ପ ଲମ୍ବ ରଖି ଗୋଲ କରି ଚକତି କରି ନେବ । ତାହାକୁ ଗୋଟିଏ ଗୋଲ କାଠ ଫରମାର ଉପରେ ରଖି ତହିଁର ଚାରିପାଖରେ ପୁଣି ଅଠା ଲଗାଇ ପାତିଆ ଗୁଡ଼ାଇ ଗୁଡ଼ାଇ କ୍ରମେ ତଳକୁ ତଳକୁ ମଡ଼ାଇ ଗୁଡ଼ାଇ ଆଣିବ । କାଠର ଫରମା ଉପରେ ଆଗେ ଖଣ୍ଡିଏ କାଗଜ ପାରି ଦେଇଥିଲେ ସୋଲର ଫନ୍ଦଟି ତହିଁରୁ କାଢ଼ି ନେବାକୁ ସୁବିଧା ହେବ । ତାହା ନ କଲେ ଫରମାରେ ଅଠା ଲାଗିଯିବ । ସୋଲ ଫନ୍ଦଟି କାଢ଼ିନେବାକୁ ଅସୁବିଧା ହେବ ।

Image

(୩ ନମ୍ବର ଚିତ୍ର)

ଏହି ଫରମାଟି ଉପରେ ସୋଲ ଗୁଡ଼ା ହୋଇଗଲେ ତାହାକୁ ଅନ୍ୟ ଫନ୍ଦର ଫରମାଟି ମଝିରେ ବସାଇ ଦେବ ଏବଂ ସୋଲ ପାତିଆ ଯେଉଁପରି ଆଗରୁ ଗୁଡ଼ାଇ ଆସୁଥିବ, ସେହିପରି ଗୁଡ଼ାଇ ଗୁଡ଼ାଇ ଦ୍ୱିତୀୟ ଫରମାର ଉପରେ ମଧ୍ୟ ପୂର୍ଣ୍ଣ କରିଦେବ । ତାପରେ ସୋଲର ଫାନ୍ଦକୁ ଫରମାରୁ କାଢ଼ି ନେଇ ଖରାରେ ଶୁଖାଇଦେବ । ଶୁଖିଗଲେ ସୋଲର ତିଆରି ଅଂଶ ଦୁଇଟି ଅଲଗା ହୋଇ ଯାଇ ପାରେ । ଆପେ ଅଲଗା ନ ହେଲେ ମଧ୍ୟ ତାହାକୁ ଅଲଗା କରିଦେବ ଏବଂ ତହିଁର ଉପର ଉତ୍ତମରୂପେ ଛୁରୀରେ ତାଞ୍ଚି ଯେଉଁଠାରେ ଯେଉଁ ଅଂଶ ଅସମାନ ଥିବ ତାହାକୁ କାଟି ସମାନ କରିଦେବ । ଦ୍ୱିତୀୟ ଅଂଶର ଛାଞ୍ଚ ଖଣ୍ଡିକ, ଅର୍ଥାତ୍ ଯେଉଁ ଅଂଶଟି ଟୋପି ଅଂଶର ପଦାକୁ ରହିବ ତହିଁର ତଳ ଏବଂ ଉପର ଉତ୍ତମରୂପେ ତାଞ୍ଚି ସବୁଆଡ଼େ ସମତୁଲ କରିବ । ତାପରେ ଦୁଇ ଛାଞ୍ଚକୁ ମିଳାଇ ଫରମା ଉପରେ ପକାଇ ଅଠା ଦେଇ ଉତ୍ତମରୂପେ ବସାଇ ଦେବ । ଉତ୍ତମରୂପେ ଛାଞ୍ଚ ଦୁଇଟି ଲାଗିଗଲା ପରେ ଏହାକୁ ଯେଉଁଠାରେ ଯେପରି କଟା କଟି କରିବାର ଆବଶ୍ୟକ ହେବ, ତାହାକୁ କାଟି ହାଟ୍‌ର ଅନୁକରଣରେ ସଜାଡ଼ି ଦେବ । ତାପରେ ତହିଁରେ ଅଠାଦେଇ ଏକପରସ୍ତ ପାତଳି ଚାରିଆଡ଼େ ପକାଇବ ।

Image

(୪ ନମ୍ବର ଚିତ୍ର)

ନରମା ସୋଲ ନ ହେଲେ ପାତଳି ହୋଇପାରିବ ନାହିଁ; ତେଣୁ କେତେକ ଗୁଡ଼ିଏ ନରମା ସୋଲ ନେଇ ତହିଁରେ ବେଶ୍ ସମାନ କରି ଗୁଡ଼ିଏ ପାତଳି କାଟିବ । ଛାଞ୍ଚର ଉପରେ ଏବଂ ଟୋପି ଅଂଶର ପଦାକୁ ଥିବା ଅଂଶର ତଳପାଖରେ ଅଠା ଦେଇ ପାତଳି ମଡ଼ାଇ ଦେବ । ୪ ନମ୍ବର ଚିତ୍ର ଦେଖ । ଟୋପି ଅଂଶର ଭିତରେ ପାତଳି ନ ଦେଲେ କୌଣସି କ୍ଷତି ହେବ ନାହିଁ । କାରଣ ତାହା ଭିତରେ ରହିଯିବ ଏବଂ ତହିଁର କୌଣସି ଅଂଶ ପଦାକୁ ଦେଖାଯିବ ନାହିଁ । ଏଣିକି ତହିଁ ଉପରେ ଲୁଗା ଦେବାକୁ ପଡ଼ିବ ।

Image

(୫ ନମ୍ବର ଚିତ୍ର)

ହାଟ୍‌ ଉପରେ ବର୍ତ୍ତମାନ ପ୍ରାୟ ଅଧିକାଂଶ ଖାକି ରଙ୍ଗର ଲୁଗା ମଡ଼ା ଯାଇଥାଏ । କେବଳ ଟୋପି ପଦାକୁ ବାହାରିଥିବା ଅଂଶର ତଳେ ଶାଗୁଆ ରଙ୍ଗର କନା ଦିଆଯାଏ । ଉପରେ ଟୋପି ଅଂଶ ନିମନ୍ତେ ମାପ କରି ୪ଖଣ୍ଡି କନା କାଟିବ ଏବଂ ପଦାକୁ ବାହାରିଥିବା ଫନ୍ଦ ନିମନ୍ତେ ମାପ କରି ଦୁଇଖଣ୍ଡି କନା କାଟିବ । ଶାଗୁଆ କନା ମଧ୍ୟ ଦୁଇ ଖଣ୍ଡି କାଟିବ । କନାଗୁଡ଼ିକ ସିଲାଇ କରି ଛାଞ୍ଚ ଉପରେ ମଡ଼ାଇଦେବ । ଅଠା ଲଗାଇ ବସାଇଦେଲେ ଆହୁରି ସୁବିଧା ହେବ । ତାପରେ ଟୋପି ଅଂଶର ଦୁଇ ପାଖରେ ୪ ଗୋଟି ଫୋଡ଼ କରି ତହିଁରେ ପିତଳର ଛୋଟ ଛୋଟ ହୁକ୍‌ଲଗା ନଳ ଖଞ୍ଜି ଦେବ । ଏହି ନଳିବାଟେ ପବନ ଯିବା ଆସିବା କରି ପାରିବ । ସେ ଭଳି ନଳି ଖରିଦ କରିବାକୁ ମିଳେ । ସେହି ନଳିଗୁଡ଼ିକ ଯେଉଁଠାରେ ଲାଗିଥିବ, ତହିଁର ତଳକୁ ଦୁଇ ଅଂଶର ଛାଞ୍ଚ ଉପରେ ଯେଉଁଠାରେ ଦୁଇଆଡ଼ୁ କନା ସଂଯୁକ୍ତ ହୋଇଥିବ ସେହିଠାରେ କନାର ଛୋଟ ପଟି ବାନ୍ଧି ଦୁଇପାଖର କନାର ସଙ୍ଗମ ସ୍ଥାନକୁ ଲୁଚାଇ ଦେବ । ଏହି ପଟି ଗୋଟିଏ ଦିଆ ଯାଇପାରେ । କିମ୍ବା ଗୋଟିକ ଉପରକୁ ଗୋଟିଏ ଲେଖାଏଁ ମଡ଼ାଇ ୫।୬ ଗୋଟି ପଟି ୫ ନମ୍ବର ଚିତ୍ର ପରି ବସାଇଦେଲେ ଆହୁରି ଅଧିକ ସୁନ୍ଦର ହେବ । ଟୋପି ଉପରେ ଯେଉଁଠାରେ ଚାରିଆଡ଼ୁ କନା ଯାଇ ମିଳିଥିବ ସେଠାରେ ଗୋଟିଏ ବୋତାମ ଲଗାଇଦେବ । କିମ୍ବା ଖାଲି ସିଲାଇ କରି ମିଳାଇଦେବ । ଏହି କନାଗୁଡ଼ିକ ବସାଇବାବେଳେ ଅଠା ଦେଇ ବସାଇ ତହିଁ ଉପରେ ହାତ ମାରି ଯେଉଁଠାରେ ବଙ୍କା ହୋଇଥିବ ତାହାକୁ ସବୁ ହାତ ଚଳାଇଦେଇ ଚାରିଆଡ଼େ ସମତୁଲ କରିଦେବ । ଆଉଖଣ୍ଡିଏ ଚମଡ଼ାର ପଟି ହାଟ୍‌ର ଦୁଇ ପାଖରେ ଫୋଡ଼ି ଲଗାଇ ଦେବ ଯେପରି ତାହା ଟୋପିର ମୁଣ୍ଡଉପର ଦେଇ ଆସିବ ଏବଂ ଗୋଟିଏ ଅଂଶ ତଳକୁ ଝୁଲିବ । ହାଟ ପିନ୍ଧି ତାହାକୁ ଓଠ ତଳେ ଲଗାଇ ଦେବାକୁ ସୁବିଧା ହେବ ।

 

ତାପରେ ହାଟ୍‌ଟି ମୁଣ୍ଡରେ ଠିକ୍ ଲାଗି ରହିବାପାଇଁ ୨ ଆଙ୍ଗୁଳ ଚଉଡ଼ାର ଖଣ୍ଡିଏ ବାଉଁଶ ପାତିଆର ଚଟେଇ ବୁଣି ତାହାକୁ ଗୋଲ କରି ମୋଡ଼ି ପ୍ରସ୍ତୁତ କରି ରଖିବ । ଆଉ ଖଣ୍ଡିଏ ଅଧ ଆଙ୍ଗୁଳ ଚଉଡ଼ା ମୋଟା କାଗଜର ବା ତାଳପତ୍ରର ପଟି କାଟିନେଇ ତାହା ଉପରେ ଏକପରସ୍ତ କନା ବସାଇ ଅଧଇଞ୍ଚ ଆକାରରେ ଥରେ ଏକ ପାଖକୁ ଓ ଥରେ ଅନ୍ୟ ପାଖକୁ ଭାଙ୍ଗିଦେବ । ସେହି ଭାଙ୍ଗ ହୋଇଥିବା ପଟିକୁ ହାଟ୍‌ର ଠିକ୍ ତଳ ମୁହଁରେ ଲଗାଇ ସ୍ଥାନେ ସ୍ଥାନେ ସିଲାଇ କରିଦେବ ଏବଂ ତହିଁ ଉପରେ ବାଉଁଶର ପଟିଟି ଖଞ୍ଜି ଦେଲେ ସୁନ୍ଦର ହେବ । ବାଉଁଶ ପଟି ଉପରେ ଖଣ୍ଡିଏ ଚମଡ଼ା ବା ଅଏଲ୍‌କ୍ଲଥ (Oil Cloth) ମଡ଼ାଇ ଦେଲେ ହାଟ୍‌କୁ ପିନ୍ଧିଲେ ମୁଣ୍ଡକୁ ସଜ ଲାଗିବ । ଆଉ ଖଣ୍ଡିଏ କନା କୁଞ୍ଚ କରି ତାହାକୁ ହାଟ୍‌ର ଭିତରେ ବସାଇ ପ୍ରଥମେ ଚାରିପାଖରେ ଯୋଡ଼ି ଦେବ । ତା ପରେ ଟୋପି ଭିତରର ମାପ ଅନୁସାରେ ଖଣ୍ଡିଏ କାଗଜ କାଟି ତହିଁରେ ଏକ ପରସ୍ତ କନାକୁ ଅଠା ଲଗାଇ ଚାରିପାଖର କୁଞ୍ଚ କନାକୁ ମଡ଼ାଇ ହାଟ୍ ଭିତରେ ବସାଇଦେବ ।

•••

 

ଚମଡ଼ା

 

ବର୍ତ୍ତମାନ ଚମଡ଼ାଶିଳ୍ପ ଜଗତର ଗୋଟିଏ ପ୍ରଧାନ ଶିଳ୍ପ ହୋଇ ଉଠିଲାଣି । ଚମଡ଼ାରେ ତିଆରି ପଦାର୍ଥର ବ୍ୟବହାର କ୍ରମେ ବୃଦ୍ଧି ହେଉଅଛି । ଜୋତା ବାଗ୍, ବାକ୍ସ, ଟ୍ରଙ୍କ, ସୁଟ୍‌କେଶ ଗଦି, କମରପଟି ବା ବେଲ୍‌ଟ (Belt) ଘୋଡ଼ାଙ୍କ ସାଜ, ଗାଡ଼ିର ସାଜ, ବିଛଣାବନ୍ଧା ଡୋରି, ତେଲ ଓ ଘିଅ ରଖିବା ପିପା, ତରବାରୀ ଖୋଲ, ବନ୍ଧୁକ ଖୋଳ, ମେସିନ୍ ଚଳାଇବା ଫିତା ପ୍ରଭୃତି ବହୁ ପଦାର୍ଥ ଚମଡ଼ାରେ ତିଆରି ହୁଏ । ବହି ବାନ୍ଧିବାପାଇଁ ଓ ବାଦ୍ୟଯନ୍ତ୍ରମାନଙ୍କ ପାଇଁ ଚମଡ଼ା ଆବଶ୍ୟକ-। ବଡ଼ ବଡ଼ ଜନ୍ତୁଙ୍କର ରୁମ ଲାଗିଥିବା ଚମଡ଼ାକୁ ଲୋକେ ଘରତଳିରେ ବିଛାଇ ଘର ସଜାନ୍ତି । ନାନାପ୍ରକାର ପଦାର୍ଥମାନଙ୍କ ପାଇଁ ଚମଡ଼ାର ଖୋଳ ତିଆରି କରାଯାଏ । ପାଣିର ମୁଣି ପ୍ରଭୃତି କେତେପ୍ରକାର ବ୍ୟବହାର୍ଯ୍ୟ ପଦାର୍ଥ ଯେ ବର୍ତ୍ତମାନ ଚମଡ଼ାରେ ତିଆରି ହେଲାଣି ତାହାର ସୀମା ନାହିଁ । ସେହି ସବୁ ପଦାର୍ଥ ନିମନ୍ତେ ଯେଉଁ ଚମଡ଼ାମାନ ବ୍ୟବହୃତ ହୁଏ ତହିଁମଧ୍ୟରୁ କେତେକ କେବଳ ଜନ୍ତୁଙ୍କ ଦେହରୁ ଉତରା ଯାଇଥିବା ଚମକୁ ଶୁଖାଇ ଦେଇ ବ୍ୟବହାର କରାଯାଏ-। କେତେକ ଦରଦର କଷ କରାଯାଇ ଓ କେତେକ ପୁରା କଷ କରାଯାଇ କାମରେ ଲାଗେ ।

 

ଓଡ଼ିଶାରୁ ବର୍ତ୍ତମାନ ପ୍ରତି ବର୍ଷ ହାରାହାରି ୧ ଲକ୍ଷ ମହଣରୁ ଅଧିକ କଞ୍ଚା ଚମଡ଼ା ବିଦେଶକୁ ରପ୍ତାନି ହୋଇ ଚାଲି ଯାଉଅଛି । କିନ୍ତୁ ଚମଡ଼ାରେ ତିଆରି କେତେ ପଦାର୍ଥ ଯେ ବିଦେଶରୁ ଆସି ଓଡ଼ିଶାରେ ବିକ୍ରୟ ହେଉଅଛି ତାହାର ପରିମାଣ ସ୍ଥିର କରିବା ବଡ଼ କଠିନ । ଜୋତା ଏବଂ ଅନ୍ୟାନ୍ୟ ପଦାର୍ଥ ବହୁ ପରିମାଣରେ ବିଦେଶରୁ ଆସୁଅଛି । ଓଡ଼ିଶାରେ ଯେତେ ସ୍ଥାନରେ ଜୋତା ତିଆରି ହେଉଅଛି, ସେଥିପାଇଁ ମଧ୍ୟ କଷ ହୋଇ ନାନା ରଙ୍ଗ କରାଯାଇଥିବା ଚମଡ଼ (Tanned leather) ବିଦେଶରୁ ଓଡ଼ିଶାକୁ ଆସୁଅଛି ।

 

ସ୍ୱର୍ଗୀୟ ମଧୁବାବୁ (ମିଷ୍ଟର ଏମ୍, ଏସ୍, ଦାସ, ସିଆ ଇ.ଇ.) କଟକରେ ଚମଡ଼ା କାରଖାନା (ଉତ୍କଳଟାନେରୀ) ବସାଇ ଚମଡ଼ାର ଯେଉଁସବୁ ପଦାର୍ଥ ତିଆରି କରାଉଥିଲେ, ତାହା ସମସ୍ତ ଜଗତର ଖ୍ୟାତିଲାଭ କରିଥିଲା । ଗୋଧି, କୁମ୍ଭୀର, ଗୁଣ୍ଡୁଚିମୂଷା, ସାପ ପ୍ରଭୃତିଙ୍କ ଚମଡ଼ାକୁ କି ସୁନ୍ଦର ଭାବରେ କଷ କରି ଓ ରଙ୍ଗ କରି ମଧୁ ବାବୁ ଭାରତର ଓ ଇଉରୋପର ଆଦି ନାନାସ୍ଥାନରେ ଏବଂ ବିଦେଶର ବଜାରମାନଙ୍କରେ ବିଶେଷ ଆଦୃତ କରାଇଥିଲେ । ଭିନ୍ନ ଭିନ୍ନ ଦେଶରୁ ତାଲିମ ହୋଇଥିବା ଲୋକଙ୍କୁ ଅଣାଇ ସେମାନଙ୍କ ସାହାଯ୍ୟରେ ନାନାପ୍ରକାରରେ ଚମଡ଼ା କଷାଇବା ଓ ରଙ୍ଗାଇବା କାର୍ଯ୍ୟ ସେ ନିଜେ ପରୀକ୍ଷା କରି କରି ଖୁବ୍ ସରସ ଚମଡ଼ା ତିଆରି ବସ୍ତୁମାନ ବିଦେଶକୁ ପଠାଇ ତାଙ୍କ କାରଖାନାର ଖୁବ୍ ନାମ କରାଇ ପାରିଥିଲେ । ଦୁର୍ଭାଗ୍ୟକ୍ରମେ ତାହାଙ୍କ କାରଖାନା ପାଣ୍ଠି ଅଭାବରୁ ଅଧିକକାଳ ଚଳିପାରିଲା ନାହିଁ । ସେହି କାରଖାନାର ଚାଲୁ ହୋଇଥିଲେ ଓଡ଼ିଶାର ଚମଡ଼ାଶିଳ୍ପ ଜଗତରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ପାରି ଥାଆନ୍ତା ।

 

ବର୍ତ୍ତମାନ ଓଡ଼ିଶାରେ ନିମ୍ନଲିଖିତ ସ୍ଥାନମାନଙ୍କରେ ଚମଡ଼ା କଷାଇବାର ଛୋଟ ଛୋଟ କାରଖାନା ବା ଟାନେରୀ (Tannery) ଅଛି ।

 

୧.

କଟକ ଚାଉଳିଆଗଞ୍ଜ ନୟାବଜାର ନିକଟରେ ସ୍ୱଦେଶୀ ଟାନେରୀ ।

୨.

ଗଡ଼ଜାତ ବୌଦ ଷ୍ଟେଟରେ ବୌଦ ଷ୍ଟେଟ୍ ଟାନେରୀ ।

୩.

ଯାଜପୁରର ବରୀରେ ଗୋଟିଏ ଟାନେରୀ ।

୪.

କେନ୍ଦୁଝର ଷ୍ଟେଟ୍ ଚମ୍ପୁଆ ସବ୍‌ଡ଼ିଭିଜନର ଝାଡ଼ପଡ଼ାରେ ଗୋଟିଏ ଟାନେରୀ ।

 

ଏହା ଛଡ଼ା ଓଡ଼ିଶାର ଅନେକ ସ୍ଥଳରେ ମୋଚିମାନେ ଯେ ଯାହାର ଘରେ ଘରେ ନିଜେ ନିଜର ସୁବିଧାକ୍ରମେ ଚମଡ଼ାକୁ କଷ କରନ୍ତି । କଟକ, ପୁରୀ, ସମ୍ବଲପୁର, ମୟୂରଭଞ୍ଜର ତେନ୍ତୁଳିଡ଼ିଙ୍ଗା ପ୍ରଭୃତି ସେ ସ୍ଥାନମାନଙ୍କ ମଧ୍ୟରେ ପ୍ରଧାନ । ଓଡ଼ିଶାରେ ସବୁ ସ୍ଥାନ ଅପେକ୍ଷା କଟକ, ପୁରୀ, ଓ ସମ୍ବଲପୁରରେ ବେଶି ଜୋତା ତିଆରି ହୁଏ । କଟକ ନିକଟ ବାରଙ୍ଗରେ ଅନେକ ମୋଚି ଅଛନ୍ତି । ସେମାନଙ୍କ ତିଆରି ଜୋତାର ତଳା ଚମଡ଼ା ଅନେକ ଦିନରୁ ବଜାରରେ ଖ୍ୟାତି ଲାଭ କରିଅଛି । ବାରଙ୍ଗର ତିଆରି ତଳା ଚମଡ଼ା ବିଦେଶକୁ ରତ୍ପାନି ହୁଏ । ବର୍ତ୍ତମାନ ସରକାରଙ୍କ ଶିଳ୍ପବିଭାଗରୁ ଜଣେ ବିଶେଷଜ୍ଞ (ଜାଣିଲାବାଲା) ନିଯୁକ୍ତ ହୋଇ ସେଠାରେ ଚମଡ଼ାଶିଳ୍ପର ଉନ୍ନତି ନିମନ୍ତେ ଯତ୍ନ କରୁଅଛନ୍ତି ।

 

ଚମଡ଼ା କଷିବା (Tanning) ସମ୍ବନ୍ଧରେ ଇଂରାଜି ଆଦି ଭାଷାରେ ଅନେକ ପୁସ୍ତକ ଅଛି । ଏ ପୁସ୍ତକରେ ଚମଡ଼ା କଷିବା ବିଷୟ ବିଶଦଭାବରେ ବର୍ଣ୍ଣନା କରିବାର ସ୍ଥାନ ନୁହେଁ । କେବଳ କେତେକଗୋଟି ସାଧାରଣ କଥା ଉଲେଖ କରାଗଲା ।

 

ଚମଡ଼ା ଅନେକ ରୀତିରେ କଷାଯାଏ । ଗଛର ଛେଲିଦ୍ୱାରା (Bark tanning), ରାସାୟନିକ ମସଲାଦ୍ୱାରା (Chrome and alum tanning) ତେଲ ଓ ଚର୍ବୀଦ୍ୱାରା (Oil and fat tanning) ଇତ୍ୟାଦି । ଓଡ଼ିଶାରେ ସାଧାରଣତଃ ଛେଲିଦ୍ୱାରା (Bark tanning) ରାସାୟନିକ ମସଲାଦ୍ୱାରା ବା କ୍ରୋମ୍ ଟାନିଙ୍ଗ୍ ଓ ଆଲମ୍ ଟାନିଙ୍ଗ୍ କରାଯାଏ ।

•••

 

ବାର୍କ ଟାନିଙ୍ଗ (Bark tanning)
ବା ଗଛ ଛେଲି ଦ୍ୱାରା ଚମଡ଼ା କଷା

 

ବାର୍କଟାନିଙ୍ଗ୍ ନିମନ୍ତେ ସୁନାରୀ ଛେଲି, କରଡ଼ା ଛେଲି ଓ ହିଞ୍ଜଳ ଛେଲି ବ୍ୟବହାର କରାଯାଏ । ତହିଁ ସଙ୍ଗେ ହରିଡ଼ା ଏବଂ ଟେରୀ ବା ଡ଼ିବିଡ଼ିବି ଫଳ ମଧ୍ୟ ବ୍ୟବହାର ହୁଏ । ଏହାଛଡ଼ା ସୁନାରୀ ପତ୍ର ଓ ଅଁଳା ପତ୍ର ମଧ୍ୟ ଚମଡ଼ା କଷିବାରେ ବ୍ୟବହୃତ ହୁଏ । ଏ ଦେଶରେ ଜନ୍ମୁଥିବା ବୃକ୍ଷଲତାମାନଙ୍କ ଛେଲି, ପତ୍ର ଓ ଫଳ ଛଡ଼ା ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଓ୍ୟାଟ୍‌ଲ ବାକ (Wattle bark) ଏବଂ ମାନ୍ଦ୍ରାଜରୁ ଆସୁଥିବା ତଡ଼୍‌ବାଡ଼୍‌ (Turward bark) ଛେଲି ମଧ୍ୟ ବହୁପରିମାଣରେ ଚମଡ଼ା କଷାରେ ବ୍ୟବହୃତ ହେଉଅଛି । ଓଡ଼ିଶାରେ ମିଳୁଥିବା ସୁନାରୀ ଛେଲି ଚମଡ଼ା କଷିବା ପାଇଁ ଅତି ଉତ୍କୃଷ୍ଟ ପଦାର୍ଥ । ମାତ୍ର ସୁନାରୀ ଛେଲିକୁ ଉପଯୁକ୍ତ ଅବସ୍ଥାରେ ସଂଗ୍ରହ କରିବା ଓ ତାହାକୁ ଶୁଖାଇବା ଆଦି ପାଗଯୋଗ କେହି ଠିକ୍ ମତେ କରୁ ନ ଥିବାରୁ ତହିଁର ଗୁଣର ପରିମାଣ ନିର୍ଣ୍ଣୟ କରାଯାଇ ବିକ୍ରୟ ହେଉଅଛି । ଓଡ଼ିଶାରେ ଯେବେ ସୁନାରୀ ଛେଲି, କରଡ଼ା ଛେଲି ଓ ଅନ୍ୟାନ୍ୟ ଚମଡ଼ା କଷିବା ଛେଲି ସବୁକୁ ଉପଯୁକ୍ତ ଅବସ୍ଥାରେ ସଂଗ୍ରହ କରି ତାହାକୁ ପାଗଯୋଗରେ ଶୁଖାଇ ଗୁଣ୍ଡ କରି ତହିଁର ଗୁଣ ନିର୍ଣ୍ଣୟ କରି ବିକ୍ରୟର ବ୍ୟବସ୍ଥା କରାଯାଆନ୍ତା, ତେବେ ଚମଡ଼ା କଷିବାପାଇଁ ବିଦେଶରୁ କୌଣସି ଛେଲି ଏ ଦେଶକୁ ଆସି ବିକ୍ରୟ ହୁଅନ୍ତା ନାହିଁ । ବରଂ ଏଠାରୁ ଏହି ପଦାର୍ଥମାନ ବିଦେଶକୁ ପଠାଯାଇ ବିକ୍ରୟ ହୋଇ ପାରନ୍ତା ।

 

ଚମଡ଼ା କଷିବାପାଇଁ ଚମଡ଼ାକୁ ପ୍ରଥମେ ଆଣି ତାହାକୁ ଚୂନଗୋଳିଆ ପାଣିରେ ପକାଇବାକୁ ହୁଏ । ବଡ଼ ବଡ଼ ମହିଷ ଚମଡ଼ାକୁ ୧୫ଦିନରୁ ୨୦।୨୨ ଦିନ ପର୍ଯ୍ୟନ୍ତ, ଗୋରୁ ଚମଡ଼ାକୁ ୧୪।୧୫ ଦିନ ପର୍ଯ୍ୟନ୍ତ, ବାଛୁରୀ ଚମଡ଼ାକୁ ୮।୧୦ ଦିନ ପର୍ଯ୍ୟନ୍ତ ଏବଂ ଛେଳି ଓ ମେଣ୍ଢା ଚମଡ଼ାକୁ ୭।୮ ଦିନ ପର୍ଯ୍ୟନ୍ତ ଚୂନପାଣିରେ ପକାଇବାକୁ ହୁଏ । ଚୂନପାଣିରୁ କାଢ଼ି ଚମଡ଼ାର ଲୋମ ଓ ସ୍ଥାନେ ସ୍ଥାନେ ଲାଗିଥିବା ମାଂସର ଛିଲିକାକୁ ତାଞ୍ଚି ସଫା କରି ଦିଆଯାଏ । ତା ପରେ ଖଟା ପାଣିରେ ବା ତୋରାଣିରେ ଦିନେ ଦୁଇଦିନ ପର୍ଯ୍ୟନ୍ତ ପକାଇଲେ ତହିଁରୁ ଚୂନଗୁଡ଼ିକ ଛାଡ଼ିଯାଏ । ତୋରାଣି ନ ମିଳିଲେ ଗହମ ଭୂଷିକୁ ପାଣିରେ ତିନ୍ତାଇ ରଖିଲେ ୨ଦିନରେ ତାହା ଖଟା ହୋଇଯାଏ । ସେହି ଖଟାପାଣିରେ କାମ ଚଳେ । ଚୂନଗୁଡ଼ିକ ଚମଡ଼ାରୁ ବାହାରି ନ ଗଲେ ଚମଡ଼ା ନରମ ହୁଏ ନାହିଁ -ଟାଣ ହୋଇ ରହେ ଏବଂ ଭଲ ହୋଇ କଷ ଧରେ ନାହିଁ।

 

ଚମଡ଼ାରୁ ଚୂନ ଛାଡ଼ିଗଲା ପରେ କେହି କେହି ନିରେଇଁସ ପତ୍ରକୁ ଶୁଖାଇ ଓ ଗୁଣ୍ଡକରି ତାହାକୁ ପାଣିରେ ଗୋଳାଇ ସେହି ପାଣିରେ ଚମଡ଼ାକୁ ପକାନ୍ତି । ଦୁଇଦିନ ପରେ ପାଣି ବଦଳାଇ ଦେଇ ପୁଣି ନିରେଇଁସ ପତ୍ରର ଗୁଣ୍ଡ ଗୋଳିଆ ହୋଇଥିବା ପାଣିରେ ଆଉ ଦୁଇଦିନ ପାଇଁ ପକାଇ ରଖନ୍ତି । ତା ପରେ ସୁନାରୀ ଛେଲିର ବା କରଡ଼ା ଛେଲିର ଗୁଣ୍ଡକୁ ପାଣିରେ ଗୋଳାଇ ତହିଁରେ ଚମଡ଼ାକୁ ୨।୩ ଦିନ ପକାନ୍ତି । କେହି କେହି ନିରେଇଁସ ପତ୍ର ବ୍ୟବହାର ନ କରି ପ୍ରଥମରୁ ସୁନାରୀ ବା କରଡ଼ାଛେଲିର ଗୁଣ୍ଡିଗୋଳା ପାଣିରେ ଚମଡ଼ାକୁ ପକାନ୍ତି । ପ୍ରଥମେ ୪ଦିନ ପକାଇ ସେ ପାଣିକୁ ବଦଳାଇ ଦିଅନ୍ତି । ପୁଣି ଛେଲିଗୁଣ୍ଡଗୋଳା ପାଣିରେ ପକାନ୍ତି । ଶେଷକୁ ଚମଡ଼ାକୁ ଦୁଇ ଦାଢ଼ରୁ ମୁଣି ପରି ସିଲାଇ କରି ଉପର ପାଖରେ ଗୋଟିଏ ମୁହଁ ମେଲା ରଖନ୍ତି । ସେହି ମୁହଁବାଟେ ସେ ମୁଣିରେ ଛେଲିଗୁଣ୍ଡଗୋଳା ପାଣି ପୂରାଇ ଚମଡ଼ାକୁ ଗୋଟିଏ କୁଣ୍ଡ ଉପରେ ଟାଙ୍ଗି ଦିଅନ୍ତି । ତହିଁରୁ ଯେତେ ପାଣି କୁଣ୍ଡରେ ଗଡ଼ି ପଡ଼ୁଥାଏ, ତାହାକୁ ଥରକୁ ଥର ଉଠାଇ ପୁଣି ସେହି ଚମଡ଼ା ମୁଣିରେ ଢ଼ାଳି ଦେଉଥାଆନ୍ତି । ଏହିପରି ୩।୪ ଦିନ ପର୍ଯ୍ୟନ୍ତ ରଖିଦେଲେ ଚମଡ଼ାଟି ଠିକ୍ ପାଚିଯାଏ ବା କଷ ହୋଇଯାଏ । ସୁନାରୀଛେଲିର ଗୁଣ୍ଡ ଓ କରଡ଼ାଛେଲିର ଗୁଣ୍ଡକୁ ସମାନ ଭାଗର ମିଶାଇ ମଧ୍ୟ କେହି କେହି ବ୍ୟବହାର କରନ୍ତି । କେହି କେହି ହରିଡ଼ା ବା ଟେରିଫଳକୁ ଛେଚି ଛେଲିଗୁଣ୍ଡ ସଙ୍ଗେ ସଙ୍ଗେ ପାଣିରେ ମିଶାଇ ଦିଅନ୍ତି । ଆଉ କେହି କେହି ଛେଲିପାଣିରେ ଆଗେ କଷାଇ କରି ପରେ ହରିଡ଼ା ବା ଟେରିଫଳର କଷପାଣି କରି ତହିଁରେ ଦୁଇ ଦିନ ପର୍ଯ୍ୟନ୍ତ ଚମଡ଼ାକୁ ବତୁରାଇ ରଖନ୍ତି ।

 

କଷପାଣି– ହରିଡ଼ା-କଷପାଣି-ହରିଡ଼ାକୁ ଛେଚି ମଞ୍ଜିଗୁଡ଼ିକ କାଢ଼ି ଦେବ । ତା ପରେ ହରିଡ଼ାଫଳର ଚୋପାକୁ ଭଲ କରି କୁଟି ଗୁଣ୍ଡ କରିଦେବ । ସେହି ଗୁଣ୍ଡକୁ ପାଣିରେ ପକାଇ ଦେଲେ ଦୁଇ ଘଣ୍ଟାରେ ହରିଡ଼ା-କଷପାଣି ପ୍ରସ୍ତୁତ ହୋଇଯିବ । ସେହିପରି ସୁନାରୀଛେଲି, କରଡ଼ାଛେଲି ବା ଅନ୍ୟ ଯେ କୌଣସି ଛେଲିକୁ ଶୁଖାଇ ଗୁଣ୍ଡ କରି ପାଣିରେ ପକାଇଦେଲେ ଦୁଇ ଘଣ୍ଟାରେ କଷପାଣି ହୋଇଯିବ । ନିରେଇଁସ ପତ୍ର ବା ଅଁଳା ପତ୍ରକୁ ଶୁଖାଇ ତାହାକୁ ଗୁଣ୍ଡ କରି ପାଣିରେ ପକାଇଲେ ଦେଢ଼ ଘଣ୍ଟାରେ କଷପାଣି ପ୍ରସ୍ତୁତ ହୋଇଯିବ । ସାଧାରଣତଃ ଛେଲିର ଗୁଣ୍ଡ ଏକ ସେରରେ ପାଣି ଚାରି ସେର ଦିଆଯାଏ । ପତ୍ରର ଗୁଣ୍ଡ ପାଇଁ ତାହା ଅପେକ୍ଷା କିଛିକମ୍ ପାଣି ହେଲେ ଚଳିବ ।

 

ଚୂନ– କଲିଚୂନ ଏବଂ ପଥରଚୂନ ଉଭୟେ ଚମଡ଼ା ନିମନ୍ତେ ଦରକାର । ପଥର ଚୂନ ଅପେକ୍ଷା କଲିଚୂନ ଅଧିକ କାମିକା ହୁଏ । ସହରମାନଙ୍କରେ କଲିଚୂନ ବିକାଳିଙ୍କ ନିକଟରେ ଫରସା ଚୂନ କିଣିବାକୁ ମିଳେ । ଫୁରୁସା ଚୂନର ମୂଲ୍ୟ କମ୍; ତେଣୁ ଅଧିକ ପରିମାଣରେ ଫୁରୁସା ଚୂନ ଲୋକେ ନେଇ ବ୍ୟବହାର କରନ୍ତି ।

 

ଲୁଣ– ଜନ୍ତୁର ଦେହରୁ ଛାଲ (ଚମଡ଼ା)କୁ ଉତାରିବା ପରେ ଯେତେ ଶୀଘ୍ର ସେ ଚମଡ଼ାରେ ଲୁଣ ମଡ଼ାଇ ଦିଆଯାଇ ପାରେ, ଚମଡ଼ା ସେତେ ତାଜା ରହେ । ଜନ୍ତୁଦେହରୁ ଛାଲ ଉତାରିବାର ୮ ଘଣ୍ଟା ମଧ୍ୟରେ ଲୁଣ ମଡ଼ାଇ ଦେଲେ ଚମଡ଼ାର ବିଶେଷ କ୍ଷତି ହୁଏ ନାହିଁ । ଏପରି ନ କଲେ ଓ ୮ ଘଣ୍ଟାରୁ ବେଶୀ ଡେରି ହେଲେ ଚମଡ଼ା କେତେକ ପରିମାଣରେ ନଷ୍ଟ ହୋଇଯାଏ । ଓଡ଼ିଶାରେ ସାଧାରଣତଃ ଲୋକେ ଚମଡ଼ାକୁ ଉତାରି ୨।୩ ଦିନ ପର୍ଯ୍ୟନ୍ତ ତହିଁରେ ଲୁଣ ମଡ଼ାନ୍ତି ନାହିଁ ଓ ଏଥିଯୋଗୁଁ କେତେ କ୍ଷତି ହୁଏ ତାହା ବୁଝନ୍ତି ନାହିଁ । ଓଡ଼ିଶାରେ ଚମଡ଼ାର ଆମଦାନି ଦିନକେ ପ୍ରାୟ ୫୦୦ ଫର୍ଦ୍ଦ ବୋଲି ଧରାଯାଇ ପାରେ । ଠିକ୍ ସମୟରେ ଲୁଣ ନ ମଡ଼ାଇବା ଓ ଅନ୍ୟାନ୍ୟ ଅବହେଳା ହେତୁ ହାରାହାରି ପ୍ରତି ଫର୍ଦ୍ଦରେ ପ୍ରାୟ ୮ ଅଣା ପଇସା ଲୋକସାନ ହୁଏ । ଏହି ହିସାବରେ ଓଡ଼ିଶାରେ ଚମଡ଼ାରେ ଲୋକସାନ ପ୍ରତିଦିନ ପ୍ରାୟ ୨୫୦ ଟଙ୍କା ପଡ଼ୁଛି । ଏହିପରି ଅଳ୍ପ ଅଳ୍ପ ବିଷୟରେ ଅବହେଳାର ଓଡ଼ିଶାରୁ କେତେ ଆଡ଼େ ଯେ କେତେ କ୍ଷତି ହେଉଅଛି, ତାହାର ସୀମା ନାହିଁ । ଚମଡ଼ାରେ ସାଧାରଣତଃ ଖାରି ଲୁଣ ଦିଆଯାଏ । ତହିଁର ମୂଲ୍ୟ କମ୍ । ତାହା ଖାଇବା ଲୁଣ ପରି ସଫା ନୁହେଁ । ତହିଁରେ ମାଟି ମିଶିଥାଏ ।

 

ଉପରେ ଯେଉଁ ସବୁ ପ୍ରଣାଳୀ ବର୍ଣ୍ଣିତ ହେଲା, ସେହି ସବୁ ପ୍ରଣାଳୀରେ ଚମଡ଼ା କଷାଳୀମାନେ ଯେ ଯାହାର ଘରେ ଚମଡ଼ା କଷାଇ ପାରିବେ ଏବଂ ସ୍ଥାନୀୟ ମୋଚିମାନେ ଏହିପରି ଚମଡ଼ା କଷାଉ ଅଛନ୍ତି । କିନ୍ତୁ ଯେଉଁ ସ୍ଥାନମାନଙ୍କରେ ଅଧିକ ସଂଖ୍ୟାରେ ମୋଚି ଏକତ୍ରବାସ କରନ୍ତି, ସେମାନେ ଯେବେ ଏକାଠି ମିଶି ଗ୍ରାମ ମଧ୍ୟରେ ଗୋଟିଏ ଗୋଟିଏ କାରଖାନା କରନ୍ତେ ଏବଂ ସେହି କାରଖାନାରେ ଗୋଟିକେତେ ପକ୍କା କୁଣ୍ଡ ତିଆରି କରାଇ ସେହିଠାରେ ସମସ୍ତଙ୍କ ଚମଡ଼ାଯାକ ଏକାଠି କଷାଇ ନିଅନ୍ତେ, ତେବେ ସେମାନେ ଆହୁରି ଅଧିକ ଲାଭବାନ୍ ହୁଅନ୍ତେ । ସେପରି ବଡ଼ ବଡ଼ କୁଣ୍ଡରେ ଚମଡ଼ା କଷାଇଲେ ହାରାହାରି ୧୦୦ ପାଉଣ୍ଡ କଞ୍ଚା ଚମଡ଼ାରୁ ପ୍ରାୟ ୬୦ ପାଉଣ୍ଡ କଷା ଚମଡ଼ା ମିଳି ପାରେ, କିନ୍ତୁ ଉପରିବର୍ଣ୍ଣିତ ପ୍ରଣାଳୀରେ ଅଳ୍ପ ଅଳ୍ପ କରି କଷାଇବାଦ୍ୱାରା ୧୦୦ ପାଉଣ୍ଡ କଞ୍ଚା ଚମଡ଼ାର ୪୦ ପାଉଣ୍ଡରୁ ଅଧିକ କଷା ଚମଡ଼ା ମିଳେ ନାହିଁ ।

•••

 

କ୍ରୋମ୍ (Chrome) ଟାନିଙ୍ଗ୍ ଓ ଆଲମ୍ (Alum) ଟାନିଙ୍ଗ୍

 

ରାସାୟନିକ ମସଲାମାନଙ୍କ ସାହାଯ୍ୟରେ ମଧ୍ୟ ଓଡ଼ିଶାରେ ଚମଡ଼ା କଷା ହୁଏ । ଏହି ପ୍ରକାର ଟାନିଙ୍ଗ୍ ନାନା ପ୍ରଣାଳୀରେ କରାଯାଏ । ଏଥିପାଇଁ ପ୍ରଥମେ ଚମଡ଼ାକୁ ପୂର୍ବବର୍ଣ୍ଣିତ ପ୍ରଣାଳୀ ମୁତାବକ ପ୍ରଥମେ ଚୂନରେ ପକାଇ ତା ପରେ ଚୂନରୁ କାଢ଼ି ତୋରାଣିରେ ବା ଖଟା ପାଣିରେ ପକାଇବାକୁ ହୁଏ । ଖଟା ପାଣିରେ ପକାଇ ଚମଡ଼ାରୁ ଚୂନ ବାହାର କରି ଦେଲା ପରେ ଚମଡ଼ାକୁ ଗଛଛେଲିର ପାଣିରେ ବତୁରାଇବା ପରିବର୍ତ୍ତେ କ୍ରୋମ୍ ଟାନିଙ୍ଗ୍ ନିମନ୍ତେ ବାଇକ୍ରୋମେଟ୍ (Bicromate) ଓ କେତେକ ଏସିଡ଼୍ (Acid) ପ୍ରଭୃତି ମସଲାଦ୍ୱାରା ଜାତିଏ ପାଣି ପ୍ରସ୍ତୁତ କରାଯାଏ । ତହିଁରେ ଚମଡ଼ାକୁ ପକାଇ କଷାଇବାକୁ ହୁଏ । ବାଇକ୍ରୋମେଟ୍ ଏହାର ପ୍ରଧାନ ଅଙ୍ଗ । ତେଣୁ ଏହାକୁ କ୍ରୋମ୍ ଟାନିଙ୍ଗ୍ କହନ୍ତି ।

 

ସେହିପରି ଆଲମ୍ (Alum) ଟାନିଙ୍ଗ୍‌ରେ ଫିଟିକିରି (Alum) ହେଲା ପ୍ରଧାନ ଅଙ୍ଗ । ସେଥିପାଇଁ ତାହାକୁ ଆଲମ୍ ଟାନିଙ୍ଗ୍ କହନ୍ତି । ବାଘ, ମିରିଗ ପ୍ରଭୃତିଙ୍କ ଚମଡ଼ାରୁ ଲୋମକୁ ନ ତାଞ୍ଛି ଟାନିଙ୍ଗ୍ କରିବାକୁ ହୁଏ । ଲୋମ ଥିବା ଚମଡ଼ା ସାଧାରଣତଃ ଏହି ଆଲମ୍ ଟାନିଙ୍ଗ୍ ପ୍ରଣାଳୀରେ କଷାଯାଏ । ଫିଟିକିରି ଏବଂ ଲୁଣକୁ ପାଣିରେ ରାନ୍ଧି ତାହାକୁ ଚମଡ଼ାରେ ମଡ଼ାଇ ମଡ଼ାଇ ଚମଡ଼ା କଷାଇବାକୁ ହୁଏ । ଯେଉଁ ଚମଡ଼ାର ଲୋମ ଛଡ଼ାଇ କଷାଇବାକୁ ହୁଏ ସେଥିପାଇଁ ପୃଥକ୍ ପ୍ରଣାଳୀ ଅବଲମ୍ବନ କରିବାକୁ ପଡ଼େ । ଏ ସମସ୍ତ ପ୍ରଣାଳୀ ବିଶଦଭାବରେ ବର୍ଣ୍ଣନା କରି ନ ହେଲେ ସଂକ୍ଷେପରେ ବର୍ଣ୍ଣନା କରି କୌଣସି ଫଳ ନାହିଁ । ଏ ସବୁ ବିଶଦଭାବରେ ଏଠାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ । ଏ ସମ୍ବନ୍ଧରେ ଥିବା ସ୍ୱତନ୍ତ୍ର ପୁସ୍ତକମାନ ପାଠ କରିବା ଆବଶ୍ୟକ ।

 

ଚମଡ଼ାର କାରୁକାର୍ଯ୍ୟ–

 

ଆଜିକାଲି ଚମଡ଼ା ଉପରେ ନାନା ପ୍ରକାର କାରୁକାର୍ଯ୍ୟ ଓ ଚିତ୍ର ଆଦି ପ୍ରତିଫଳିତ କରି ଛୋଟ ଛୋଟ ଥଳି, ବ୍ୟାଗ୍, ବାକ୍‌ସ ପ୍ରଭୃତି ନିର୍ମାଣ କରିବାଦ୍ୱାରା ଏଜାତୀୟ କ୍ଷୁଦ୍ର କୁଟୀରଶିଳ୍ପର ଆଦର କ୍ରମେ ଶିକ୍ଷିତ ସମାଜରେ ପ୍ରବେଶ କରୁଅଛି । ବଙ୍ଗ ପ୍ରଦେଶରେ ଅନେକ ମହିଳା ଘରେ ବସି ଆଦର ସହିତ ଏହି କାର୍ଯ୍ୟ ଆରମ୍ଭ କଲେଣି । ଓଡ଼ିଶାରେ ଏ କାମର ଅଧିକ ପ୍ରଚାର ହୋଇ ନାହିଁ । ଅଳ୍ପ କେହି ଜଣେ ଜଣେ ଏହା ଆରମ୍ଭ କରିଅଛନ୍ତି । ଚମଡ଼ାରେ କାରିଗର କରିବା କାର୍ଯ୍ୟଟି ଖୁବ୍ ସହଜ ଓ ଘରେ ବସି କରିବା ଖୁବ୍ ସୁବିଧାଜନକ । ଅତଏବ ଯେଉଁମାନେ ଘରେ ବସିରହି ଆଉ କିଛି କାମ ନ କରି କେବଳ ଖେଳିବା ବା ବାଜେ ଗପ କରି ସମୟ କାଟୁଅଛନ୍ତି ସେମାନେ ଏହାକୁ ଅତି ସହଜରେ କରି ପାରିବେ । କେବଳ କଷା ହୋଇଥିବା ଚମଡ଼ାକୁ ବଜାରରୁ ଖରିଦ କରିବାକୁ ପଡ଼ିବ । ଚମଡ଼ାରେ ପଦାର୍ଥ ତିଆରି ହେଲେ ତହିଁର ଆଦର ଅଛି ଏବଂ ସେଥିପାଇଁ ଅଧିକ ମୂଲ୍ୟ ମିଳେ; ତେଣୁ ଏହି କ୍ଷୁଦ୍ର ଶିଳ୍ପ ସମ୍ବନ୍ଧରେ କେତେକ ଜ୍ଞାତବ୍ୟ ବିଷୟ ଓ କାର୍ଯ୍ୟପ୍ରଣାଳୀ ଏଠାରେ ଉଲ୍ଲେଖ କରାଗଲା ।

 

ଏଥିପାଇଁ ଚମଡ଼ା–

 

ଏହି ଶିଳ୍ପ ନିମନ୍ତେ ସାଧାରଣତଃ ଛେଲି ଆଦି ସାହାଯ୍ୟରେ କଷା ଯାଇଥିବା ବାଛୁରୀ ଚମଡ଼ା ଓ ମେଣ୍ଢା ଚମଡ଼ା ଅଧିକ ଉପଯୋଗୀ । ବଡ଼ ବଡ଼ ଚମଡ଼ାରେ ଓ ଶକ୍ତ ଚମଡ଼ାରେ ଏ କାର୍ଯ୍ୟ ହୋଇ ପାରିବ ନାହିଁ । ଅତ ବେଶୀ ନରମ ଚମଡ଼ାରେ ମଧ୍ୟ ଏ କାର୍ଯ୍ୟ ହେବ ନାହିଁ ।

Image

(୧ ନମ୍ବର ଚିତ୍ର)

ଏଥିପାଇଁ ହତିଆର–

 

ଏହି କାର୍ଯ୍ୟ ନିମନ୍ତେ ଅଧିକ ହତିଆର ମଧ୍ୟ ଲୋଡ଼ା ନାହିଁ । ଅତି ଅଳ୍ପ କେତେ ଖଣ୍ଡ ହତିଆର ହେଲେ ଏହି କାର୍ଯ୍ୟ ଆରମ୍ଭ କରାଯାଇପାରେ । କାର୍ଯ୍ୟରେ ହାତ ସଫେଇ ହୋଇଯିବା ପରେ ଆହୁରି ତାରିଫ କାରୁକାର୍ଯ୍ୟ ନିମନ୍ତେ ଭିନ୍ନ ଭିନ୍ନ ପ୍ରକାରର ଆଉ କେତେଖଣ୍ଡି ଛୋଟ ହତିଆର ଆବଶ୍ୟକ ହେବ । ପ୍ରଥମେ ନିମ୍ନଲିଖିତ କେତେକ ଖଣ୍ଡ ହତିଆର ହେଲେ ଚଳିବ ।

 

(୧)

ଗୋଟିଏ ଦାଢ଼ୁଆ କଇଞ୍ଚି ବା କତୁରୀ ।

(୨)

ଗୋଟିଏ ଦାଢ଼ୁଆ ଛୁରୀ ।

(୩)

ସରୁ, ମୋଟା, ଚେପ୍‌ଟା ଓ ଗୋଜିଆ କାଠି କେତେ ଖଣ୍ଡ ।

(୪)

ସିଲାଇ କରିବା ପାଇଁ ଗୋଟିଏ ଫୋଡ଼ଣି ।

(୫)

ଗୋଟିଏ ଛୋଟ ହାତୁଡ଼ି

(୬)

କାଚର ବା ସୀସାର ଖଣ୍ଡିଏ ତକ୍ତା ।

(୭)

ଗୋଟିଏ ୬ ମୁନିଆଁ ପଞ୍ଚ୍ ।

(୮)

ଗୋଟିଏ ବା ଦୁଇଟି ଅଙ୍କନଯନ୍ତ୍ର । ଏ ଅଙ୍କନଯନ୍ତ୍ରର ଦୁଇପାଖ ମୁନିଆ ହୋଇଥାଏ । କୌଣସି ମୁନ ସରୁ, କୌଣସି ମୁନ ମୋଟ ଓ କୌଣସି ମୁନ ମଧ୍ୟଭଳି ହେବା ଆବଶ୍ୟକ-

 

Image

(୨ ନମ୍ବର ଚିତ୍ର)

ଏହି କାର୍ଯ୍ୟ ଆରମ୍ଭ କରିବାପାଇଁ ପ୍ରଥମେ ଚମଡ଼ା ନଷ୍ଟ ନ କରି ବ୍ଲଟିଙ୍ଗ୍ କାଗଜ ବା ଅନ୍ୟ କୌଣସି ମୋଟା ଅଥଚ ନରମା କାଗଜ ଉପରେ ଅଙ୍କନ କରିବାକୁ ଶିକ୍ଷା କରିବ । ହାତ ସିଧା ହୋଇଗଲେ ଚମଡ଼ା ଉପରେ କାର୍ଯ୍ୟ କରିବ। ପ୍ରଥମେ କ୍ଷୁଦ୍ର କ୍ଷୁଦ୍ର ପଦାର୍ଥ ନିର୍ମାଣ କରିବାପାଇଁ ଖଣ୍ଡିଏ ଅଳ୍ପ ନରମା ଚମଡ଼ାକୁ ଆଣି ତାହାକୁ ବରାଦ ମୁତାବକ କାଟିବାକୁ ଓ ତହିଁରେ ଫୋଡ଼ କରିବାକୁ ଅଭ୍ୟାସ କରିବ । ତହିଁ ଉପରେ ଯେଉଁ ପ୍ରକାର ଚିତ୍ର କରିବାକୁ ଇଚ୍ଛା କରିବ, ପ୍ରଥମେ ଖଣ୍ଡିଏ ପତଳା କାଗଜ ଉପରେ ତହିଁର ନକ୍‌ସା ଆଙ୍କିବ । ପଦାର୍ଥଟି ଯେତେ ବଡ଼ କରିବ ସେହିପରି ମାପ କରି ତାହାକୁ ଖଣ୍ଡ ଖଣ୍ଡ କରି କାଟିବ । ଯେଉଁ କାଗଜର ନକ୍‌ସା ଆଙ୍କିଥିବ, ସେହି କାଗଜ ଖଣ୍ଡିକୁ ଚମଡ଼ା ଉପରେ ପକାଇ କାଗଜରେ ଅଙ୍କା ହୋଇଥିବା ଚିତ୍ର ଉପରେ ଅଙ୍କନଯନ୍ତ୍ରର ମୁନଦ୍ୱାରା ଟିକିଏ ଟିପରେ ଜୋର୍ ଦେଇ ଘସି ଘସି ଦାଗ ପକାଇଯିବ । ତାହା ହେଲେ କାଗଜରେ ଅଙ୍କିତ ଚିତ୍ରର ଦାଗ ଚମଡ଼ା ଉପରେ ପଡ଼ିଯିବ । ଏଥର କାଗଜଖଣ୍ଡିକ କାଢ଼ି ନେଇ ଚମଡ଼ାକୁ କାଚର ବା ସୀସାର ତକ୍ତା ଉପରେ ପକାଇବ ଓ ଓଦାକନାର ଗୋଟିଏ ଛୋଟ ପୁଡ଼ା କରି ଚମଡ଼ା ଉପରେ ଥିବା ଚିତ୍ର ସ୍ଥାନକୁ ସେ ପୁଡ଼ାରେ ଛାପି ଛାପି ଦେବ । ତାହାହେଲେ ଚମଡ଼ାରେ ଚିତ୍ରର ଦାଗ ବସିଥିବା ଜାଗା ଆଉ ଟିକିଏ ନରମା ହୋଇଯିବ । ତାପରେ ଚମଡ଼ାରେ ହୋଇଥିବା ଚିତ୍ର ଉପରେ ଆଉଥରେ ଅଙ୍କନ ଯନ୍ତ୍ରର ମୁନକୁ ଘସି ଘସି ଚଳାଇ ଦେଲେ ଚିତ୍ରର ଗାରଗୁଡ଼ିକ ଅଧିକ ଖାଲୁଆ ଓ ସ୍ପଷ୍ଟ ହୋଇଯିବ ଏବଂ ଚିତ୍ରଟି ଅଧିକ ଉଜ୍ଜ୍ୱଳ ଦେଖାଯିବ । ଅଙ୍କନଯନ୍ତ୍ର ଚଳାଇବାବେଳେ ଡାହାଣ ହାତରେ ଅଙ୍କନଯନ୍ତ୍ରକୁ ଧରି ତହିଁର ମୁନ ଉପରେ ବାମ ହାତର ବିଶିଆଙ୍ଗୁଠିର ଟିପଦ୍ୱାରା ବରାବର ଦାବି ଦାବି ଦେଲେ ଗାର ପଡ଼ିବାକୁ ଆହୁରି ଅଧିକ ସୁବିଧା ହେବ । ୩ ନମ୍ବର ଚିତ୍ର ଦେଖ । ଯନ୍ତ୍ରର ମୁନକୁ ସବୁବେଳେ ଗାରର ବାହାର ପ୍ରାନ୍ତକୁ ଅଧିକ ଜୋରରେ ଦାବି ଦେଉଥିବ । ଗାରର ଅନ୍ୟ ଅଂଶ ଉପରେ ଯନ୍ତ୍ରର ମୁନକୁ ହାଲୁକା କରି ରଖୁଥିବ । ଯେଉଁଠାରେ ଚମଡ଼ା ଉପରେ ଯନ୍ତ୍ରର ମୁନକୁ ବୁଲାଇବାର ଆବଶ୍ୟକ ହେବ ସେଠାରେ ଯନ୍ତ୍ରର ମୁନକୁ ବୁଲାଇ କରି ଟାଣିନେବାକୁ ଅଧିକ ଚେଷ୍ଟା ନ କରି ଚମଡ଼ା ଖଣ୍ଡିକ ବୁଲାଇ ଦେଉଥିବ । ଦୃଷ୍ଟି ରଖିବ, ଯେପରି ଯନ୍ତ୍ରର ମୁନ ସବୁବେଳେ ଗାରର ବାହାର ସୀମାକୁ ମାଡ଼ି ରହୁଥିବ ଓ ମୁନ ଚଳାଇବାବେଳେ ବରାବର ସମାନ ପରିମାଣରେ ସବୁଠାରେ ଜୋର ପଡ଼ୁଥିବ । ମୁନକୁ ଚମଡ଼ା ଦେହରୁ ଉଠାଇଲାବେଳେ ହଠାତ୍ ନ ଉଠାଇ ଆସ୍ତେ କରି ଉଠାଇ ପୁଣି ଆସ୍ତେ କରି ବସାଇବ । ତାହା ନ କଲେ ଉଠାଇବା ସ୍ଥାନରେ ଓ ବସାଇବା ସ୍ଥାନରେ ଗୋଟିଏ ଗୋଟିଏ ଦାଗ ପଡ଼ିଯିବ । ଚମଡ଼ା ଅଧିକ ତିନ୍ତିଗଲେ ଚିତ୍ର ଭଲ ହେବ ନାହିଁ । ମୁନକୁ ବରାବର ଘସି କରି ଏକ ଦିଗକୁ ଚଳାଇ ନେଉଥିବ । ଥରେ ଏକ ଦିଗକୁ ଓ ଆଉଥରେ ତହିଁର ବିପରୀତ ଦିଗକୁ ମୁନ ଚଳାଇବ ନାହିଁ । ମୁନକୁ ଚଳାଇବାକୁ ଆରମ୍ଭ କଲାବେଳେ ଦେଖିବ, ଚମଡ଼ାର ଯେଉଁ ଦିଗକୁ ମୁନକୁ ଚଳାଇଲେ ଚମଡ଼ା ଦେହରୁ କୌଣସି ଆଞ୍ଚୁଡ଼ା ନ ଉଠିବ, ସେହି ଦିଗକୁ ମୁନକୁ ଚଳାଇବ । ଯେଉଁ ଦିଗକୁ ମୁନକୁ ଚଳାଇଲେ ଚମଡ଼ା ଦେହରୁ ଆଞ୍ଚୁଡ଼ା ଉଠିବ ସେ ଦିଗକୁ ଯନ୍ତ୍ରର ମୁନକୁ କଦାପି ଚଳାଇବ ନାହିଁ । ଏହି ଅଙ୍କନଯନ୍ତ୍ରର ଅଗ୍ରଭାଗଦ୍ୱାରା ସମସ୍ତ ଚିତ୍ରଟିକୁ ପ୍ରତିଫଳିତ କରିବାକୁ ହେବ । ଫୁଲ, ପତ୍ର, ଲତା, ଗଛ ଏବଂ ଅନ୍ୟ ଯେ କୌଣସି ପ୍ରକାର ଚିତ୍ର ଅଙ୍କନ କରିବାକୁ ଇଚ୍ଛା କରିବ ସବୁ ଏହି ପ୍ରଣାଳୀରେ ଚମଡ଼ା ଉପରେ ଅଙ୍କାଯାଇ ପାରିବ ।

Image

(୩ ନମ୍ବର ଚିତ୍ର)

ଚମଡ଼ାରେ ଯେଉଁଠାରେ ଯେଉଁ ଚିତ୍ର କରିବାର ଦରକାର ଅଟେ, ତାହା କରିସାରି ଚମଡ଼ାରେ ଯେଉଁ ପଦାର୍ଥ କରିବ ସେହି ଅନୁସାରେ ସିଲେଇ କରିବାକୁ ହେବ । ସିଲେଇ କରିବା ପୂର୍ବେ ଚମଡ଼ାର ଦାଢ଼େ ଦାଢ଼େ ଯେଉଁଠାରେ ସିଲାଇ ହେବ, ସେଠାରେ ଗୋଟିଏ ଗୋଟିଏ ଗାର ପକାଇ ଦେବ । ତା ପରେ ପଞ୍ଚ୍‌ଦ୍ୱାରା ବରାବର ସେହି ଗାର ଉପରେ ଲଗାଲଗି କରି ଫୋଡ଼ି ଦେଇଯିବ । ତା ପରେ ସେହି ଫୋଡ଼ରେ ଛୁଞ୍ଚି ଗଳାଇ ଗଳାଇ ସୂତାଦ୍ୱାରା ବା ସିଲ୍‌କ (ରେସମ) ସୂତାଦ୍ୱାରା ଅଥବା ଚମଡ଼ାର ଡ଼ୋରିଦ୍ୱାରା ସିଲାଇ କରିବ । ସେହି ଚମଡ଼ାରୁ ସରୁ ଓ ଲମ୍ବ କରି କଇଞ୍ଚିରେ କାଟି ଡୋର ବାହାର କରିବ । ଡୋର ଖଣ୍ଡିକ ମୋଟା ଦେଖାଗଲେ ସେ ଡୋରକୁ ହାତୁଡ଼ିରେ ପିଟି ସରୁ କରିଦେବ । ଏହି ଚମଡ଼ାର ଡୋର ସୂତା ବା ରେସମ ଅପେକ୍ଷା ଅଧିକ ଶକ୍ତ ଏବଂ ଅଧିକ କାଳ ସ୍ଥାୟୀ ହେବ । ଚମଡ଼ାର ଡୋର କାଟିବା ବେଳେ ତାହା ସମାନ କରି କାଟିବ । ପଞ୍ଚ୍ କରିବା ପୂର୍ବେ ଚମଡ଼ା ଉପରେ ଯେଉଁ ଗାର ପକାଇବ ଚମଡ଼ାର ଦାଢ଼ରୁ ୧/୮ ଇଞ୍ଚ ବାଦ୍ ଦେଇ ଗୋଟିଏ ରୁଲ୍ ସାହାଯ୍ୟରେ ଅଙ୍କନ ଯନ୍ତ୍ରଦ୍ୱାରା ସେ ଗାରକୁ ପକାଇବ । ଫୋଡ଼ଗୁଡ଼ିକ ସମାନ ସମାନ ଦୂରରେ ଫୋଡ଼ିବ । ତାହାହେଲେ ପଦାର୍ଥଟି ଦେଖିବାକୁ ସୁନ୍ଦର ହେବ ।

 

ଉପରେ ଯେଉଁ ପ୍ରଣାଳୀ ବର୍ଣ୍ଣିତ ହେଲା, ତହିଁରେ ଚିତ୍ରଟି ଗହିରିଆ ହୋଇ ଦେଖାଯିବ । ଚିତ୍ରର ଗାରଗୁଡ଼ିକ ଉପରକୁ ଉଠାଇ ଚିତ୍ର ଦେଖାଇବା କାମକୁ ଏମ୍ବସିଙ୍ଗ୍‌ (Embossing) କରିବା କହନ୍ତି । ସେରୂପ ଚିତ୍ର କରିବାକୁ ହେଲେ ଚମଡ଼ାଖଣ୍ଡିକ ଦୁଇ ପାଖରେ ଓଦାକନା ଛାପି ଛାପି ତାହାକୁ ଅଳ୍ପ ତିନ୍ତାଇ ଦେବ । ଚମଡ଼ାର ଗୋଟିଏ ପାଖରେ ଖଣ୍ଡିଏ କାର୍ବନ୍ କାଗଜ (Carbon paper)ର ରଙ୍ଗ ଲାଗିଥିବା ପାଖକୁ ଲଗାଇ କରି କାର୍ବନ କାଗଜର ସାଦା ପାଖକୁ ତକ୍ତା ଉପରେ ପକାଇବ । ପୂର୍ବବର୍ଣ୍ଣିତ ପ୍ରଣାଳୀରେ ଖଣ୍ଡିଏ କାଗଜରେ ଆଗେ ଚିତ୍ର ଆଙ୍କି ଚିତ୍ର କାଗଜକୁ ଚମଡ଼ାର ଉପରେ ପକାଇ ଅଙ୍କନଯନ୍ତ୍ରଦ୍ୱାରା ଚିତ୍ରକାଗଜ ଉପରେ ଥରେ ଦାଗ ଦେଇଯିବ-। ତାହାହେଲେ ଚମଡ଼ାର ଦୁଇ ପାଖରେ ଚିତ୍ରର ଦାଗ ପଡ଼ିଯିବ । ତା ପରେ କାର୍ବନ କାଗଜ ଖଣ୍ଡିକ ବାହାର କରି ନେଇ ତକ୍ତା ଉପରେ ଗୋଟିଏ କୌଣସି ନରମ ଗଦି ପକାଇବ । ତହିଁ ଉପରେ ଚମଡ଼ା ଖଣ୍ଡିକ ଓଲଟାଇ କରି ପକାଇଦେବ । ଗୋଟିଏ ଗୋଲମୁହାଁ ଅଙ୍କନଯନ୍ତ୍ରଦ୍ୱାରା ସେହି ଦାଗ ଉପରେ ଟିପ ଜୋର କରି ଅଙ୍କନ କରିବ-। ତାହାହେଲେ ତଳର ଗଦି ଖଣ୍ଡିକ ନରମ ଥିବାରୁ ଚମଡ଼ାର ସେହି ଅଂଶ ସବୁ ଦବିଯାଇ ଗାରଗୁଡ଼ିକ ଅନ୍ୟ ପାଖରେ ଉପରକୁ ଉଠିବ । ତା ପରେ ସେ ଚମଡ଼ାକୁ ଓଲଟାଇ ଖାଲି ତକ୍ତା ଉପରେ ପକାଇବ । ଗାରଗୁଡ଼ିକ ଯେତେ ଉପରକୁ ଉଠିଥିବ, ତହିଁର ପାଖେ ପାଖେ ଉତ୍ତମରୂପେ ଅଙ୍କନଯନ୍ତ୍ରର ଅଗ ଘସିଦେଲେ ସେଗୁଡ଼ିକ ଆହୁରି ସ୍ପଷ୍ଟ ଓ ଉଜ୍ଜ୍ୱଳ ଦେଖାଯିବ । ଖାଲୁଆ ଅଂଶରେ କୌଣସି ପ୍ରକାରର ଅଠା ଲଗାଇ ଯେବେ ସେ ଖାଲରେ ତୁଳା ବା କରତଗୁଣ୍ଡି ବା ସେହିପରି ଅନ୍ୟ କିଛି ନରମା ପଦାର୍ଥ ପୂର୍ଣ୍ଣ କରି ତାହାକୁ ସମାନ କରିଦେଇ ତହିଁ ଉପରେ ଖଣ୍ଡିଏ କାଗଜ ଅଠାଦେଇ ଲଗାଇ ଦିଆଯାଏ, ତେବେ ଉଚ୍ଚ ହୋଇ ଉଠିଥିବା ଅଂଶ ଦବିଯିବାର ଆଉ କୌଣସି ଆଶଙ୍କା ରହିବ ନାହିଁ ।

•••

 

ରଙ୍ଗ

 

ଚମଡ଼ାରେ ଯେଉଁ ପଦାର୍ଥଗୁଡ଼ିକ କରିବ ତାହାକୁ ରଙ୍ଗ କଲେ ଆହୁରି ଅଧିକ ସୁନ୍ଦର ହେବ । ଚମଡ଼ା ରଙ୍ଗ କରିବା ମସଲା ନାନାପ୍ରକାର ଏବଂ ଚମଡ଼ା ରଙ୍ଗ ନାମରେ ତାହା ବଜାରରେ ବିକ୍ରି ହୁଏ । ସେହି ରଙ୍ଗ ଆଣି ପାଣିରେ ବା ସ୍ପିରିଟ୍‌ରେ ଗୋଳାଇ ବ୍ୟବହାର କରାଯାଏ । ସ୍ପିରିଟ୍‌ରେ ଗୋଳାଇଲେ ରଙ୍ଗ ଅତିଶୀଘ୍ର ଶୁଖିଯାଏ । ଅନେକ ସମୟରେ ରଙ୍ଗାଇବା ବ୍ୟକ୍ତିଙ୍କର ହାତସଫେଇ ଏବଂ ଫୂର୍ତ୍ତି ହାତ ହୋଇ ନ ଥିଲେ ଅସୁବିଧା ହୁଏ । ଚମଡ଼ାରେ ଅତି ଅଳ୍ପ ରଙ୍ଗ ଆବଶ୍ୟକ ହୁଏ । ସେହି ରଙ୍ଗକୁ ପାଣିରେ ବା ସ୍ପିରିଟ୍‌ରେ ଗୋଳାଇ ତୁଳିଦ୍ୱାରା ଲଗାଇବାକୁ ପଡ଼େ-। ତୁଳିରେ ମଧ୍ୟ ଅଧିକ ରଙ୍ଗ ଏକାଠି ନେବ ନାହିଁ । ଅଳ୍ପ ଅଳ୍ପ ରଙ୍ଗ ନେଇ ବ୍ୟବହାର କରିବ-। ଚିତ୍ର ଉପରେ ରଙ୍ଗ ଦେଲାବେଳେ କୌଣସିଠାରେ ଟିକିଏ ଅଧିକ ରଙ୍ଗ ହୋଇଗଲେ ତାହା ଗାରଉପରକୁ ଟପିଯିବ । ପଦାର୍ଥ ଗୋଟିଯାକ ଯେଉଁ ରଙ୍ଗରେ ରଙ୍ଗ କରିବ ସେହି ରଙ୍ଗକୁ ଗୋଳାଇ ଗୋଟିଏ ପାତ୍ରରେ ରଖିବ । ଗୋଟିଏ ବୁରୁଶ୍‌ ଦ୍ୱାରା ତାହା ଶୀଘ୍ର ଶୀଘ୍ର ଲଗାଇ ଯିବ । ଏକ ପୋଛରେ ପୂର୍ଣ୍ଣ ରଙ୍ଗ ନ ହେଲେ ଆଉ ପୋଛେ ରଙ୍ଗ ଲଗାଇବ । ପ୍ରଥମ ପୋଛ ଅଳ୍ପ ଓଦା ଥାଉଁ ଥାଉଁ ଦ୍ୱିତୀୟ ପୋଛ ରଙ୍ଗ ଲଗାଇବ । ରଙ୍ଗ ସାମାନ୍ୟ ଶୁଖିଗଲେ ଓ ସମ୍ପୂର୍ଣ୍ଣ ଶୁଖିଯିବା ପୂର୍ବରୁ ଖଣ୍ଡିଏ ଫ୍ଲାନେଲ କନାରେ ରଙ୍ଗ ଦିଆହୋଇଥିବା ଅଂଶଯାକ ଉତ୍ତମରୂପେ ଘସିଦେବ । ତାହାହେଲେ ପଦାର୍ଥଟି ପାଲିସ୍ ହୋଇ ସୁନ୍ଦର ଦେଖାଯିବ । ଚମଡ଼ାରେ ଯେ କୌଣସି ପଦାର୍ଥ ତିଆରି କରିବ, ପ୍ରଥମେ ସେହି ପଦାର୍ଥଟିର ଗୋଟିଏ ନକ୍‌ସା ଅଙ୍କନ କରିବ । ପ୍ରଥମ ଅବସ୍ଥାରେ କାଗଜରେ ପ୍ରତ୍ୟେକ ଅଂଶ କାଟି ତାକୁ ସବୁ ଯୋଡ଼ି ଆଗ କରି କାଗଜରେ ଉକ୍ତ ପଦାର୍ଥଟି ତିଆରି କଲେ ଉତ୍ତମ ହେବ । ଚମଡ଼ାରେ ଯେ କୌଣସି ଚିତ୍ର ଉଠାଇବାକୁ ହେବ ତାହା ମଧ୍ୟ ଠିକ୍ ମାପ ଅନୁସାରେ ଆଗେ କାଗଜରେ ଅଙ୍କନ କରିବ । ତାପରେ ସେହି କାଗଜର ପ୍ରତି ଅଂଶ ସଙ୍ଗେ ମାପ କରି ଚମଡ଼ାକୁ ଖଣ୍ଡି ଖଣ୍ଡି କରି କାଟିବ । ତହିଁ ଉପରେ କାଗଜର ନକ୍ସା ପକାଇ ଚିତ୍ର କରିବ । ସିଲାଇ କରିବା ସ୍ଥାନରେ ଅଙ୍କନ ଯନ୍ତ୍ରଦ୍ୱାରା ଗାର ପକାଇ ତହିଁ ଉପରେ ଫୋଡ଼ କରିବ । ଯେଉଁ ପଦାର୍ଥକୁ ରେସମ ସୂତାରେ ବା ଅନ୍ୟ ସୂତାରେ ସିଲାଇ କରିବ ତାହାକୁ ଛୁଞ୍ଚି ବା ଫୋଡ଼ଣିଦ୍ୱାରା ଫୋଡ଼ି ସିଲାଇ କରି ପାରିବ । ଚମଡ଼ାରେ ଯେଉଁଠାରେ ସିଲାଇ କରିବାକୁ ହେବ ସେ ଜାଗାକୁ ଆଗକରି ପଞ୍ଚ ଦ୍ୱାରା ଫୋଡ଼ି ପରେ ସିଲାଇ କରିବ ।

 

Image

(୪ ନମ୍ବର ଚିତ୍ର)

କାଗଜର ପେଷ୍ଟ ବୋଡ଼୍‌ (Paste Board) ବା କାଠର ତକ୍ତାକୁ ଭିତରେ ଦେଇ ତହିଁ ଉପରେ ଚମଡ଼ା ଲଗାଇ କେତେକ ପଦାର୍ଥ ତିଆରି କରାଯାଇପାରେ । ସେଥି ନିମନ୍ତେ ପେଷ୍ଟ୍ ବୋଡ଼୍ ବା କାଠର ପତଳା ତକ୍ତାର ଆଗେ ପଦାର୍ଥଟି ଗଢ଼ିନେବ । ତା ପରେ ଠିକ୍ ମାପ କରି ମାପ ମୁତାବକ ଚମଡ଼ା କାଟିନେବ । ତାପରେ ଚମଡ଼ା ଉପରେ ପୂର୍ବବର୍ଣ୍ଣିତ ପ୍ରଣାଳୀରେ କାମ କରି ପେଷ୍ଟ୍ ବୋଡ଼୍‌ ବା ତକ୍ତା ଉପରେ ଅଠା ଲଗାଇ ଚମଡ଼ାକୁ ଉତ୍ତମରୂପେ ସବୁଠାରେ ସମାନ କରି ତହିଁ ଉପରେ ଏପରି ଭାବରେ ବସାଇବ, ଯେପରି କୌଣସିଠାରେ ତକ୍ତା ଓ ଚମଡ଼ା ମଝିରେ ପବନ ରହି ନ ଯାଏ । ତା ପରେ ସେହି ପଦାର୍ଥର ଦାଢ଼େ ଦାଢ଼େ ଏହି କାର୍ଯ୍ୟ ନିମନ୍ତେ ବଜାରରେ ବିକ୍ରୟ ହେଉଥିବା ପିତଳର ବା ଅନ୍ୟ ଧାତୁର କଣ୍ଟା ବସାଇଦେବ । ତାହା ହେଲେ ପଦାର୍ଥଟି ଶକ୍ତ ହେବ ଏବଂ ଦେଖିବାକୁ ସୁନ୍ଦର ହେବ ।

Image